LoCର ନିକଟରେ ପାକିସ୍ତାନ ସହ ଲଢି BSFର ଜଣେ ଯବାନ ସହିଦ, ସାତ ଆହତ

Published By : Prameya-News7 Bureau | May 10, 2025 IST

File

ନୂଆଦିଲ୍ଲୀ: ଜମ୍ମୁରେ ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନ ସହ ଲଢି ବିଏସ୍‌ଏଫ୍‌ର ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି । ଆରଏସପୁରା ସେକ୍ଟରରେ ଏହି ଘଟଣା ଘଟିଛି । ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସବ୍-ଇନ୍ସପେକ୍ଟର ମହମ୍ମଦ ଇମତିୟାଜ ବୀରତ୍ୱର ସହ ଆଗକୁ ବଢି ନେତୃତ୍ୱ ନେଇ ସର୍ବୋଚ୍ଚ ବଳିଦାନ କରିଛନ୍ତି ।

ପାକିସ୍ତାନ ଦ୍ୱାରା କରାଯାଇଥିବା ଗୁଳି ମାଡ଼ରେ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି । ଆହତ ସୁରକ୍ଷା କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜମ୍ମୁ ଫ୍ରଣ୍ଟିୟର ଏକ୍ସ ପୋଷ୍ଟରେ କହିଛି, '୨୦୨୫ ମେ ୧୦ରେ ଜମ୍ମୁ ଜିଲ୍ଲା ଆରଏସପୁରା ଅଞ୍ଚଳରେ ଅନ୍ତରାଷ୍ଟ୍ରୀୟ ସୀମାରେ ସୀମା ପାର୍ ଗୁଳିମାଡ଼ ବେଳେ ରାଷ୍ଟ୍ର ସେବାରେ ବିଏସ୍‌ଏଫ୍‌ର ବାହାଦୂର ଉପନିରୀକ୍ଷକ ମହମ୍ମଦ ଇମତିୟାଜଙ୍କ ସର୍ବୋଚ୍ଚ ବଳିଦାନକୁ ସମାନ କରୁଛୁ । ବିଏସଏଫ୍ ମହାନିର୍ଦ୍ଦେଶକ ତାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ।'

ଜଣେ ବିଏସ୍‌ଏଫ୍ ଅଧିକାରୀ କହିଛନ୍ତି ଯେ ଇମତିଆଜଙ୍କୁ ସମ୍ମାନିତ କରିବା ପାଇଁ ରବିବାର ପାଲୋରାସ୍ଥିତ ଜମ୍ମୁ ଫ୍ରଣ୍ଟିୟର୍ ମୁଖ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହର ଆୟୋଜନ କରାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ହଜାର କିଲୋମିଟରରୁ ଅଧିକ ଲମ୍ବା ସୀମାର ସୁରକ୍ଷା ଦାୟିତ୍ୱ BSFକୁ ଦିଆଯାଇଛି । 

ଶନିବାର ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତ ହୋଇଛନ୍ତି । ଏହା ସତ୍ତ୍ୱେ, ପାକିସ୍ତାନ ଶନିବାର ରାତିରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାରେ ଗୁଳି ମାଡ଼ କରିବା ସହ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନକୁ ଡ୍ରୋନରେ ଟାର୍ଗେଟ୍ କରିଥିଲା । ସଶସ୍ତ୍ର ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡ୍ରୋନଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.