ଭାରତୀୟ ବଜାରର ଜୋରଦାର କମ୍‌ବ୍ୟାକ୍, ୩୨୬ ସେୟାରରେ ଲାଗିଲା ଅପର୍ ସର୍କିଟ୍, ୭.୭ ଲକ୍ଷ କୋଟି ଟଙ୍କା ଲାଭ

Published By : Prameya-News7 Bureau | April 11, 2025 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଶୁକ୍ରବାର ଜୋରଦାର କମ୍‌ବ୍ୟାକ୍ କରିଛି । ସେନ୍‌ସେକ୍ସ ୧୩୧୦ ପଏଣ୍ଟ ବୃଦ୍ଧି ପାଇ ବନ୍ଦ ହୋଇଛି । ସେହିପରି ନିଫ୍ଟି ୨୨,୮୫୦ ସ୍ତରରେ ବନ୍ଦ ହୋଇଛି । ଆମେରିକୀୟ ଟାରିଫ୍ ଉପରେ ୯୦ ଦିନ ଯାଏ ରୋକ ଲଗାଯିବା ଘୋଷଣା ପରେ ନିବେଶକଙ୍କ ମଧ୍ୟରେ ଯୋଶ ଦେଖିବାକୁ ମିଳିଛି । ବିଏସ୍‌ଇ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୧.୮୪ ପ୍ରତିଶତ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୩.୦୪ ପ୍ରତିଶତ ବଢି ବନ୍ଦ ହୋଇଛି । ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ବୃଦ୍ଧି ମେଟାଲ୍ ସେୟାରରେ ଦେଖିବାକୁ ମିଳିଛି । ଆଜିର ଏହି ବୃଦ୍ଧି ଯୋଗୁ ନିବେଶକଙ୍କ ସମ୍ପତ୍ତି ଗୋଟିଏ ଦିନରେ ପ୍ରାୟ ୭.୭୨ ଲକ୍ଷ କୋଟି ଟଙ୍କା ବଢିଛି ।

କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୧୩୧୦.୧୧ ଅଙ୍କ ବା ୧.୭୭ ପ୍ରତିଶତ ବୃଦ୍ଧି ପାଇ ୭୫,୧୫୭.୨୬ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୪୨୯.୪୦ ଅଙ୍କ ବା ୧.୯୨ ପ୍ରତିଶତ ବଢି ୨୨,୮୨୮.୫୫ ସ୍ତରରେ ବନ୍ଦ ହୋଇଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ବଢି ୪୦୧.୫୪ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ଏପ୍ରିଲ୍ ୯ରେ ୩୯୩.୮୨ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୭.୭୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୭.୭୨ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସ୍‌ଇ ସେନ୍‌ସେକ୍ସର ୩୦ ମଧ୍ୟରୁ ୨୮ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଟାଟା ଷ୍ଟିଲ୍ ସେୟାରରେ ଆଜି ସବୁଠୁ ଅଧିକ ୪.୯୧ ପ୍ରତିଶତ ବଢିଛି । ସେହିପରି ଏସିଆନ୍ ପେଣ୍ଟ୍ସ ସେୟାରରେ ୦.୭୬ ପ୍ରତିଶତ ଓ ଟିସିଏସ ସେୟାରରେ ୦.୪୩ ପ୍ରତିଶତ ହ୍ରାସ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.