ବୁଧବାର ଛତିଶା ନିଯୋଗ ବୈଠକ, ଚୂଡ଼ାନ୍ତ ହେବ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ

NEWS7
caste-census-to-be-included-in-population-survey-cabinets-big-decision

ପୁରୀ ୨୪।୦୨ : ବୁଧବାର ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦୋଳପୂର୍ଣ୍ଣିମା ଓ ହୋଲିରେ ମହାପ୍ରଭୁଙ୍କ ବିଶେଷ ନୀତି ନିମନ୍ତେ ଛତିଶା ନିଯୋଗ ବୈଠକ ବସିବ । ଦୋଳପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ନୀତିକୁ ଶୃଙ୍ଖଳିତ ଭାବେ ନିର୍ଦ୍ଧାରିତ ସମୟରେ ପାଳନ କରିବାକୁ ବୈଠକରେ ଆଲୋଚନା ହେବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ନୀତିକାନ୍ତି ସମୟ ନିର୍ଘଣ୍ଟ ପ୍ରସ୍ତୁତ ହେବ।

ଏ ଖବର ବି ପଢନ୍ତୁ:- ବିୟର ନା ହ୍ବିସ୍କି : କେଉଁଟା କମ୍ କ୍ଷତିକାରକ ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ...

ସୂଚନା ମୁତାବକ, ଦୋଳ ପୂର୍ଣ୍ଣମୀରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ପୁରୀକୁ ଏହା ଦିନ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ସ୍ପର୍ଶ କରିବ । ଗ୍ରାସ ଥାଇ ଚନ୍ଦ୍ର ଉଦୟ ହେବେ। ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ସର୍ବମୋକ୍ଷ ରହିଛି। ତେଣୁ ଉକ୍ତ ଦିନ ସୂର୍ଯ୍ୟ ଉଦୟ ପରଠାରୁ ଦେବନୀତି ନିଷେଧ ରହିବ। ତେଣୁ ଦେବନୀତି ସୂର୍ଯ୍ୟ ଉଦୟ ପୂର୍ବରୁ ଅର୍ଥାତ୍‌ ପ୍ରତ୍ୟୁଷରେ ସାରିବାକୁ ପଡ଼ିବ। ଏହି ଦିନ ମହାପ୍ରଭୁଙ୍କ ରାଜାଧିରାଜ ବେଶ, ନାଭିକଟା ମଣ୍ଡପକୁ ଦିଅଁ ବିଜେ ସହ ଦୋଳବେଦିକୁ ବିଜେ କରିବା ବିଧି ରହିଛି। ତେଣୁ କୂଆ କା’ କହିବା ପୂର୍ବରୁ ଶ୍ରୀମନ୍ଦିର ଫିଟାଯାଇ ଆନୁସଙ୍ଗିକ ନୀତି ସାରିବା ପ୍ରଶାସନ ଓ ସେବକଙ୍କ ନିମନ୍ତେ ଆହ୍ୱାନ ରହିବ। ଛତିଶା ନିଯୋଗ ବୈଠକ ଓ ନୀତି ସବ୍‌କମିଟି ବୈଠକରେ ଏହି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି।

ଏ ଖବର ବି ପଢନ୍ତୁ:- ସୋମବାର ରାତିରୁ ଜଳୁଛି ସୁପର ମାର୍କେଟ, ନାକେଦମ ହେଲାଣି ଅଗ୍ନିଶମ ବାହିନୀ