ବାଂଲାଦେଶରେ ତାରିକ୍ ସରକାର : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

NEWS7
bull-dies-who-was-caught-in-bhubaneswar-suburbs-rokat-village

ନୂଆଦିଲ୍ଲୀ, ୧୩|୦୨: ବାଂଲାଦେଶ ନିର୍ବାଚନରେ ବିଏନପି ବାଜିମାତ କରିଛି । ଦଳ ସରକାର ଗଠନର ଦ୍ୱାରଦେଶରେ ପହଁଚିଛି । ମୋଟ୍ ୩୦୦ ଆସନରୁ ବିଏନପି ୨୦୦ରୁ ଅଧିକ ଆସନ ଜିତିଛି । ଦଳର ସୁପ୍ରିମ୍ ନେତା ତାରିକ ରେହମାନ ଦୁଇଟି ଆସନରୁ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ସ୍ପଷ୍ଟ । ତେବେ ବିଏନପିର ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ ବିଏନପି ତଥା ଦଳର ନେତା ତାରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଏକ୍ସରେ ଲେଖିଛନ୍ତି ଯେ, ତାରିକଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ବିଏନପି ନିର୍ବାଚନରେ ବଡ ବିଜୟପ୍ରାପ୍ତ କରିଛି । ଏହା ଜନତାଙ୍କ ବିଶ୍ୱାସର ପ୍ରତୀକ । ଭାରତ ସଦାବେଲେ ବାଂଲାଦେଶ ସହ ଉତ୍ତମ ସମ୍ପର୍କ ପାଇଁ ପ୍ରୟାସ କରିଥାଏ । ଏବେ ଦୁଇ ଦେଶର ସମ୍ପର୍କ ଏବଂ ସହଯୋଗୀତା ସୁଦୃଢ ହେବ ବୋଲି ମୋଦୀ ପ୍ରକାଶ କରିଛନ୍ତି ।

 

ସୂଚନାଯୋଗ୍ୟ, ବିଏନପି ମୋଟ୍ ୩୦୦ ଆସନରୁ ୨୯୨ରେ ନିର୍ବାଚନ ଲଢୁଥିଲା । ଅନ୍ୟ ସିଟକୁ ମେଣ୍ଟ ଦଳ ପାଇଁ ଛାଡି ଦେଇଥିଲା । ବିଏନପି ୧୧ ସହଯୋଗୀଙ୍କୁ ଧରି ଏଥର ନିର୍ବାଚନକୁ ଓହ୍ଲାଇଥିଲା ।

ଏହି ଖବରଟି ପଢନ୍ତୁ... ନିର୍ବାଚନ ରେଜଲ୍ଟ ପରେ ବାଂଲାଦେଶରେ ହିଂସା : ହିନ୍ଦୁଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ, ଭୟରେ ସଂଖ୍ୟାଲଘୁ

୧୭ ବର୍ଷ ପରେ ପ୍ରତ୍ୟାବର୍ତ୍ତନ

ତାରିକ ଦୀର୍ଘ ବର୍ଷ ହେଲା ଲଣ୍ଡନରେ ଥିଲେ । ସେ ୧୭ ବର୍ଷ ପରେ ବାଂଲାଦେଶକୁ ଫେରିଛନ୍ତି । ସେ ଢାକା ଏବଂ ବୋଗୁରା ଆସନରେ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରେ ତାରିକ୍ ବାଜିମାତ୍ କରିଛନ୍ତି । ଆମେରିକା ମଧ୍ୟ ବିଜୟ ନେଇ ତାରିକଙ୍କୁ ଶୁଭେଚ୍ଛା ଜଣାଇଛି ।

ତାରିକ ରେହମାନ କିଏ ?

ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର୍ ରେହମାନ ଏବଂ ତିନି ଥର ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ସବୁଠୁ ବଡ ପୁଅ ତାରିକ୍ । ମାଆଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ବାଂଲାଦେଶ ଆସିଥିଲେ । ତାଙ୍କୁ ଦେଶରୁ ବିତାଡିତ କରିଦିଆଯାଇଥିଲା । ଭାଗ୍ୟ ତାଙ୍କୁ ସାଥ୍ ଦେଇଥିଲା । ପ୍ରତ୍ୟାବର୍ତ୍ତନ ପରେ ଅନୁଷ୍ଠିତ ନିର୍ବାଚନରେ ସେ ଜିତିବା ସହ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।

ଜିୟାଙ୍କ ମୃତ୍ୟୁ ପରେ ରେହମାନ ବିଏନପିର ମଙ୍ଗ ସମ୍ଭାଳିଥିଲେ । ଏହାପୂର୍ବରୁ ସେ ଦଳର କାର୍ଯ୍ୟକାରୀ ସଭାପତି ଥିଲେ । ଖାଲିଦାଙ୍କ ମୃତ୍ୟୁ ପରେ ସେ ସଭାପତି ନିର୍ବାଚିତ ହୋଇଥିଲେ । ତାଙ୍କୁ ଦଳୀୟ କର୍ମୀ ଡାର୍କ୍ ପ୍ରିନ୍ସ୍ କହିଥାନ୍ତି । ୨୦୦୧ରୁ ୨୦୦୬ ମଧ୍ୟରେ ଦେଶରେ ବିଏନପି ଏବଂ ଜମାତ ମଧ୍ୟରେ ମେଣ୍ଟ ସରକାର ଥିଲା । ଏହି ସମୟରେ ଖାଲିଦା ପ୍ରଧାନମନ୍ତ୍ରୀ ଥିଲେ । କିନ୍ତୁ ରେହମାନଙ୍କୁ ସୁପର୍ ପିଏମ୍ କୁହାଯାଉଥିଲା । ଦଳ ସହ ଦେଶର ନୀତି ନିର୍ଦ୍ଧାରଣ ତାଙ୍କ ଇଶାରାରେ ହେଉଥିଲା ।

୨୦୦୭ରେ ରେହମାନଙ୍କୁ ଗିରଫ କରାଯାଇଥିଲା । ଏହାପରେ ୨୦୦୮ରେ ସେଖ୍ ହାସିନା ପ୍ରଧାନମନ୍ତ୍ରୀ ହେଲା ପରେ ତାଙ୍କ ବିରୋଧରେ ଅନେକ ମାମଲା ଲାଗିଥିଲା । ପରେ ସେ ଦେଶ ଛାଡି ଲଣ୍ଡନ ପଳାଇଥିଲେ ।