ରାଜ୍ୟସଭାରେ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ବୟାନ- ଆଜି ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିନ

NEWS7
bride-broken-her-marriage-because-of-bridegroom-not-read-newspaper

ଭୁବନେଶ୍ଵର: ଆଜି ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିନ। ରାଜ୍ୟସଭା ନିର୍ବାଚନରେ ବିଜେପି ଓ ବିଜେପି-ସମର୍ଥିତ ପ୍ରାର୍ଥୀଙ୍କ ଏହି ପ୍ରଚଣ୍ଡ ବିଜୟ କେବଳ ଦଳୀୟ ସଫଳତା ନୁହେଁ, ବରଂ ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଜନନେତା, ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସୁଦୃଢ଼ ନେତୃତ୍ୱ ଓ ଦୂରଦର୍ଶୀ ମାର୍ଗଦର୍ଶନର ପ୍ରତିଫଳନ। ଆଜି ଆମର ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ଦିଗରେ ଆଡ଼କୁ ବଢ଼ିବା ପାଇଁ ଆମର ଏହି ରାଜ୍ୟସଭା ନିର୍ବାଚନରେ ତିନି ଜଣ ନିର୍ବାଚିତ ହୋଇଛନ୍ତି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସେ କହିଛନ୍ତି, ଆମର ନବନିର୍ବାଚିତ ସାଂସଦ ମନମୋହନ ସାମଲ, ସୁଜିତ କୁମାର ଏବଂ ଦିଲୀପ ରାୟ ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ସହ ମୋଦୀଜୀଙ୍କ 'ବିକଶିତ ଭାରତ' ଅଭିଯାନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି । ରାଜ୍ୟସଭାରେ ଓଡିଶାର ସ୍ୱର ଆହୁରି ଶାଣୀତ ହେବ।

Also read: ସରିଲା ରାଜ୍ୟସଭା ନିର୍ବାଚନ; ତିନି ଆସନ ପୋଛିନେଲା ବିଜେପି, ବିଜେଡି ଖାତାକୁ ଗୋଟିଏ

ନବୀନଙ୍କଠୁ ଏହା ଆଶା କରା ଯାଏନି

କିଛି ସମୟ ପୂର୍ବରୁ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ—ଯେଉଁଥିରେ ସେ ଅନ୍ତରାତ୍ମାର ଡାକରା ଶୁଣି ଭୋଟ୍ ଦେଇଥିବା ବିଧାୟକମାନଙ୍କୁ 'ଅପରାଧିକ ପୃଷ୍ଠଭୂମି'ର ବୋଲି ଆଖ୍ୟା ଦେଇଛନ୍ତି—ତାହା କେବଳ ଦୁର୍ଭାଗ୍ୟଜନକ ନୁହେଁ, ବରଂ ଗଣତନ୍ତ୍ରର ମର୍ଯ୍ୟାଦା ପ୍ରତି ଏକ ଆକ୍ଷେପ। ଜଣେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କଠାରୁ ଏଭଳି ଅପରିପକ୍ୱ ଏବଂ ଅପମାନଜନକ ଶବ୍ଦ କେବେ ମଧ୍ୟ ଆଶା କରାଯାଏ ନାହିଁ । ଯେଉଁ ବିଧାୟକମାନେ ନିଜ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ସ୍ୱାର୍ଥ ଏବଂ ରାଜ୍ୟର ବିକାଶକୁ ପ୍ରାଥମିକତା ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି, ସେମାନଙ୍କୁ ଅପରାଧୀ କହିବା ଅର୍ଥ ହେଉଛି, ସେମାନଙ୍କୁ ନିର୍ବାଚିତ କରିଥିବା ହଜାର ହଜାର ଭୋଟରଙ୍କୁ ଅପମାନିତ କରିବା।

ସମ୍ବିଧାନ ଏବଂ ନିଜ ଲୋକଙ୍କ ପାଖରେ ଉତ୍ତରଦାୟୀ

ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ କୌଣସି ବ୍ୟକ୍ତି ବିଶେଷଙ୍କ ପାଖରେ ବନ୍ଧା ନୁହନ୍ତି, ସେମାନେ କେବଳ ସମ୍ବିଧାନ ଏବଂ ନିଜ ଲୋକଙ୍କ ପାଖରେ ଉତ୍ତରଦାୟୀ। ଯେତେବେଳେ ଏକ ଆଞ୍ଚଳିକ ଦଳ ମଧ୍ୟରେ ଆନ୍ତରିକ ଗଣତନ୍ତ୍ରର ଅଭାବ ପରିଲକ୍ଷିତ ହୁଏ ଏବଂ ନେତୃତ୍ୱ କେବଳ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ହାତବାରିସି ହୋଇଯାଏ, ସେତେବେଳେ ସ୍ୱାଭିମାନୀ ଜନପ୍ରତିନିଧିମାନେ ସ୍ୱର ଉତ୍ତୋଳନ କରିବା ସ୍ୱାଭାବିକ। ନବୀନ ବାବୁ ବୋଧହୁଏ ଭୁଲିଯାଉଛନ୍ତି ଯେ, ଯେଉଁମାନଙ୍କୁ ସେ ଆଜି ଅପରାଧୀ କହୁଛନ୍ତି, ସେମାନେ କିଛି ଦିନ ପୂର୍ବରୁ ତାଙ୍କ ଦଳର ସମ୍ପତ୍ତି ଥିଲେ ଏବଂ ସେମାନଙ୍କ ପାଇଁ ସେ ନିଜେ ପ୍ରଚାର ମଧ୍ୟ କରିଥିଲେ। ସେତେବେଳେ ସେମାନଙ୍କ ପରିବାର ପୃଷ୍ଠଭୂମି ତାଙ୍କୁ ସ୍ୱଚ୍ଛ ଦେଖାଯାଉଥିଲା କି ?

Also read: ଦିଲୀପଙ୍କୁ ଭେଟିବା ପରେ ବିଜୟଙ୍କ ବଡ଼ ବୟାନ- ରାଜ୍ୟ ରାଜନୀତିରେ ଆସିବ ବଡ଼ ପରିବର୍ତ୍ତନ

ଲୋକମାନେ ନିଃସ୍ୱାର୍ଥ ସମର୍ଥନ ଦେଉଛନ୍ତି

ଆଜି ହାରି ଯାଇଥିବା ପରିପ୍ରେକ୍ଷୀରେ ଏଭଳି ଅପରିପକ୍ୱ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ଓଡ଼ିଶାର ବିକାଶ ପଥରେ ଯିଏ ରହିବ ନାହିଁ, ଓଡ଼ିଶାର ଜନସାଧାରଣଙ୍କ ଠାରେ ତାକୁ ପରିବର୍ତ୍ତନ କରିବାର ଶକ୍ତି ଅଛି। ଭାରତୀୟ ଜନତା ଦଳ ନୂଆ ସରକାର ଗଠନ କରିବା ପରେ, ଲୋକଙ୍କ ସରକାର ଭାବେ ଓଡ଼ିଶାର ସମୃଦ୍ଧି ଓ ବିକାଶକୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରୁଛନ୍ତି । ଲୋକମାନେ ନିଃସ୍ୱାର୍ଥ ସମର୍ଥନ ଦେଉଛନ୍ତି । ତା’ର ପ୍ରତିଫଳନ ଆଜି ରାଜ୍ୟସଭା ନିର୍ବାଚନରେ ଦେଖିବାକୁ ମିଳିଲା । ଆଜିର ଏହି ଫଳାଫଳ ହିଁ, ଆଗାମୀ ଦିନରେ ଓଡ଼ିଶାକୁ ସମୃଦ୍ଧ କରିବ ।