ଭଦ୍ରକ ୦୫/୦୬: ଜବତ ବାଣ ନିଷ୍କ୍ରିୟ ବେଳେ ଜୋରଦାର ଧମାକା । ପ୍ରଚଣ୍ଡ ଶବ୍ଦରେ ଥରିଲା ଗାଁ । ଭୂମିକଂପ ପରି ଦୋହଲିଲା ଘର , ଭାଙ୍ଗିଲା ଝରକା କାଚ । ଉଡିଆସି ପଡିଲା ନିଆଁ ଝୁଲ । ବିନା ସୂଚନା ଓ ସଚେତନତାରେ ଜନବସତି ପାଖରେ ଏମିତି ବାଣ ନିଷ୍କ୍ରିୟ କରିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିବା ସହ ଅସନ୍ତୋଷ ଝାଡିଛନ୍ତି ସ୍ଥାନୀୟ ଲୋକ । ଭଦ୍ରକ ଗ୍ରାମାଞ୍ଚଳ ଥାନା କଲେଇ ଗାଁରୁ ଆସିଛି ଏମିତି ଚିତ୍ର ।
ସ୍ଥାନୀୟ ଲୋକଙ୍କ କହିବା କଥା ପୁରୁଣା ବଜାର ପୋଲିସ ବିଭିନ୍ନ ଅଞ୍ଚଳରୁ ବାଣ ଜବତ କରି ନିଷ୍କ୍ରିୟ କରିବା ପାଇଁ କଲେଇ ନଦୀ କୂଳକୁ ଆଣିଥିଲେ । ସେଠାରେ ୨ଟି ଗାତ ଖୋଲି ବାଣକୁ ଗାତରେ ରଖି ନିଷ୍କ୍ରିୟ କରାଯିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାର ପ୍ରଭାବ ଏତେ ଜୋର ରେ ଥିଲା ଯେ ସ୍ଥାନୀୟ ଅଞ୍ଚଳର କଲେଇ , ଟାଙ୍କୁଣି , ବଳଭଦ୍ରପୁର , କଣ୍ଟାପଡା ସହ ପ୍ରାୟ ୧୦ଟି ଗାଁରେ ଭୁକମ୍ପ ହେବା ପରି ଘର ଦୁଲୁକିଥିଲା । ଘରର କାନ୍ଥ ଫାଟିବା ସହ ଝରକା କାଚ ସ୍କାଏ ଲାଇଟ ଭାଙ୍ଗିଯାଇଛି । ପ୍ରଚଣ୍ଡ ଶବ୍ଦରେ କିଛି ଲୋକ ଚେତାଶୂନ୍ୟ ହୋଇ ପଡିଯିବା ମଧ୍ୟ ଦେଖିବାକୁ ମିଳିଥିଲା ।
ବିନା ସୂଚନା ଓ ସଚେତନତାରେ ଜନବସତି ପାଖରେ ଏମିତି ବାଣ ନିଷ୍କ୍ରିୟ କରିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରି ଅତିରିକ୍ତ ଏସ୍ପି ସମ୍ବିତ ମାଝୀଙ୍କୁ ଘେରିଥିଲେ ସ୍ଥାନୀୟ ଲୋକେ । ତେବେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଏ ବାବଦରେ ସ୍ଥାନୀୟ ସରପଞ୍ଚ କହିଛନ୍ତି କୌଣସି ସୂଚନା ଆଗରୁ ଦିଆଯାଇନଥିଲା ତେଣୁ ହଠାତ ଏପରି ଶବ୍ଦରେ ଲୋକେ ଭୟଭୀତ ହୋଇ ଘରୁ ବାହାରିଯାଇଥିଲେ । ସେପଟେ ଭଦ୍ରକ ଅତିରିକ୍ତ ଏସପି ସଫେଇ ଦେଇଛନ୍ତି କି ବାଣ ବିସ୍ପୋରଣ ରେ ୩ ଜଣଙ୍କ ମୃତ୍ୟୁ ପରେ ଜବତ୍ ବାଣ କୁ ନିଷ୍କ୍ରିୟ କରାଯାଇଛି । ସମସ୍ତ ପ୍ରକାର ନିୟମ ପାଳନ ସହ ତହସିଲ ଦ୍ଵାରା ନିର୍ଦ୍ଧାରିତ ସ୍ଥାନରେ ମାଜିଷ୍ଟ୍ରେଟ ଓ ଅଗ୍ନିଶମ ବାହିନୀ ଉପସ୍ଥିତି ରେ ବାଣ ନିଷ୍କ୍ରିୟ କରାଯାଇଛି । ଆଗକୁ ଯାହା ବି ଏପରି କାର୍ଯ୍ୟ କରାଯିବ ତା ପୂର୍ବରୁ ଗାଁ ଲୋକଙ୍କୁ ସୂଚନା ଦିଆଯିବା ସହ ସଚେତନ କରାଯିବ ।