ଦିଲ୍ଲୀ ପାଇଁ ବିଜେପିର ସଂକଳ୍ପ ପତ୍ର, ମହିଳାଙ୍କୁ ପ୍ରତିମାସରେ ୨୫୦୦ ଟଙ୍କା, ମାଗଣା ସିଲିଣ୍ଡର ପାଇଁ ପ୍ରତିଶ୍ରୁତି

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜ ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି । ଘୋଷଣା ପତ୍ରରେ ଦିଲ୍ଲୀବାସୀଙ୍କ ପାଇଁ ଅନେକ ବଡ଼ ପ୍ରତିଶ୍ରୁତି ଦେଇଛି ଏବଂ ଆଗକୁ ଆହୁରି ଘୋଷଣା ହେବ ବୋଲି ଦଳ କହିଛି । ସଂକଳ୍ପ ପତ୍ରର ପ୍ରଥମ ଭାଗରେ ବିଜେପି ମହିଳାଙ୍କ ଉପରେ ଅଧିକ ଫୋକସ ଦେଇଛି । ବିଜେପି କହିଛି ଯେ ଦିଲ୍ଲୀରେ ସରକାର ଗଠନ ହେବା ପରେ ମହିଳାଙ୍କୁ ପ୍ରତିମାସରେ ୨୫୦୦ ଟଙ୍କା ଦିଆଯିବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଜାରି କରି କହିଛନ୍ତି ଯେ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ମହିଳା ସମୃଦ୍ଧ ଯୋଜନାକୁ ଅନୁମୋଦନ ଦିଆଯିବ । ଏହା ବ୍ୟତୀତ ଶସ୍ତାରେ ସିଲିଣ୍ଡର ଦେବା ପାଇଁ ଦଳ ପ୍ରତିଶ୍ରୁତି ଦେଇଛି । ଏହାସହ ବର୍ତ୍ତମାନ ସରକାରଙ୍କ ଯୋଜନାକୁ ବନ୍ଦ କରାଯିବନି ବୋଲି ବିଜେପି ସ୍ପଷ୍ଟ କରିଛି ।

୫୦୦ ଟଙ୍କାରେ ସିଲିଣ୍ଡର, ଦୁଇଟି ମାଗଣା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଗରିବ ପରିବାରଙ୍କୁ ଏଲପିଜି ସିଲିଣ୍ଡର ଉପରେ ରହାତି ଦିଆଯିବ । ୫୦୦ ଟଙ୍କାରେ ସିଲିଣ୍ଡର ଦିଆଯିବ । ହୋଲି ଏବଂ ଦୀପାବଳିରେ ବର୍ଷକୁ ଦୁଇଟି ସିଲିଣ୍ଡର ମାଗଣାରେ ଦିଆଯିବ ।

ଗର୍ଭବତୀଙ୍କୁ ୨୧ ହଜାର ଟଙ୍କା ସହାୟତା

ଜେପି ନଡ୍ଡା କହିଛନ୍ତି ଯେ ମାତୃ ସୁରକ୍ଷା ଯୋଜନାକୁ ଅଧିକ ମଜଭୁତ କରିବା ପାଇଁ ଅଛଟି ପୁଷ୍ଟିକର କିଟ୍ ଦିଆଯିବ । ସବୁ ଗର୍ଭବତୀଙ୍କୁ ୨୧ ହଜାର ଟଙ୍କାର ଦିଆଯିବ ।

ଆୟୁଷ୍ମାନ ଯୋଜନା ଲାଗୁ ହେବ, ୧୦ ଲକ୍ଷ ଟଙ୍କାର ବୀମା

ବିଜେପି ଅଧ୍ୟକ୍ଷ କହିଛନ୍ତି ଯେ ଦିଲ୍ଲୀରେ ବିଜେପି ସରକାର ଗଠନ ହେବା ପରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ । ଆୟୁଷ୍ମାନ ଯୋଜନାକୁ ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ଲାଗୁ କରାଯିବ । ଏଥିରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଅତିରିକ୍ତ କଭର୍ ଦିଆଯିବ । ଯାହାର ଲାଭ ୫୧ ଲକ୍ଷ ଲୋକଙ୍କୁ ମିଳିବ । ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦିଆଯିବ ।

ପେନସନ୍ ଟଙ୍କା ବଢିବ

ଜେପି ନଡ୍ଡା ଘୋଷଣା କରିଛନ୍ତି ଯେ ୬୦-୭୦ ବର୍ଷ ବୟସର ବରିଷ୍ଠ ନାଗରିକଙ୍କୁ ୨୫୦୦ ଟଙ୍କା ପେନ୍‌ସନ୍ ଦିଆଯିବ । ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୦୦୦ ଟଙ୍କା ପେନ୍‌ସନ୍ ଦିଆଯିବ । ସେହିପରି ବସ୍ତିରେ ରହୁଥିବା ଲୋକଙ୍କୁ ୫ ଟଙ୍କାରେ ପେଟପୁରା ଖାଦ୍ୟ ଦେବା ପାଇଁ ଅଟଳ କ୍ୟାଣ୍ଟିନ୍ ଯୋଜନା ଆରମ୍ଭ କରାଯିବ ।

୧.୮୦ ଲକ୍ଷ ଲୋକଙ୍କ ଫିଡ୍‌ବ୍ୟାକ୍ ଆଧାରରେ ସଂକଳ୍ପ ପତ୍ର ପ୍ରସ୍ତୁତ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ମହିଳା, ଯୁବ ପିଢି, ବସ୍ତିରେ ରହୁଥିବା ଲୋକ, ଅଣସଂଗଠିତ ଶ୍ରମିକ, ମଧ୍ୟମ ବର୍ଗ, ବ୍ୟବସାୟୀ ବର୍ଗଙ୍କ ସହ ବିଚାରବିମର୍ଶ କରାଯାଇଛି । ପ୍ରାୟ ୧.୮୦ ଲକ୍ଷ ଫିଡ୍‌ବ୍ୟାକ୍ ମିଳିଛି । ପ୍ରାୟ ୬୨ ଗୋଷ୍ଠୀ ସହ ସିଧା ଚର୍ଚ୍ଚା ହୋଇଛି । ୧୨ ହଜାର ଛୋଟ ବଡ଼ ସଭା କରାଯାଇଛି । ୪୧ ଏଲ୍‌ଇଡି ଭ୍ୟାନ୍ ମାଧ୍ୟମରେ ନେତାମାନେ ସମସ୍ତଙ୍କ ସହ ଚର୍ଚ୍ଚା କରିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.