ମହାନଦୀ ସଙ୍କଟର ସମାଧାନ କେବେ ହେବ ? ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ

NEWS7
case-filed-against-ankita-lokhande

ବରଗଡ଼ ୧୩।୧୨: ମହାନଦୀ ପ୍ରସଙ୍ଗରେ ପ୍ରଶ୍ନ କଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ମହାନଦୀ ସଙ୍କଟର ସମାଧାନ କେବେ ହେବ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ପ୍ରସନ୍ନ ପ୍ରଶ୍ନ କରିଛନ୍ତି । ପ୍ରସନ୍ନ କହିଛନ୍ତି, ମହାନଦୀ ହେଉଛି ଓଡ଼ିଶାର ଜୀବନ ସ୍ରୋତ । ଗତ କିଛି ଦଶନ୍ଧି ହେଲା ଓଡ଼ିଶାବାସୀଙ୍କ ମା’ ସମାନ ମହାନଦୀର ଜୀବନସ୍ରୋତକୁ ସଙ୍କୁଚିତ କରି ମାକୁ ବିକଳାଙ୍ଗ କରିଦେବାର ହୀନଚକ୍ରାନ୍ତ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ବେଦନା ଦାୟକ ହୋଇପଡିଛି । ଏହାର ଆର୍ତ୍ତଚିତ୍କାର ନା କେନ୍ଦ୍ର ସରକାର ଶୁଣୁଛନ୍ତି ନା ଛତିଶଗଡ ସରକାର ଶୁଣୁଛନ୍ତି । ଓଡ଼ିଶା ରାଜ୍ୟର ବିନା ସହମତିରେ ଆନ୍ତଃରାଜ୍ୟ ନଦୀଜଳ ସମ୍ପର୍କୀତ ସମସ୍ତ ବିଧି ବିଧାନକୁ ବେଖାତିର କରି ଛତିଶଗଡ ରାଜ୍ୟ ସରକାର ମହାନଦୀ ଉପରେ ଅତ୍ୟାଚାର କରୁଛନ୍ତି ଏବଂ କେନ୍ଦ୍ର ସରକାର ଶୁଣ୍ଢି ସାକ୍ଷୀ ମାତାଲ୍ ଭଳି ନୀରବ ଦ୍ରଷ୍ଟା ସାଜିଛନ୍ତି ।

ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ମହାନଦୀର ଜଳ ସ୍ରୋତକୁ ମନଇଚ୍ଛା ନିଜ ଅଧିନରେ ରଖି ଡ଼ିଶାରେ ମହାନଦୀର ଧାରକୁ ଶୁଷ୍କ ଓ ନିରସ ରଖୁଥିବା ଛତିଶଗଡ ସରକାରଙ୍କ ମନଇଚ୍ଛା କାର୍ଯ୍ୟ ଓଡ଼ିଶାର ଦାରୁଣ କ୍ଷତି ଘଟାଉଛି । ତଦାନ୍ତିତ ରାଜ୍ୟ ସରକାରଙ୍କ ସକଳ ଅନୁରୋଧ ଓ ଆବେଦନ ଛତିଶଗଡ ସରକାର ତ ଶୁଣିଲେ ନାହିଁକେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟ ନୀରବଦ୍ରଷ୍ଟା ସାଜିଲେ । ଜଳସେଚନର ଦ୍ବାହି ଦେଇ ଛତିଶଗଡ ସରକାର ମହାନଦୀର ଉପର ମୁଣ୍ଡର କୂଳେ କୂଳେ ଅଗଣିତ ଘରୋଇ ଶିଳ୍ପ ମାନଙ୍କୁ ଅଜସ୍ର ଜଳ ପ୍ରଦାନ କରି ଓଡ଼ିଶାର ମହାନଦୀର ତଳ ମୁଣ୍ଡରେ ଜଳ ସଙ୍କଟ ସୃଷ୍ଟି କଲେ । ଓଡ଼ିଶାର ଯେଉଁ ମହାନଦୀ ଦିନେ ବର୍ଷତମାମ ଚଳଚଞ୍ଚଳ ଓ ଜଳ ପରିପୂର୍ଣ୍ଣ ରହୁଥିଲା ତାହା ଆଜି ଶୁଷ୍କ ଓ ରୁଗ୍ଣ ହେବାକୁ ଯାଉଛି । ଏହି ପ୍ରକ୍ରିୟା ଜାରି ରହିଲେ ହୀରାକୁଦ ଜଳ ଭଣ୍ଡାର ଦିନେ ଜଳଶୂନ୍ୟ ହେବ ଓ ଅନିଶ୍ଚିତ ସଙ୍କଟ ଭିତରକୁ ଠେଲି ହୋଇଯିବ ।

କେନ୍ଦ୍ରଛତିଶଗଡ଼ ଓ ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଦଳର ସରକାର ଥିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଲୋକେ ଆଶା ରଖୁଥିଲେ କିନ୍ତୁ ତାହା ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆକାଶ କଇଁଆ ଚିଲିକା ମାଛରେ ପରିଣତ ହୋଇଛି । ରାଜ୍ୟ ସରକାର କେବଳ କମିଟି ପରେ କମିଟି ଗଠନ କରୁଛନ୍ତି କିନ୍ତୁ ଫଳ ଶୂନ । ମହାନଦୀ ଜଳ ଟ୍ରିବ୍ୟୁନାଲ ନିକଟରେ ମାମଲାଟି ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ପଡି ରହିଥିଲେ ସୁଦ୍ଧା କେବଳ ତାରିଖ ପରେ ତାରିଖ ଗଡ଼ୁଛି ଏବଂ ରାଜ୍ୟର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଅଛି କିନ୍ତୁ ପ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ । ଆଉ କେତେ ଦିନ ଲାଗିବ ଇଶ୍ୱର ହିଁ ଜାଣନ୍ତି ।

ର୍ତ୍ତମାନ ରାଜ୍ୟ ସରକାର ଆପୋଷ ସମାଧାନର ପ୍ରସ୍ତାବନା କରିଛନ୍ତି । ଓଡ଼ିଶାବାସୀ ଜାଣିବା ପାଇଁ ଚାହାନ୍ତି :-

୧. ଆପୋଷ ସାମାଧାନ ପାଇଁ ଆଲୋଚନାର ସର୍ତ୍ତାବଳୀ କଣ କଣ ରହିବ ?

୨. ସରକାର ଟ୍ରିବ୍ୟୁନାଲରୁ ଓହରିଯିବେ କି ?

୩. ରାଜ୍ୟ ସରକାର ଆପୋଷ ସମାଧାନକୁ ଯିବା ପୂର୍ବରୁ ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ ଏବଂ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଂଗଠନ ମାନଙ୍କୁ ବିଶ୍ୱାସକୁ ନେଇ ତାଙ୍କ ସହ ଆଲୋଚନା କରିବେ କି ?

୪. ଛତିଶଗଡ଼ ସରକାର ଏବେ ସୁଦ୍ଧା ଚାଲୁ ରଖୁଥିବାହାନଦୀ ଓ ତାର ଶାଖା ନଦୀ ମାନଙ୍କରେ ନିର୍ମାଣଧିନ ଆନିକଟ୍ କାର୍ଯ୍ୟକୁ ଆପୋଷ ଆଲୋଚନା ପରିପ୍ରେକ୍ଷୀରେ ବନ୍ଦ ରଖିବେ କି ?

୫. ମହାନଦୀ ଟ୍ରିବ୍ୟୁନାଲର ଦୈନଦିନ କାର୍ଯ୍ୟ ବସ୍ତୁତ ବନ୍ଦ ରହିଥିବାରୁ ଏହାକୁ ତ୍ବରାନ୍ବିତ କରିବା ପାଇଁ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିବେ କି ?

ରାଜ୍ୟବାସୀ ଟ୍ରିପଲ ଇଞ୍ଜିନ ସରକାରଙ୍କ ଠାରୁ ଏ ସମସ୍ତ ବିଷୟରେ ସ୍ପଷ୍ଟୀକରଣ ଆଶା ରଖନ୍ତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ।