ଅଙ୍ଗନବାଡି କେନ୍ଦ୍ରରୁ ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | April 22, 2024 IST

ସୋର ୨୨।୪: ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କ ଆତ୍ମହତ୍ୟl l ବାଲେଶ୍ବର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ହଂସୀପାଟଣା ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ କର୍ମୀ ଜଣଙ୍କ ହେଲେ ଗ୍ରାମର ସବିତା ମହାନ୍ତି । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ସବିତା ଗତ ୮ ବର୍ଷ ଧରି ସ୍ଥାନୀୟ ହଂସୀପଟଣା ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ସୋମବାର ସକାଳେ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିବା ବେଳେ ଛୁଟି ପରେ ପିଲାମାନଙ୍କୁ ତାଙ୍କ ଘରେ ଛାଡିଥିଲେ । ସେଠାରୁ ଫେରିବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ପରେ ଅଙ୍ଗନବାଡ଼ି କେନ୍ଦ୍ରରେ ଚାବି ଭିତର ପଟୁ ପଡିଥିବା ଦେଖି ଚାବି ଭାଙ୍ଗିବା ପରେ ସବିତାଙ୍କୁ ଫ୍ୟାନ୍‌ରେ ବେକରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସବିତାଙ୍କ ୧୭ ବର୍ଷ ବୟସ୍କ ପୁଅ ଗତ ଦୁଇ ମାସ ତଳେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସେବେଠାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

You Can Read :

ପଥର ଉତ୍ତୋଳନକୁ କେନ୍ଦ୍ରକରି ଉତ୍ତେଜନା : ପୋଲିସକୁ ୪ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

 

  • balasore
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.