ଚଣ୍ଡିଖୋଲ ୨୩।୦୫ : ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା। ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଠାରେ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି। ଆନ୍ତର୍ଜାତିକ ଅଶୋଭନିୟତା ନିରୋଧ ଆନ୍ଦୋଳନ ଓ ଉଦୟଗିରି ସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପକ୍ଷରୁ ଆଜି ଏହି ଦିବସ ପାଳିତ ହୋଇଯାଇଛି।
ଶୋଭନୀୟ ଆନ୍ଦୋଳନ ନିର୍ଦ୍ଦେଶିକା ଡ଼. ଅରୁନ୍ଧତୀ ଦେବୀଙ୍କ ନେତୃତ୍ୱରେ ଗୁରୁବାର ସକାଳୁ ଶୋଭନୀୟ ଶିକ୍ଷାଶ୍ରମ ପରିସରରୁ ଏକ ଶାନ୍ତି ଶୋଭାଯାତ୍ରା ବୋୖଦ୍ଧପୀଠ ଉଦୟଗିରି ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରା ସେଠାରେ ପହଞ୍ଚିବା ପରେ ବୁଦ୍ଧଦେବଙ୍କ ଠାରେ ଜଳାଭିଷେକ, ପୂଜାର୍ଚ୍ଚନା, ବୁଦ୍ଧ ବନ୍ଦନା ଆଦି ଗାନ କରାଯାଇଥିଲା। ଏହି ଅବସରରେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା। ବୁଦ୍ଧଙ୍କ ନୀତି ଆଦର୍ଶ ଓ ଦର୍ଶନକୁ ଉଜ୍ଜୀବିତ କରି ରଖିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି।