ଘରେ ଶୋଇଥିଲେ ଭାଇ-ଭଉଣୀ, ସାପ କାମୁଡାରେ ଚାଲିଗଲା ଉଭୟଙ୍କ ଜୀବନ

Published By : Prameya-News7 Bureau | June 24, 2025 IST

ବଲାଙ୍ଗିର ୨୪।୬: ଖାଇକି ଶୋଇବାକୁ ଯାଇଥିଲେ । ହେଲେ ଜାଣିନଥିଲେ କାଳରୂପୀ ସାପ ଆସି ନେଇଯିବ ଜୀବନ । ଏକାସଙ୍ଗେ ଭାଇ-ଭଉଣୀଙ୍କ ଜୀବନ ନେଇଗଲା ସାପ । ବଲାଙ୍ଗିର ସହର ମାଲଗୋଦାମ ପଡ଼ାରେ ସାପ କାମୁଡ଼ାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଶିଶୁ କନ୍ୟାର ବୟସ ମାତ୍ର ୪ ବର୍ଷ ହୋଇଥିବା ବେଳେ ଶିଶୁ ପୁତ୍ରର ବୟସ ୫ ବର୍ଷ । ସୋମବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହର ମାଲଗୋଦାମ ପଡ଼ାର ଅବଦୁଲ ରେହେମାନଙ୍କ ପୁଅ ଏବଂ ଝିଅଙ୍କୁ ବିଷାକ୍ତ ସାପ କାମୁଡି ଦେଇଥିଲା । ଫଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ରାତିରେ ଶୋଇଥିବା ବେଳେ ପ୍ରଥମେ ଝିଅ କାନ୍ଦିବାକୁ ଲାଗିଥିଲା । ବାପା ରେହମାନ ତାଙ୍କୁ କୋଳେଇ ନେବା ବେଳେ ପୁଅ ଆସି ସାପ ଦେଖିଥିବା କହିଥିଲା । ହେଲେ ଜାଣି ନଥିଲେ ସାପ କାମୁଡିଛି ବୋଲି । ପରେ ଉଭୟଙ୍କୁ ପୁଣି ଶୁଆଇ ଦେଇଥିଲେ । ହେଲେ କିଛି ସମୟ ପରେ ବିଷପ୍ରକ୍ରିୟା ଆରମ୍ଭ ହେବା ପରେ ଉଭୟ ଶିଶୁ ଶୋଇନପାରି ଛଟପଟ ହୋଇଥିଲେ । ଫଳରେ ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇଯାଇଥିଲେ । ସେଠାରେ ଦୀର୍ଘ ସମୟ ଧରି ତାଙ୍କ ଚିକିତ୍ସା କରାଯାଇଥିଲା । ଶେଷରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଏନେଇ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଏହାସହ ସାପକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । 

ତେବେ ମାଲଗୋଦାମ ପଡାଟି ଷ୍ଟେସନ ନିକଟରେ ଥିବା ସହ ଅଳିଆ ଗଦା ହୋଇ ରହୁଛି । ସେହି ସ୍ଥାନରେ ବନୀକରଣ ମଧ୍ୟ ହୋଇଛି । ଫଳରେ ସେଠାରେ ସରୀସୃପ ରହୁଛନ୍ତି । ତେବେ ସାପଟିକୁ ଗତ କିଛି ଦିନ ତଳେ ପରିବାର ଲୋକ ଦେଖି ଭିଡିଓ ମଧ୍ୟ କରିଥିଲେ । ସେହି ସାପ ଆଜି ଦୁଇ ଶିଶୁଙ୍କ ଜୀବନ ନେଇଛି ବୋଲି କୁହାଯାଉଛି । ତେବେ ଏନେଇ ପରିବାର ଲୋକଙ୍କୁ ସାହାଯ୍ୟ ସହ କ୍ଷତିପୂରଣ ଦେବା ପାଇଁ ଦାବି ହେଉଛି । 

You Can Read:

ଅଧପନ୍ତରିଆ ପୋଲ ନିର୍ମାଣ କାମ, ବର୍ଷା ଦିନ ପୂର୍ବରୁ କାମ ସାରିବାକୁ ଥିଲା ନିର୍ଦ୍ଦେଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.