ନୂଆଦିଲ୍ଲୀ ୯।୭: ଭାରତର ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ନିକଟରେ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ୧୭ଟି ଔଷଧକୁ ଟୟଲେଟରେ ଫ୍ଲସ୍ କରିଦେବାକୁ ପରାମର୍ଶ ଦେଇଛନ୍ତି। ଏଥିରେ ପେନ କିଲର ଓ ହାଇପରଟେନସନ ସମେତ ଅନ୍ୟ କେତେକ ଔଷଧ ଓ ସିରପ ମଧ୍ୟ ରହିଛି। ତେବେ ସେ ଔଷଧ ସବୁ କଣ ଓ କାହିଁକି ନିସ୍ତାରଣ କରିବାକୁ ପରାମର୍ଶ ଦିଆଯାଇଛି ଆସନ୍ତୁ ଜାଣିବା।
ତେବେ ଏହି ଗାଇଡଲାଇନ ଆପଣଙ୍କ ଔଷଧ ବାକ୍ସରେ ଥିବା ଏକ୍ସପାୟର୍ଡ ଟାବଲେଟ ଓ ସିରପ ପାଇଁ ଜାରି ହୋଇଛି। ଯଦି ଏହି ଔଷଧଗୁଡିକୁ ଆପଣ ଘରର ଆବର୍ଜନାରେ ମିସାଇ ଫିଙ୍ଗି ଦେଉଛନ୍ତି ଏହା କେବଳ ଭୁଲ କରୁନାହାନ୍ତି ବିପଦକୁ ମଧ୍ୟ ଡାକି ଆଣୁଛନ୍ତି। ଏଣୁ ସିଡିଏସସିଓ ଔଷଧଗୁଡିକୁ ଆପଣଙ୍କ ଟୟଲେଟରେ ଫ୍ଲସ୍ କରିଦେବାକୁ କହିଛନ୍ତି। ଏହି ଔଷଧ ଗୁଡିକର ଯଦି ଉପଯୁକ୍ତ ଉପାୟରେ ନିବାରଣ କରା ନଯାଉଛି ଏହାର ତ୍ରୁଟିପୂର୍ଣ୍ଣ ବ୍ୟବହାର, ପରିବେଶ ପ୍ରଦୂଷଣ ଓ ସାର୍ବଜନିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ଯଦି ଏହି ଔଷଧ ଗୁଡିକୁ ଅଳିଆ ଡାବାରେ ପକାଇ ଦିଆଯାଉଛି ତେବେ ପିଲା ଓ ପୋଷା ଜୀବ ଏହା ଦ୍ୱାରା ପ୍ରଭାବିତ ହୋଇ ପାରନ୍ତି। ସେହିପରି ଅଳିଆରେ ଫିଙ୍ଗା ଯାଉଥିବା ଔଷଧ ମାଟି ଓ ପାଣି ପବନରେ ମିଶି ପ୍ରଦୂଷଣ ବ୍ୟାପି ପାରେ, ଯାହାଦ୍ୱାରା ଆଣ୍ଟିମାଇକ୍ରୋବିୟଲ ରେଜିଷ୍ଟାନ୍ସ (ଏଏମଆର) ଭଳି ସମସ୍ୟା ଉପୁଜିପାରେ। ଏହି ଔଷଧ ସୂଚୀ ସିଡିଏସସିଓଙ୍କ ‘ଗାଇଡାନ୍ସ ଡକ୍ୟୁମେଣ୍ଟ ଅନ ଡିସ୍ପୋଜାଲ ଅଫ ଏକ୍ସପାୟର୍ଡ/ଅନୟୁଜଡ ଡ୍ରଗ’ ଅନୁସାରେ ଜାରି ହୋଇଛି। ଯେଉଁ ୧୭ଟି ଔଷଧ ନେଇ ଏହି ଗାଇଡଲାଇନ ଜାରି ହୋଇଛି ତାହା ନିମ୍ନ ପ୍ରକାରର।
ଏଥିରେ ଫେଣ୍ଟାନାଇଲ, ଟ୍ରମାଡୋଲ, ଟାପେଣ୍ଟାଡୋଲ, ବୁପ୍ରେନୋର୍ଫିନ, ଡାଇଜେପାମ, ଅକ୍ସିକୋଡନ, ଫେଣ୍ଟାନାଇଲ ସାଇଟ୍ରେଟ, ମର୍ଫିନ ସଲଫେଟ, ମେଥାଡୋନ ହାଇଡ୍ରୋକ୍ଲୋରାଇଡ, ହାଇଡ୍ରୋମର୍ଫିନ ହାଇଡ୍ରୋକ୍ଲୋରାଇଡ, ହାଇଡ୍ରୋକୋଡନ ବିଟାଟ୍ରେଟ, ଅକ୍ସିକୋଡନ ହାଇଡ୍ରୋକ୍ଲୋରାଇଡ, ସୋଡିୟମ ଅକ୍ସିବେଟ୍ ଓ ମିଥାଇଲ ଫେନିଡେଟ୍ ଆଦି ଔଷଧ ରହିଛି।