ମୁର୍ଶିଦାବାଦରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷାବଳ; ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | April 12, 2025 IST

ନୂଆଦିଲ୍ଲୀ: ମୁର୍ଶିଦାବାଦରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷାବଳ । ଓ୍ବାକଫ୍ ଆଇନକୁ ନେଇ ଜାରି ରହିଥିବା ହିଂସାକୁ ନିୟନ୍ତ୍ରଣ ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ ହେବେ । ଏନେଇ ଆଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ହାଇକୋର୍ଟ । ମୁର୍ଶିଦାବାଦ ହିଂସାରେ ୩ଜଣଙ୍କ ଜୀବନ ଯିବାପରେ ଆର୍ଦ୍ଧସାମରିକ ବଳ ନିୟୋଜିତ କରିବାକୁ ଉଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଶନିବାର ଛୁଟି ସତ୍ତ୍ବେ ସ୍ବତନ୍ତ୍ର କୋର୍ଟ ଆବେଦନର ଶୁଣାଣି ଏହି ଆଦେଶ ଦେଇଛନ୍ତି । 

ହାଇକୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି, ପଶ୍ଚିମବଙ୍ଗରେ ଓ୍ବାକଫ୍ ହିଂସା ଜଙ୍ଗଲ ନିଆଁ ଭଳି ମାଡ଼ି ଚାଲିଛି । ସାଂପ୍ରଦାୟିକ ହିଂସା ଧୀରେ ଧୀରେ ଦଙ୍ଗାର ରୂପ ନେବାକୁ ଯାଉଛି । ତେଣୁ ମୁର୍ଶିଦାବାଦରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ପାଇଁ ସେ ପଶ୍ଚିମବଙ୍ଗ ସରକାରଙ୍କୁ ହସ୍ତକ୍ଷେପ କରିବାକୁ କହିଥିଲେ । ମାତ୍ର ରାଜ୍ୟ ସରକାର ଏହାକୁ ସ୍ବୀକାର କରିନଥିଲେ । ଅନ୍ୟ କିଛି ବିକଳ୍ପ ନଥିବାରୁ ତତ୍କାଳ ଶୁଣାଣି ପାଇଁ ହାଇକୋର୍ଟଙ୍କୁ ନିବେଦନ କରିଥିଲେ । ଜଷ୍ଟିସ ସୌମେନ ସେନ୍ ଓ ଜଷ୍ଟିସ ରାଜା ବସୁ ଚୌଧୁରୀ ଦୁଇ ଜଣିଆ ଖଣ୍ଡପୀଠ ଆବେଦନର ଶୁଣାଣି କରି ହିଂସା ପ୍ରଭାବିତ ଅଞ୍ଚଳରେ ଅର୍ଦ୍ଧସାମରିକ ବଳ ମୁତୟନ ପାଇଁ ଆଦେଶ ଦେଇଛନ୍ତି । 

ଓ୍ବାକଫ୍ ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ହିଂସା ହୋଇଛି । ଶନିବାର ମୁର୍ଶିଦାବାଦ ଭିଡ଼ ହିଂସାରେ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶମଶେରଗଞ୍ଜ ଅଞ୍ଚଳର ଜାଫରାବାଦର ଏହି ହିଂସାତ୍ମକ ଘଟଣା ଘଟିଛି । ଭିଡ଼ ଭିତରେ ଜଣେ ବାପା-ପୁଅ ସହିତ ଅନ୍ୟ ଜଣଙ୍କୁ ହତ୍ୟା କରାଯାଇଛି । ବିକ୍ଷୋଭକାରୀମାନେ ଆଜି ସକାଳୁ ଏକ ଗାଁ ଉପରେ ମିଳିତ ଭାବେ ଅକ୍ରମଣ କରିଥିଲେ । ଏହା ପୂର୍ବରୁ ଅର୍ଥାତ୍ ଶୁକ୍ରବାର ମୁର୍ଶିଦାବାଦରେ ମୁସଲମାନ ସମ୍ପ୍ରଦାୟର ଲୋକେ ନମାଜ ପଢ଼ିବା ସାରିବା ପରେ ହିଂସାତ୍ମକ ଘଟଣା ଭିଆଇଥିଲେ । ପୋଲିସ ଘଟଣାସ୍ଥଳରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ୧୬୩ ଧାରା ଲାଗୁ କରିବା ସହିତ ଇଣ୍ଟରନେଟ୍ ବନ୍ଦ କରିଦେଇଥିଲା । ପୋଲିସ ଏହି ଘଟଣାରେ ଶତାଧିକ ଲୋକଙ୍କୁ ଗିରଫ କରିଛି ।..   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.