ନୂଆଦିଲ୍ଲୀ ୨୮।୧୧; ହୃଦୟ ବିଦାରକ ମାମଲା । ପୁଣି ପ୍ରେମିକା ହେଲା ୫୦ ଖଣ୍ଡ । ଝାଡ଼ଖଣ୍ଡ ଖୁଣ୍ଟି ଜିଲାର ଉପାନ୍ତ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। କଂସେଇ ଭାବେ କାର୍ଯ୍ୟ କରୁଥିଲା ୨୫ ବର୍ଷର ନରେଶ ଭେଙ୍ଗରା । ସେ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ସହ ତାଙ୍କ ଶରୀରକୁ ୫୦ ଖଣ୍ଡ କରି କାଟି ଦେଇଛନ୍ତି।
ନରେଶ ପୂର୍ବରୁ ଜଣେ ୨୪ ବର୍ଷୀୟା ଯୁବତୀଙ୍କ ସହ ଦେଢ଼ ବର୍ଷ ହେବ ଲିଭ୍-ଇନ୍ ସମ୍ପର୍କରେ ରହିଥିଲେ। ପରେ କାମ ଖୋଜିବା ପାଇଁ ଯୁବତୀ ତାମିଲନାଡ଼ୁ ପଳାଇଥିଲେ। ଏହାରି ମଧ୍ୟରେ ନରେଶ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। କିଛି ଦିନ ପୂର୍ବରୁ ସେ ଗାଁକୁ ଫେରିଥିବା ପରେ ନିଜ ପତ୍ନୀଙ୍କୁ ନ ନେଇ ତାମିଲନାଡ଼ୁ ଚାଲି ଯାଇଥିଲେ। ସେଠାରେ ବିବାହ ସମ୍ପର୍କରେ ସେ ନିଜ ଲିଭ-ଇନ୍- ପାର୍ଟନରଙ୍କୁ କିଛି କହି ନ ଥିଲେ। ସେଠାରେ ପୂର୍ବ ପରି ଉଭୟ ଏକାଠି ରହିଥିଲେ। ଏହା ମଧ୍ୟରେ ଯୁବତୀ ଜଣକ ବିବାହ ପାଇଁ ଜିଦ୍ ଧରିବାରୁ ନରେଶ ଉକ୍ତ ଯୁବତୀଙ୍କୁ ଧରି ନିଜ ଗାଁକୁ ବାହାରିଥିଲେ। ଏହା ପରେ ଯୋଜନା ମୁତାବକ ନରେଶ ଯୁବତୀଙ୍କୁ ଅଟୋରେ ନେଇ ଖୁଣ୍ଟି ଜଙ୍ଗଲ ନିକଟରେ ଓହ୍ଲାଇ ଦେଇ ଅପେକ୍ଷା କରିବାକୁ କହିଥିଲେ।
କିଛି ସମୟ ପରେ ସେ ମାରଣାସ୍ତ୍ର ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ତଣ୍ଟି ଚିପି ତାଙ୍କ ହତ୍ୟା କରିବା ସହ ନିଜ ପାର୍ଟନରଙ୍କ ଶରୀରକୁ ମାରଣାସ୍ତ୍ରରେ ପ୍ରାୟ ୫୦ ଖଣ୍ଡ କାଟି ପକାଇଥିଲେ। ପରେ ଶରୀରର ଖଣ୍ଡ ଗୁଡ଼ିକୁ ମାଟିରେ ପୋତି ଦେଇଥିଲେ। ପୋଲିସ ବୁଧବାର ଅଭିଯୁକ୍ତ ନରେଶଙ୍କୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି। ଏକ ବୁଲା କୁକୁର ମଣିଷ ଅଙ୍ଗ ଖାଉଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ୍କୁ ଖବର ଦେଇଥିଲେ। ଏହା ପରେ ଖୋଜାଖୋଜି କରି ଜଙ୍ଗଲରୁ ମୃତଦେହକୁ ଜବତ କରାଯାଇଥିଲା। ବର୍ତ୍ତମାନ ପୋଲିସ୍ ଖୋଳତାଡ଼ ଆରମ୍ଭ କରି ନରେଶଙ୍କୁ ଗିରଫ କରିଛି। ନରେଶ ନିଜ ଦୋଷ ସ୍ୱୀକାର କରିଛି।