ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ନିର୍ମାଣ ହେବ ୧୦ ଗୁରୁତ୍ୱପୂର୍ଣ୍ଣ ରାସ୍ତା, ଖର୍ଚ୍ଚ ହେବ ୫୨ କୋଟି ୧୭ ଲକ୍ଷ ଟଙ୍କା

NEWS7
center-should-work-at-the-grassroots-level-said-priyanka-vadra

ଭୁବନେଶ୍ୱର ୧୭।୧୨: ଗଞ୍ଜାମ ଓ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର । ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର ବିକାଶ ଅତି ଜରୁରୀ । ଏଣୁ ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ ଏବଂ ଏଥିପାଇଁ ୫୨ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ସହରର ଇଜ୍ ଅଫ୍ ଲିଭିଙ୍ଗ୍ ଓ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ବ୍ରହ୍ମପୁର ନୀଳକଣ୍ଠ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୨ ତମ ବାର୍ଷିକ ଉତ୍ସବ ଅବସରରେ ଯୋଗଦେଇ ସେ ଏହି ଘୋଷଣା କରିଛନ୍ତି ।

ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହର ପରି ବ୍ରହ୍ମପୁର ସହରର କଳେବର ବୃଦ୍ଧି କରାଯାଇ ଏହାକୁ ଗ୍ରେଟର ବ୍ରହ୍ମପୁର ସିଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଏଥିପାଇଁ ଆବଶ୍ୟକ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଜନାବଦ୍ଧ ଭାବେ ସମସ୍ତ ମୌଳିକ ସେବା ଯୋଗାଇ ଦେବାପାଇଁ ସହରରେ ଟାଉନ ପ୍ଲାନିଂ ଲାଗୁ କରାଯିବ । ବର୍ତ୍ତମାନ ଦୁଇଟି ଟିପି ସ୍କିମ୍ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା ସହର ଉପକଣ୍ଠରେ ଉନ୍ନତ ସହରୀ ଭିତ୍ତିଭୂମି ବିକାଶ ହେବା ସହିତ ଜମି ମାଲିକ ମାନେ ମଧ୍ୟ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ରହ୍ମପୁର ସହରର ଖାଦ୍ୟର ପ୍ରସିଦ୍ଧିକୁ ଦେଖି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ଫୁଡ୍ ଷ୍ଟ୍ରିଟ୍ ନିର୍ମାଣ କରାଯିବ । ଏହି ସହରର ବିକାଶ ପାଇଁ ଆଗାମୀ ଦିନରେ ଆହୁରି ଅନେକ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ସମୃଦ୍ଧ ଓଡ଼ିଶା ଗଠନରେ ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ଭୂମିକା ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ବ୍ରହ୍ମପୁର-ଜୟପୁରକୁ ସଂଯୋଗର କରି ଏକ ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ, ଯେଉଁଥି ପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୨ତମ ବାର୍ଷିକ ଉତ୍ସବରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡ଼ିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଶିକ୍ଷକତା ଦିନ ଗୁଡିକୁ ମନେପକାଇଥିଲେ ଏବଂ ଯେକୌଣସି ସରସ୍ଵତୀ ବିଦ୍ୟାମନ୍ଦିରକୁ ଆସିଲେ ମୋତେ ତାହା ମୋର ଘର ବାହୁଡା ପରି ଲାଗିଥାଏ ବୋଲି କହିଥିଲେ ।