LIVE TV

ଗୌହାଟୀରେ ଲଜ୍ଜାଜନକ ପରାଜୟ : ଜାଡେଜାଙ୍କ ସଙ୍ଘର୍ଷ ବେକାର, ୪୦୮ ରନରେ ହାରିଲା ଟିମ୍ ଇଣ୍ଡିଆ

NEWS7
bjp-statewide-agitation-over-farmers-problem

ନୂଆଦିଲ୍ଲୀ, ୨୬/୧୧: ଲଜ୍ଜାଜନକ ପରାଜୟ । ଟେଷ୍ଟ୍ ମ୍ୟାଚ୍ ସହ ସିରିଜ୍ ମଧ୍ୟ ହାରିଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୌହାଟୀରେ ମାଟି କାମୁଡିଛି ଭାରତ । ଦଳ ୧୪୦ ରନରେ ଅଲଆଉଟ୍ ହୋଇଛି । ଏହାସହ ମୁକାବିଲାକୁ ୪୦୮ ରନରେ ଜିତିଛି ଦକ୍ଷିଣ ଆଫ୍ରିକା ।ଆହୁରି ମଧ୍ୟ ସିରିଜକୁ ୨-୦କେ ରବଜା କରିନେଇଛି ।

ମୁକାବିକାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ଦୁଇ ଓପନର ଭଲ ଆରମ୍ଭ କରିଥିଲେ । ୮୨ ରନରେ ଦଳର ପ୍ରଥମ ଓ୍ୱିକେଟ୍ ଝଡିଥିଲା । ଏହାପରେ କ୍ରିଜକୁ ଆସିଥିଲେ ଷ୍ଟବସ୍ । ସେ ୪୯ ରନର ଇନିଂସ ଖେଳିଥିଲେ । ତାଙ୍କ ପରେ ଟେମ୍ବା ବାଭୁମାଙ୍କ ବ୍ୟାଟରୁ ମଧ୍ୟ କିଛି ଭଲ ସର୍ଟ ଦେଖିବାକୁ ମିଳିଥିଲା । କିନ୍ତୁ ସବୁଠାରୁ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ମୁଥୁସାମୀ ଏବଂ ଜାନସେନ । ମୁଥୁସାମୀ ଶତକ କରି ୧୦୯ ରନର ଇନିଂସ ଖେଳିଥିଲେ । ଶେଷରେ ତାଙ୍କୁ ସାଥ୍ ଦେଇଥିଲେ ଜାନସେନ୍ । ବିସ୍ଫୋରକ ବ୍ୟାଟିଂ କରି ଜାନସେନ ବିସ୍ଫୋରକ ବ୍ୟାଟି କରି ୯୩ ରନର ପାଳି ଖେଳିଥିଲେ । ଫଳରେ ଦଳ ୪୮୯ ରନ୍ ସ୍କୋର୍ କରିବାରେ ସଫଳ ହୋଇଥିଲା ।

ଅନ୍ୟ ଦିଗରେ ଭାରତର ବୋଲିଂ ବିଭାଗ ମ୍ୟାଚରେ ସେତେଟା ପ୍ରଭାବି ନଥିଲା । ବୋଲରମାନେ ବ୍ରେକ୍ ଥ୍ରୁ ଦେବାରେ ବିଫଳ ହୋଇଥିଲେ । ଫଳରେ ଭ୍ରମଣକାରୀ ଦଳ ବଡ ସ୍କୋର କରିପାରିଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଦୁଇଟି ଓ୍ୱିକେଟ୍ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜସପ୍ରିତ ବୁମରାହ ଓ ମହମ୍ମଦ ସିରାଜ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

ତେବେ ପ୍ରଥମ ଇନିଂସରେ ଭାରତ ପାଇଁ ପଡିଆକୁ ଓହ୍ଲାଇଥିଲେ ଯଶସ୍ୱୀ ଜୟସ୍ୱାଲ ଏବଂ କେଏଲ ରାହୁଲ । କେଏଲ ରାହୁଲ ଭଲ ଷ୍ଟାର୍ଟ ଦେଇ ଶୀଘ୍ର ଆଉଟ ହୋଇଥିଲେ । ଏହାପରେ ଭଲ ସର୍ଟ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ ଯଶସ୍ୱୀ । ୫୮ ରନର ପାଳି ଖେଳି ସେ ମଧ୍ୟ ଆଉଟ୍ ହୋଇଥିଲେ । ତାଙ୍କ ପରେ ସାଇ ସୁଦର୍ଶନ ପ୍ୟାଭିଲିୟନ ଫେରିଥିଲେ । ସହିପରି ଧ୍ରୁବ ଜୁରେଲ ମଧ୍ୟ କିଛି କରିସ୍ମା ନକରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ବିପକ୍ଷ ଦଳର ବୋଲିଂକୁ ମୁକାବିଲା କରିପାରିନଥିଲେ । କିନ୍ତୁ ଶେଷ ଆଡକୁ ଲଡିଥିଲେ ଓ୍ୱାସିଂଟନ ସୁନ୍ଦର । ତାଙ୍କୁ ସାଥ ଦେଇଥିଲେ କୁଲଦୀପ ଯାଦବ । ଉଭୟେ କିଛି ସମୟ ଧରି ଦକ୍ଷିଣ ଆଫ୍ରିକା ବୋଲରଙ୍କ ମୁକାବିଲା କରିଥିଲେ । ଫଳରେ ଭାରତ ୨୦୧ ରନ୍ ସ୍କୋର୍ କରିପାରିଥିଲା ଏବଂ ପ୍ରଥମ ଇନିଂସରେ ଦଳ ୨୮୮ ରନରେ ପଛୁଆ ରହିଥିଲା ।

ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଦମଦାର ଆରମ୍ଭ କରିଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟର । ଓପନର ଏଡେନ୍ ମାରକ୍ରମ୍ ଏବଂ ରିୟାନ ରିକେଲଟନ୍ ଭଲ ଷ୍ଟାର୍ଟ ଦେଇଥିଲେ । ଷ୍ଟବସ୍ ମଧ୍ୟ ଭଲ ବ୍ୟାଟିଂ କରି ହାଫ୍ ସେଞ୍ଚୁରୀ ହାସଲ କରିଥିଲେ । ଫଳରେ ଦଳ ୫୪୯ ରନର ବିଜୟ ଲକ୍ଷ୍ୟ ଠିଆ କରିପାରିଥିଲା ।

ତେବେ ବିଜୟ ଲକ୍ଷ୍ୟକୁ ଚେଜ୍ କରୁଥିବା ଭାରତ ଆରମ୍ଭରୁ ଖରାପ ଖେଳିଥିଲା । ଦୁଇ ଓପନର ଯଶସ୍ୱୀ ଜୟସ୍ୱାଲ ଏବଂ କେଏଲ ରାହୁଲ ସହଜରେ ଆଉଟ ହୋଇଥିଲେ । ତିନି ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା କୁଲଦୀପ ଯାଦବ ମଧ୍ୟ ଅଧିକ ବଲ ଖେଳିପାରିନଥିଲେ । ସେହିପରି ଧ୍ରୁବ୍ ଜୁରେଲ ସଅଳ ଆଉଟ ହୋଇଥିଲେ । ପନ୍ତଙ୍କ ବ୍ୟାଟ୍ ବି ଚାଲି ନଥିଲା । ଏମିତି ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ । କିନ୍ତୁ ରବୀନ୍ଦ୍ର ଜା଼ଡେଜା ଶେଷ ଯାଏଁ ଲଢି ଅର୍ଧଶତକ ହାସଲ କରିଥିଲେ । ଗୋଟିଏ ଦିଗରେ ତାସ ଘର ଭଳି ବ୍ୟାଟର ଆଉଟ ହୋଇଥିବା ବେଳେ ଜାଡେଜା ଠିଆ ହୋଇ ରହିଥିଲେ । ଫଳରେ ଦଳ ଦ୍ୱିତୀୟ ଇନିଂସରେ ୧୪୦ ରନ୍ କରିବାରେ ସକ୍ଷମ ହୋଇଥିଲା ।ଏହାସହ ବିଜୟଠୁ ୪୦୯ ରନ ଦୂରରେ ରହିଯାଇଥିଲା ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ୱିତୀୟ ଇନିଂସରେ ସିମନ୍ ହାର୍ମର ୬ଟି ଓ୍ୱିକେଟ୍ ନେଇଥିବା ବେଳେ କେସବ ମହାରାଜ ଦୁଇଟି ଏବଂ ମାର୍କୋ ଜାନସେନ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।