PM E-Drive: ଇଲେକ୍ଟ୍ରିକ୍ ଗାଡ଼ି ଉପରେ ୨୦୨୮ ଯାଏଁ ମିଳିବ ସବ୍‌ସିଡି, ଯୋଜନାକୁ ଦୁଇ ବର୍ଷ ବଢାଇଲେ କେନ୍ଦ୍ର ସରକାର

Published By : Prameya-News7 Bureau | August 08, 2025 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଏମ୍ ଇ-ଡ୍ରାଇଭ୍ ଯୋଜନାକୁ ଦୁଇ ବର୍ଷ ପାଇଁ ବଢାଇଛନ୍ତି । ଇଲେକ୍ଟ୍ରିକ୍ ଗାଡ଼ି କ୍ରୟକୁ ସୁଲଭ କରାଇବା ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ପିଏମ୍ ଇ-ଡ୍ରାଇଭ୍ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିକ୍ ଡ୍ରାଇଭ୍ ରିଭୋଲ୍ୟୁସନ ଇନ୍ ଇନୋଭେଟିଭ୍ ଭେଇକଲ୍ ଏନହାନ୍ସମେଣ୍ଟ ଯୋଜନାକୁ ୨୦୨୮ ମାର୍ଚ୍ଚ ୩୧ ଯାଏ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଯୋଜନା ପାଇଁ ଆବଣ୍ଟିତ ଅର୍ଥ ରାଶିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହି ଅର୍ଥରାଶିକୁ ପୂର୍ବପରି ୧୦,୯୦୦ କୋଟି ଟଙ୍କା ରଖାଯାଇଛି ।

କେନ୍ଦ୍ର ସରକାର ୨୦୨୪ ଅକ୍ଟୋବର ୧ରେ PM E-Drive ଯୋଜନା ଆରମ୍ଭ କରିଥିଲେ । ୧୦,୯୦୦ କୋଟି ଟଙ୍କାର ଏହି ଯୋଜନା ୨୦୨୬ ମାର୍ଚ୍ଚରେ ଶେଷ ହୋଇଥାନ୍ତା । ଏବେ ଏହି ଯୋଜନାକୁ ୨୦୨୮ ଯାଏ ବଢାଯାଇଛି, ଯାହା ଲାଭ ଇଲେକ୍ଟ୍ରକ୍ ଗାଡ଼ି କ୍ରେତାଙ୍କୁ ମିଳିବ । ଉଲ୍ଲେଖଯୋଗ୍ୟ ଯେ PM E-Drive ଯୋଜନା କେବଳ ଗାଡ଼ି କିଣିବା ସମୟରେ ସବସିଡି ପ୍ରଦାନ କରେ ନାହିଁ, ବରଂ ପବ୍ଲିକ୍ ଚାର୍ଜିଂ ଭିତ୍ତିଭୂମି, ଟେଷ୍ଟିଂ ଫେସିଲିଟି ଓ ଇଲେକ୍ଟ୍ରିକ୍ ଭେଇକଲ୍ ଟେକ୍ନୋଲୋଜିର ସ୍ଥାନୀୟକରଣକୁ ବି ପ୍ରୋତ୍ସାହିତ କରୁଛି ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ, ଇଲେକ୍ଟ୍ରିକ୍ ମୋବିଲିଟି ପ୍ରମୋସନ ସ୍କିମ୍ ୨୦୨୪କୁ ବି ପିଏମ୍-ଡ୍ରାଇଭ୍ ଯୋଜନାରେ ସାମିଲ କରାଯାଇଛି । ଏହି ଯୋଜନାର ଉଦ୍ଦେଶ୍ୟ ୪୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୯ଟି ପ୍ରମୁଖ ସହରରେ ପ୍ରାୟ ୨୪.୮ ଲକ୍ଷ ଇକ୍ଟ୍ରେଲିକ୍ ଦୁଇ ଚକିଆ ଯାନ, ୩.୨ ଲକ୍ଷ ଇଲେକ୍ଟ୍ରିଲ୍ ତିନି ଚକିଆ ଗାଡ଼ି ଓ ୧୪,୦୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସକୁ ସବ୍‌ସିଡି ପ୍ରଦାନ କରିବା । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ଟ୍ରକ୍ ଓ ଆମ୍ୱୁଲାନ୍ସ ପାଇଁ ଯଥାକ୍ରମେ ୫୦୦ କୋଟି ଟଙ୍କାର ସହାୟତା ପ୍ରାବଧାନ କରାଯାଇଛି ।

ତେବେ ଏହି ଯୋଜନା ଅଧିନରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ିକୁ ଦିଆଯାଉଥିବା ସବସିଡି ୨୦୨୬ ମାର୍ଚ୍ଚ ୩୧ରେ ଶେଷ ହୋଇଯିବ । ଇଲେକ୍ଟ୍ରିକ୍ ବସ୍, ଟ୍ରକ୍ ଓ ଆମ୍ୱୁଲାନ୍ସ ପାଇଁ ସବ୍‌ସିଡି ୨୦୨୮ ମାର୍ଚ୍ଚ ଯାଏ ଜାରି ରହିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.