ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ପରିସର ଗୁରୁବାର ରଣକ୍ଷେତ୍ର ପାଲଟିଥିଲା । ଏଠାରେ ଦୁଇ ବିଧାୟକଙ୍କ ବିବାଦ ଏତେ ବଢିଥିଲା ଯେ, ଶେଷରେ କଥା ହାତ ଉଠାଉଠି ପର୍ଯ୍ୟନ୍ତ ଯାଇଥିଲା । ବିଜେପି ଓ ଏନସିପି (ଶରଦ ପାୱାର)ଙ୍କ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ବିଜେପି ବିଧାୟକ ଗୋପୀଚାନ୍ଦ ପଡଲକର ଓ ଏନସିପି (ଶରଦ ପାୱାର) ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କ ସମର୍ଥକଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମତଭେଦ ଚାଲିଛି, ଯାହା ଆଜି ହିଂସାର ରୂପ ନେଇଥିଲା । କିଛି ଦିନ ପୂର୍ବେ ଗେଟ୍ ନିକଟରେ ଦୁହେଁ ପରସ୍ପରକୁ ଗାଳିଗୁଲଜ କରିଥିଲେ, ଯାହା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଅଧିକ ବଢିଥିଲା ।
ଏହି ଘଟଣା ଆହ୍ୱାଡଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତେଜନାପୂର୍ଣ୍ଣ ଟିପ୍ପଣୀ ଯୋଗୁଁ ହୋଇଥିଲା । ବିଧାନସଭା ପରିସରରେ ରେଡ୍ କାର୍ପେଟରେ ଚାଲି ଯାଉଥିବା ଜଣେ ମହିଳାଙ୍କ ମଙ୍ଗଳସୂତ୍ରକୁ ନେଇ ଟିପ୍ପଣୀ କରିଥିଲେ । ତାଙ୍କ ଏହି ଟିପ୍ପଣୀକୁ ପଡଲକରଙ୍କ ଉପରେ କଟାକ୍ଷ ରୂପେ ଦେଖାଯାଇଥିଲା । ତେବେ ଆହ୍ୱାଡ କାହାର ବି ନାଁ ନେଇ ନଥିଲେ ।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ କହିଛନ୍ତି, ବିଧାନ ଭବନରେ ଏହିପରି ମାରପିଟ୍ କରିବା ଠିକ୍ ନୁହେଁ । ଗଣ୍ଡଗୋଳ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ବିଜେପି ବିଧାୟକ ଗୋପୀଚନ୍ଦ ପଡଲକରଙ୍କ ସହ ବିଧାନସଭା ଲବିରେ ମାଡ଼ ମରାଯାଇଛି, ଏହାର ତଦନ୍ତ ହେବା ଦରକାର ବୋଲି ବିଧାୟକ ସଞ୍ଜୟ ଉପାଧ୍ୟାୟ ବିଧାନସଭାରେ ଦାବି କରିଥିଲେ । ଏହା ଉପରେ ବାଚସ୍ପତି ନାର୍ଭେକର ତଦନ୍ତ କରିବା ନେଇ ଭରାସ ଦେଇଥିଲେ ।
ବିଧାନସଭା ପରିସରରରେ ମାରପିଟ୍ ଉପରେ ଉଦ୍ଧବ ଠାକରେ କହିଛନ୍ତି, ଏହି ଗୁଣ୍ଡମାନଙ୍କୁ ବିଧାନସଭା ପରିସରକୁ ଆସିବା ପାଇଁ ପାସ୍ କିଏ ଦେଲା ? ବିଧାନସଭା ପରିସରରେ ଏପରି ଘଟଣା ଗ୍ରହଣୀୟ ନୁହେଁ ଓ ବାଚସ୍ପତି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ।