ଲଣ୍ଡନ ୧୦।୮: ଭାରତୀୟ ବାୟୁସେନା ନିକଟରେ ଅପରେସନ ସିନ୍ଦୂର ଉପରୁ ପର୍ଦା ହଟାଇଥିଲା। ଏଥିରେ ପାକିସ୍ତାନର ଅନୁନ୍ୟ ୫ଟି ଯୁଦ୍ଧବିମାନକୁ ଭାରତ ଖସାଇ ଦେଇଥିବାର ଦାବି କରିଥିଲା। ହେଲେ ପାକିସ୍ତାନ ଏହାକୁ ଅସ୍ୱୀକାର କରିଛି। ତେବେ ବ୍ରିଟେନର ଜଣାଶୁଣା ପ୍ରତିରକ୍ଷା ନିର୍ମାତା ମାର୍ଟିନ ବେକର ସେୟାର କରିଥିବା ତଥ୍ୟ ପୂରା ଘଟଣାକ୍ରମକୁ ନୂଆ ମୋଡ ଦେଇଛି।
ବିଶ୍ୱର ଅଗ୍ରଣୀ ଇଜେକ୍ସନ ସିଟ୍ ନିର୍ମାତା କମ୍ପାନୀ ମାର୍ଟିନ ବେକର ନିକଟରେ ନୂଆ ଅପଡେଟ୍ ଜାରି କରିଛି, ଏହା ସଂକେତ ଦେଉଛି ଯେ ପାକିସ୍ତାନୀ ଯୁଦ୍ଧ ବିମାନ ପାଇଲଟମାନେ ଜରୁରି ପରିସ୍ଥିତିରେ ସିଟ୍ ଇଜେକ୍ସନ କରିଛନ୍ତି। ଏହା ସେହି ସମୟରେ ହୋଇଛି ଯେତେବେଳେ ପାକିସ୍ତାନ ବିରୋଧରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଚଳାଇଥିଲା। ମାର୍ଟିନ ବେକର ବିଶ୍ୱର ସେହି ବଛାବଛା କମ୍ପାନୀଙ୍କ ମଧ୍ୟରେ ଅନ୍ୟତମ ଯିଏ ସାମରିକ ବିମାନରେ ବ୍ୟବହାର ହେଉଥିବା ଇଜେକ୍ସନ ସିଟ୍ ତିଆରି କରନ୍ତି।
ତାଙ୍କର ଏକ ନିୟମ ହେଉଛି ପ୍ରତ୍ୟେକ ପାଇଲଟଙ୍କ ରେକର୍ଡ ସାର୍ବଜନିକ କରିବା ଯେଉଁମାନେ ଆପାତ ସ୍ଥିତିରେ ତାଙ୍କ ସିଟ୍ ବ୍ୟବହାର କରି ନିଜ ଜୀବନ ବଞ୍ଚାଇଛନ୍ତି। ନିକଟରେ କମ୍ପାନୀ ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ସୂଚୀତ କରିଛନ୍ତି ଯେ ଏ ପର୍ଯ୍ୟନ୍ତ ତାଙ୍କ ଇଜେକ୍ସନ ସିଟ୍ ଯୋଗୁ ବିଶ୍ୱରେ ୭,୭୯୪ ଜଣଙ୍କ ଜୀବନ ବଞ୍ଚା ଯାଇ ପାରିଛି। ଏହିକ୍ରମରେ ବିଶେଷଜ୍ଞଙ୍କ ନଜର ୩ ଏପରି କେସ୍ ନମ୍ବର ଉପରକୁ ଯାଉଛି ଯାହା ସମ୍ପର୍କରେ ସାର୍ବଜନିକ ସୂଚନା ଦିଆଯାଇ ନାହିଁ। ତେବେ ସଂଖ୍ୟା ବଢିଛି।
ଏହି କଥା ସେହି ଅଜ୍ଞାତ ମାମଲାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯାହା ଖାସ କରି ଅପରେସନ ସିନ୍ଦୂର ସହିତ ମେଳ ଖାଉଛି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଏୟାରଫୋର୍ସର ମୁଖ୍ୟ ଯୁଦ୍ଧ ବିମାନ ଜେଏଫ-୧୭ ଥଣ୍ଡର ଓ ଏଫ-୧୬ ଫାଇଟର ଜେଟ୍ ରେ ମାର୍ଟିନ ବେକରଙ୍କ ଇଜେକ୍ସନ ସିଟ୍ ରହିଛି। ଯେବେବି ପାଇଲଟ ଏହି ସିଟ୍ ଦ୍ୱାରା ବିମାନକୁ ଛାଡିଛନ୍ତି ଓ ସୁରକ୍ଷିତ ଜୀବନ ବଞ୍ଚାଇଛନ୍ତି ସତେବେଳେ କମ୍ପାନୀ ବୈଶ୍ୱିକ ସ୍ତରରେ ଏହି ଡାଟା ଅପଡେଟ୍ କରିଛି।
ତେବେ ଗୋପନୀୟତା ବୁଝାମଣା ଅନୁସାରେ ମାର୍ଟିନ ବେକର କୌଣସି ଯୁଦ୍ଧ କ୍ଷେତ୍ରରେ ହୋଇଥିବା କ୍ଷତି ଓ ସଠିକ ଲୋକେସନ ପୁଷ୍ଟି କରେ ନାହିଁ। ତେବେ ଏହା ଯୋଗୁ ବଞ୍ଚାଯାଇଥିବା ଜୀବନ ସଂଖ୍ୟା ଅପଡେଟ କରିବା ଏହାର ନୀତିରେ ସାମିଲ। ଏହି କ୍ରମରେ ୭ ମେରେ କେସ୍ ନମ୍ବର ୭,୭୮୫ ଓ ୭,୭୮୬ ନମ୍ବର ଇଜେକ୍ସନର ସୂଚନା ସାର୍ବଜନିକ କରାଯାଇ ନାହିଁ। ଏହି ଠାରୁ ହିଁ ବିଶେଷଜ୍ଞଙ୍କ ଧ୍ୟାନ ପାକିସ୍ତାନ ଆଡକୁ ଯାଇଛି। ଏହି ଡାଟା ଅପରେସନ ସିନ୍ଦୂର କାଳରେ ପାକିସ୍ତାନରେ ଇଜେକ୍ଟ ହୋଇଥିବା ପାଇଲଟଙ୍କ ସମ୍ପର୍କିତ ହୋଇ ପାରେ। ସେହିପରି ଏହା ପରେ ୭,୭୯୦, ୭,୭୯୧ ଓ ୭,୭୯୨ଗଣତି ମଧ୍ୟ ଆସିଛି ଯାହା ସମ୍ପର୍କରେ କମ୍ପାନୀ ସୂଚନା ସାର୍ବଜନିକ କରି ନାହିଁ।
ତେବେ ମାର୍ଟିନ ବେକର ଜୁଲାଇ ୩୧ରେ ପରବର୍ତ୍ତି ସୂଚନା ଜାରି କରିଥିଲା। ଏଥିରେ ପୋର୍ଟୋ ଫେରେରାରେ ଏକ ବ୍ରାଜିଲିୟନ ସୁପର ଟୁକାନ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା ଓ ପାଇଲଟ ସିଟ୍ ଇଜେକ୍ଟ କରି ଜୀବନ ବଞ୍ଚାଇଥିଲେ। ସେତେବେଳେ ଏହି ସଂଖ୍ୟା ୭,୭୯୩କୁ ପହଞ୍ଚିଥିଲା। ତେବେ ୭,୭୯୦-୭,୭୯୨ର ସୂଚନା ଏବେବି ସାର୍ବଜନିକ କରାଯାଇ ନି। ତେବେ ଏହି ସୂଚନା ଅପରେସନ ସିନ୍ଦୂର ଦାବି ସହିତ ମେଳ ଖାଉଛି। ଭାରତୀୟ ବାୟୁ ସେନା ୫ ପାକିସ୍ତାନୀ ଯୁଦ୍ଧ ବିମାନ ଖସାଇଥିବାର ଦାବି କରୁଛି।