ଆୟକର ନିୟମ ଡ୍ରାଫ୍ଟକୁ ନେଇ ପରାମର୍ଶ ଅଥବା ବିଚାର ଥିଲେ ରାୟ ରଖିବାକୁ ଫେବୃଆରୀ ୨୨ ଶେଷ ତାରିଖ

NEWS7
bjps-second-list-for-delhi-polls-out kapil-mishra-fielded-from-karawal-nagar

ନୂଆଦିଲ୍ଲୀ ୮।୨: ଦେଶର କର ପ୍ରଣାଳୀରେ ସୁଧାର ଆଣିବା ପାଇଁ ଆୟକର ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭାଗ ‘ଇନକମ୍ ଟ୍ୟାକ୍ସ ରୁଲସ୍ ୨୦୨୬’ ର ଡ୍ରାଫ୍ଟ ଜାରି କରିଛି। ଏହାକୁ ସଂସଦର ମଞ୍ଜୁରୀ ମିଳିଲେ ଆୟକର ଅଧିନିୟମ ୧୯୬୨ର ସ୍ଥାନ ନେବ। ନୂଆ ଇନକମ ଟ୍ୟାକ୍ସ ଆକ୍ଟ -୨୦୨୫ ସାରା ଦେଶରେ ୧ ଏପ୍ରିଲ ୨୦୨୬ରୁ କାର୍ଯ୍ୟକାରୀ ହେବ। ନୂଆ ପ୍ରାବଧାନ ଲାଗୁ କରିବା ପାଇଁ ନିୟମ ଓ ଟ୍ୟାକ୍ସ ଫର୍ମର ନୂଆ ଫର୍ମାଟ ତିଆରି କରାଯାଇଛି। ଆୟକର ବିଭାଗ ଏହି ଡ୍ରାଫ୍ଟକୁ ସାର୍ବଜନିକ ଡୋମେନରେ ରଖି ପାରଦର୍ଶିତା ପ୍ରଦର୍ଶନ କରିଛି। ଯାହାଦ୍ୱାରା ଇଛୁକ ବ୍ୟକ୍ତି ୨୨ ଫେବୃଆରୀ ୨୨୦୬ ସୁଦ୍ଧା ନୂଆ ଆୟକର ନିୟମକୁ ନେଇ ନିଜର ରାୟ ରଖି ପାରିବେ।

ନୂଆ ଡ୍ରାଫ୍ଟରେ ଟ୍ୟାକ୍ସ ଫାଇଲିଂକୁ ସରଳ କରିବାକୁ ଗୁରୁତ୍ୱ ଦିଆଯାଇଛି। ନିୟମର ଭାଷାକୁ ସରଳ କରାଯାଇଥିବା ବେଳେ କାଲକୁଲେସନ ବୁଝିବା ପାଇଁ ଫର୍ମୂଲା ଓ ଟେବୁଲର ଉପଯୋଗ କରାଯାଇଛି। ପୁରୁଣା ନିୟମରେ ଥିବା ଅଦରକାରୀ ଓ ଦୋହରା ପ୍ରାବଧାନକୁ ହଟାଇ ଦିଆଯାଇଛି। ଡ୍ରାଫ୍ଟରେ ନିୟମ ୫୭ ଅନୁସାରେ ବିଭିନ୍ନ ସମ୍ପତ୍ତିର ଫେୟାର ମାର୍କେଟ ଭାଲ୍ୟୁ (ଏଫଏମଭି) ନିର୍ଦ୍ଧାରଣ କରାଯିବ। ପୁରୁଣା ନିୟମ ୧୧ୟୁଏ, ୧୧ୟୁଏଏ ଓ ୧୧ ୟୁଏବି ମିସାଇ ଏବେ ଗୋଟିଏ ନିୟମରେ ରୂପାନ୍ତରିତ କରାଯାଇଛି। ଲୋକଙ୍କ ପାଖରେ ଥିବା ସ୍ୱର୍ଣ୍ଣାଳଙ୍କାରର ମୂଲ୍ୟାୟନ ଖୋଲା ବଜାରରେ ମିଳୁଥିବା ମୂଲ୍ୟକୁ ଭାଲ୍ୟୁ ମନେ କରାଯିବ। ରେଜିଷ୍ଟର୍ଡ ଡିଲରଙ୍କଠାରୁ କିଣାଯାଇଥିବା ସ୍ୱର୍ଣ୍ଣାଭୂଷଣ ଲାଗି ଇନଭଏସ୍ ମାନ୍ୟ ହେବ। ସେହିପରି ଉପହାର ଓ ଅନ୍ୟ ମାଧ୍ୟମରେ ମିଳିଥିବା ସ୍ୱର୍ଣ୍ଣାଳଙ୍କାର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେଲେ ରେଜିଷ୍ଟାର୍ଡ ଭାଲ୍ୟୁଏରଙ୍କ ରିପୋର୍ଟ ଅନିବାର୍ଯ୍ୟ ହେବ।

କେବଳ ସ୍ୱର୍ଣ୍ଣାଳଙ୍କାର ନହେଁ ଆର୍ଟ ୱାର୍କ, ସ୍କଲପଚର ଓ ଆର୍କିୟୋଲଜିକାଲ କଲେକ୍ସନ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ। ଅଚଳ ସମ୍ପତ୍ତି ଲାଗି ସମ୍ବଦ୍ଧିତ ତିଥିରେ କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଡ୍ୟୁଟି ଭାଲ୍ୟୁକୁ ଫେୟାର ମାର୍କେଟ ଭାଲ୍ୟୁ ସ୍ୱୀକାର କରାଯିବ। ସେହିପରି ଅନ୍ୟ ସମ୍ପତ୍ତି ମୂଲ୍ୟାୟନ ଖୋଲା ବଜାର ସମ୍ଭାବିତ ମୂଲ୍ୟ ଆଧାରରେ ମୂଲ୍ୟାୟନ ହେବ। ଅନ୍ୟପଟେ କ୍ୟାପିଟାଲ ଗେନ ଟ୍ୟାକ୍ସ ନିମନ୍ତେ ହୋଲ୍ଡିଂ ପିରିୟଡର ଗଣନାକୁ ନେଇ ନୂଆ ନିୟମରେ ସ୍ପଷ୍ଟତା ଅଣାଯାଇଛି।

ଯଦି ବଣ୍ଡ ବା ଡିବେଞ୍ଚର ପରେ ସେୟାରରେ କନଭର୍ଟ ହୁଏ ତାହାର ଅବଧି ମଧ୍ୟ ହୋଲ୍ଡିଂ ପିରିୟଡରେ ସାମିଲ ହେବ। ସେହିପରି ଇନକମ ଡିକ୍ଲାରେସନ ସ୍କିମ ୨୦୧୬ ଅନୁସାରେ ରେଜିଷ୍ଟର୍ଡ ଡିଲରେ ଅଚଳ ସମ୍ପତ୍ତି ଲାଗି କ୍ରୟ ତାରିଖରୁ ଅବଧି ଗଣାଯିବ। ବିଦେଶୀ କମ୍ପାନୀ ବ୍ରାଞ୍ଚରୁ ପ୍ରାପ୍ତ ସମ୍ପତ୍ତି କନଭର୍ସନ ସ୍ଥିତିରେ ପ୍ରଥମ ମାଲିକ ବା ବିଦେଶୀ ବ୍ରାଞ୍ଚ ନିକଟରେ ଥିବା ଅବଧିକୁ ଯୋଡାଯିବ। ଆୟକର ବିଭାଗର କହିବା କଥା ହେଉଛି ଏହି ପରିବର୍ତ୍ତନ ଦ୍ୱାରା ଟ୍ୟାକ୍ସ ବ୍ୟବସ୍ଥା ଅଧିକ ସରଳ ପାରଦର୍ଶି ଓ ଟେକ୍ନୋଲଜି ଆଧାରିତ ହୋଇ ପାରିବ। ଏଣୁ କରଦାତାଙ୍କୁ ଆଶ୍ୱସ୍ତି ମିଳିବ।

ଏହା ବି ପଢନ୍ତୁ:-income tax draft rules 2026: ଆୟକର ନିୟମର ଡ୍ରାଫ୍ଟ ଜାରି କଲେ ସରକାର, ନିୟମ ସଂଖ୍ୟା ୫୧୧ରୁ ୩୩୩କୁ ହ୍ରାସ