ମନ୍ କି ବାତ୍‌ରେ AI ସମ୍ମିଳନୀରୁ ଟି20 ବିଶ୍ୱକପ୍, ଓଡ଼ିଆ ଚାଷୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

NEWS7
brave-youth-subrat-felicitated-by-commissionerate-police

ନୂଆଦିଲ୍ଲୀ, ୨୨/୦୨: ଏଆଇ ସମ୍ମିଳନୀରେ ସାରା ବିଶ୍ୱ ଭାରତର କ୍ଷମତା ଦେଖିଛି । ଭାରତ ତିନୋଟି ମେଡ୍ ଇନ୍ ଇଣ୍ଡିଆ ମଡେଲ୍ ଲଞ୍ଚ୍ କରିଛି । ସବୁଠୁ ବଡ ଏଆଇ ସମ୍ମିଳନୀର ଆୟୋଜନ କରିଛି ଭାରତ । ରବିବାର ମନ୍ କି ବାତରେ କିଛି ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ଓଡିଆ କୃଷକ ହିରୋଦ ପଟେଲଙ୍କ କୃଷିପଦ୍ଧତିର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦୀ କହିଛନ୍ତି ଯେ, ଭାରତର ଏଆଇ ସାରା ଦୁନିଆର ବଡ ବଡ ନେତାଙ୍କୁ ପ୍ରଭାବିତ କରିଛି । ଏବେ ଏଆଇ ପଶୁଙ୍କ ଚିକିତ୍ସାରେ ସହାୟତା ପ୍ରଦାନ କରୁଛି । ଭାରତ ଏଆଇ ସାହାଯ୍ୟରେ ନିଜର ପ୍ରାଚୀନ ଗ୍ରନ୍ଥକୁ ସଂରକ୍ଷଣ କରୁଛି । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ରେ ଟି20 ବିଶ୍ୱକପ୍ ବାବଦରେ ଉଲ୍ଲେଖ କରିଛନ୍ତି । ଆମେରିକା କ୍ରିକେଟରେ ଅନେକ ଖେଳାଳି ଭାରତୀୟ ଘରୋଇ ଫର୍ମାଟରେ ଖେଳୁଥିଲେ । ୟୁଏସଏର ଅଧିନାୟକ ଗୁଜୁରାଟ ଦଳର ଅଣ୍ଡର-୧୬ ଏବଂ ଅଣ୍ଡର-୧୮ ଦଳର ନେତୃତ୍ୱ ନେଉଥିଲେ । ସେହିପରି ଓମାନର ଅନେକ ଖେଳାଳି ଭାରତର ବିଭିନ୍ନ ରାଜ୍ୟ ପାଇଁ ଖେଳିଛନ୍ତି । ଶକ୍ତିଶାଳୀ ଟିମରେ ଭାରତୀୟ ବଡ ଭୂମିକା ନିଭାଉଛନ୍ତି । ଖେଳ କେବଳ ହାର୍ ଜିତରେ ସୀମିତ ରହିବା ଅନୁଚିତ । ଏହା ଦେଶ ଏବଂ ସଂସ୍କୃତିକୁ ଯୋଡିଥାଏ ।

ଏତତ୍ ବ୍ୟତୀତ ପ୍ରଧାନମନ୍ତ୍ରୀ କେରଳରେ ପ୍ରାଣ ହରାଇଥିବା ୧୦ ମାସର ଆଲିନ୍ ସେରିନ୍ ଆବ୍ରାହାମ୍ କଥା କହିଛନ୍ତି । ମୃତ୍ୟୁପରେ ତାଙ୍କର ପିତାମାତା ଆଲିନଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ .। ଯାହା ଖୁବ୍ ସୁନ୍ଦର ପଦକ୍ଷେପ । ଆହୁରି ମଧ୍ୟ ସାଇବର୍ ଠକେଇ ନେଇ ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବରିଷ୍ଠ ନାଗରିକ ଏହାର ଶିକାର ହେଉଛନ୍ତି । ଏସବୁର ପ୍ରତିକାର ପାଇଁ ସାବଧାନ ରହିବା ଜରୁରୀ । ବିଭିନ୍ନ ପ୍ଲାଟଫର୍ମର ପାସଓ୍ୱାର୍ଡକୁ ପରିବର୍ତ୍ତନ କରିବା ଆବଶ୍ୟକ ।

ମନ୍ କି ବାତରେ ଓଡିଶା ଚାଷୀ ହିରୋଦ ପଟେଲ

ମନ୍ କି ବାତରେ ମୋଦୀ ଓଡିଆ ଚାଷୀ ହିରୋଦ ପଟେଲଙ୍କ କଥା କହିଛନ୍ତି । ସେ ୮ ବର୍ଷ ତଳେ ପିତାଙ୍କ ସହ ମିଶି ପାରମ୍ପରିକ ପଦ୍ଧତିରେ କୃଷିକାର୍ଯ୍ୟ କରୁଥିଲେ । ପରେ କିନ୍ତୁ ସେ ଏହାକୁ ନୂଆ ଦିଗ ଦେଇଥିଲେ । ଚାଷ ଜମିରେ ଥିବା ଏକ ପୋଖରୀ ଉପରେ ସେ ଢାଞ୍ଚା ତିଆରି କରିଥିଲେ । ଏଥିରେ ସେ ବିଭିନ୍ନ ପ୍ରକାର ଗଛ ଲଗାଇଛନ୍ତି । ଏହାସହ ପୋଖରୀରେ ମତ୍ସ୍ୟପାଳନ କରୁଛନ୍ତି ।ଏହା ଅନେକ ଚାଷୀଙ୍କୁ ଅନୁପ୍ରାଣିତ କରୁଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।