ବାଲିଯାତ୍ରା ୨୦୨୫
LIVE TV

ସୁନା ଝିଅ ପାଇଁ ଚାକିରି ଫେରି ପାଇବେ ବାପା: କ୍ରାନ୍ତି ଗୌଡ଼ ବାପାଙ୍କୁ ପୁନଃନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

NEWS7
businessman-bites-army-personnel-for-tomato-in-jajpur

ଭୋପାଳ: ବିଶ୍ୱ ବିଜୟୀ ଝିଅ ପାଇଁ ଚାକିରି ଫେରି ପାଇବେ ମୁନ୍ନା ସିଂହ ଗୌଡ଼। ଆପଣ ହୁଏତ ଏହି ନାଁ ସହିତ ପୂର୍ବରୁ କେବେ ପରିଚିତ ନଥିବେ। ହେଲେ ମୁନ୍ନା ସିଂହ ଯାହାଙ୍କ ବାପା ତାଙ୍କ ନାଁ କହିଲେ ହୁଏତ ସାରା ଭାରତ ତାଙ୍କୁ ଚିହ୍ନିଯିବ, ଜାଣିଯିବ। ମୁନ୍ନା ସିଂହ ହେଉଛନ୍ତି ମହିଳା ବିଶ୍ୱକପ ୨୦୨୫ର ବିଜୟିନୀ କ୍ରାନ୍ତି ଗୌଡ଼ଙ୍କର ବାପା। ଏବେ ହୁଏତ ଆପଣଙ୍କୁ ଜାଣିବାରେ କୌଣସି ସମସ୍ୟା ହେଉ ନଥିବ।

ଦିନେ କ୍ରାନ୍ତି ଗୌଡ଼ ମୁନ୍ନା ସିଂହ ଗୌଡ଼ଙ୍କ ଝିଅ ବୋଲି ତାଙ୍କ ଅଞ୍ଚଳର ଲୋକେ ଜାଣୁଥିଲେ। ହେଲେ ଆଜି ସାରା ବିଶ୍ୱ ମୁନ୍ନା ସିଂହଙ୍କୁ କ୍ରାନ୍ତି ଗୌଡ଼ଙ୍କ ବାପା ହିସାବରେ ଜାଣୁଛି। ଗୋଟେ ବାପା ପାଇଁ ଏହା ଠାରୁ ଭାଗ୍ୟର କଥା ବୋଧହୁଏ ଆଉ କିଛି ଥାଇ ନପାରେ। ସବୁଠାରୁ ବଡ଼ କଥା ହେଲା ମୁନ୍ନା ସିଂହ କେବଳ ଯେ ଝିଅ ପାଇଁ ବିଶ୍ୱରେ ପରିଚିତ ନୁହେଁ, ବରଂ ସେ ତାଙ୍କ ଚାକିର ଫେରି ପାଇବାକୁ ଯାଉଛନ୍ତି, ଯାହାକୁ ସେ ଏକ ଭୁଲ ପାଇଁ ହରାଇ ବସିଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ଚାକିରି ଫେରାଇ ଦେବାକୁ ଘୋଷଣା କରିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରତିଶ୍ରୁତି ଦେଇଛନ୍ତି ଯେ ମୁନ୍ନା ସିଂହ ଗୌଡଙ୍କୁ ପୋଲିସ କନଷ୍ଟେବଳ ଭାବରେ ପୁନଃନିଯୁକ୍ତି ଦିଆଯିବ। ନିର୍ବାଚନ ଡ୍ୟୁଟି ସମୟରେ ଏକ ତ୍ରୁଟି ପାଇଁ ମୁନ୍ନାଙ୍କୁ ୨୦୧୨ରେ ଚାକିରିରୁ ବହିଷ୍କାର କରାଯାଇଥିଲା। କ୍ରାନ୍ତି ଗୌଡ଼ି ତାଙ୍କ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଏକ ସମ୍ବର୍ଦ୍ଧନା ସମାରୋହରେ କ୍ରାନ୍ତିଙ୍କୁ ସମ୍ମାନିତ କରିଥିଲେ। ଏବଂ ବାପାଙ୍କୁ ଚାକିରିରେ ପୁନଃ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କ୍ରାନ୍ତି ଥରେ ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତ୍‌କାର ଦେଇ କହିଥିଲେ ଯେ ତାଙ୍କ ବାପାଙ୍କୁ ବହିଷ୍କାର କରାଯିବା ପରେ ତାଙ୍କ ପରିବାର ଚଳିବା କଷ୍ଟକର ହୋଇପଡ଼ିଥିଲା। ପରିବାରରେ ଆର୍ଥିକ ସଂକଟ ଦେଖା ଦେଇଥିଲା। କ୍ରାନ୍ତି କହିଥିଲେ “ଏମିତି ସମୟ ଥିଲା ଯେ ଆମେ ଓଳିଏ ଖାଇବାକୁ ବି ଯୋଗାଡ଼ କରିପାରୁ ନଥିଲୁ। ଖାଇବା ପାଇଁ ପଡ଼ୋଶୀଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା।”ଏବେ ସେ ତାଙ୍କ ବାପାଙ୍କୁ ପୁଣିଥରେ ପୁଲିସ ପୋଷାକ ପିନ୍ଧିଥିବା ଓ ସମ୍ମାନର ସହ ଅବସର ନେଉଥିବା ଦେଖିବାକୁ ଚାହାନ୍ତି।

କ୍ରାନ୍ତିଙ୍କର ଏହି ସାକ୍ଷାତକାର ବିଭିନ୍ନ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟିବା ପରେ ମୁଖ୍ୟମନ୍ତ୍ରୀ କ୍ରାନ୍ତି ଗୌଡ଼ଙ୍କ ବାପା ମୁନ୍ନା ଗୌଡ଼ଙ୍କୁ ପୁନଃ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି। ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି “କ୍ରାନ୍ତି ସମଗ୍ର ଦେଶକୁ ଗର୍ବିତ କରିଛି। ତାଙ୍କ ପିତା ବି ତାଙ୍କ ମର୍ଯ୍ୟାଦା ଫେରି ପାଇବା ଉଚିତ।” ଏଥିସହିତ ମୁଖ୍ୟମନ୍ତ୍ରୀ କ୍ରାନ୍ତି ରହୁଥିବା ଛତରପୁର ସହରରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣର ଘୋଷଣା କରିଛନ୍ତି। ଫଳରେ ସ୍ଥାନୀୟ ଆଥଲେଟମାନେ ସେଠାରେ ଟ୍ରେନିଂ ନେଇପାରିବେ। କ୍ରାନ୍ତିଙ୍କୁ ପ୍ରୋତ୍ସାହନ ଦେଇଥିବାରୁ ଏହି ସମାରୋହରେ ମଧ୍ୟପ୍ରଦେଶ ଖେଳମନ୍ତ୍ରୀ ବିଶ୍ୱାସ ସାରଙ୍ଗ କ୍ରାନ୍ତିଙ୍କ ବାପାମା ଓ ପ୍ରଶିକ୍ଷକଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।