ଇସଲାମାବାଦ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିଜେପି ପ୍ରବକ୍ତା ଶାହନୱାଜ ହୁସେନ୍ଙ୍କ ବ୍ୟାଙ୍ଗବାଣ। କହିଲେ ଭୟରେ ଏମିତି ବାଉଳି ହେଇଛି ପାକିସ୍ତାନ। ପାକ୍ ପ୍ରତିରକ୍ଷା ମନ୍ତ୍ରୀ କେବଳ ନାମକୁ ମାତ୍ର ରହିଛନ୍ତି। ତାଙ୍କୁ ଖାଲି ବିବୃତ୍ତି ଦେବା ପାଇଁ ରଖାଯାଇଛି ବୋଲି କହିଛନ୍ତି ବିଜେପି ପ୍ରବକ୍ତା।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ ସିନ୍ଧୁ ନଦୀ ଜଳକୁ ଶନିବାର ଭାରତକୁ ଧମକ ଦେବା ପରେ ଏଭଳି ଜବାବୀ ହମଲା କରିଛନ୍ତି ଶାହନୱାଜ୍। ଅସିଫଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶାହନୱାଜ ହୁସେନ କହିଛନ୍ତି ଯେ ଏପରି "ଫାଙ୍କା ଧମକ" କେବଳ ପାକିସ୍ତାନୀମାନଙ୍କ ମଧ୍ୟରେ ଭୟକୁ ଦର୍ଶାଉଛି। ସେ କହିଛନ୍ତି "ଖ୍ୱାଜା ଅସିଫ ଭୟର ଥରୁଥିବା ଦେଖାଯାଉଛି। ସେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ସତ ହେଲେ ତାଙ୍କ ହାତରେ କୌଣସି ନିୟନ୍ତ୍ରଣ ନାହିଁ। ସେ କେବଳ ଜଣେ ବିବୃତ୍ତି ଦେଇପାରୁଥିବା ମନ୍ତ୍ରୀ। ତେଣୁ ସବୁବେଳେ ଫମ୍ପା ଧମକ ଦେଉଛନ୍ତି। ପାକିସ୍ତାନୀଙ୍କ ମଧ୍ୟରେ ଭୟ ସ୍ପଷ୍ଟ ଭାବରେ ଦେଖାଯାଉଛି। ସେମାନଙ୍କୁ ରାତିରେ ନିଦ ହେଉନି।"
ଶନିବାର ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ଅସିଫ କହିଛନ୍ତି ଯେ ଯଦି ଭାରତ ପାକିସ୍ତାନର ଭାଗର ସିନ୍ଧୁ ନଦୀ ଜଳକୁ ଅଲଗା ଆଡ଼କୁ ମୋଡ଼ିବାକୁ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କଲା ତେବେ ତାକୁ ମିସାଇଲ୍ ମାଡ଼ କରି ନଷ୍ଟ କରିଦିଆଯିବ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପାକିସ୍ତାନ ନେତାମାନେ ଏଭଳି ବୟାନ ଦେବା ଜାରି ରଖିଛନ୍ତି।
ପଢିଲେ- ଆକ୍ସନ ପୂର୍ବରୁ ୩୦ ମିନିଟ୍ ଆଲୋଚନା; ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ
ସୂଚନା ଥାଉକି ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ଏହି ଚୁକ୍ତି ଅନୁସାରେ ନଦୀର ୮୦% ପାଣି ପାକିସ୍ତାନର କୃଷି ଜମି ପାଇଁ ଯାଇଥାଏ। ଖ୍ୱାଜା ଅସିଫ ପୂର୍ବରୁ ମଧ୍ୟ ଏଭଳି ଅନେକ ଉତ୍ତେଜନାପୂର୍ଣ୍ଣ ବୟାନ ଦେବା ଜାରି ରଖିଛନ୍ତି। ସିନ୍ଧୁ ନଦୀ ଜଳ ରୋକିଲେ ଏହାକୁ ଯୁଦ୍ଧର ଘୋଷଣା ବୋଲି ଧରି ନିଆଯିବ ବୋଲି ଅସିଫ ପୂର୍ବରୁ କହି ସାରିଛନ୍ତି। ଏଥର ସେ ମିଡିଆକୁ ସାକ୍ଷାତ୍କାର ଦେଇ ସମାନ କଥା ଦୋହରାଇଛନ୍ତି।
ମିଡିଆ ସାକ୍ଷାତ୍କାରରେ ଅସିଫଙ୍କୁ ପଚରାଯାଇଥିଲା ଯେ ଯଦି ଭାରତ ଜଳ ରୋକିବାକୁ ସିନ୍ଧୁ ନଦୀ ଅବବାହିକାରେ ବନ୍ଧ ନିର୍ମାଣ କରିବାକୁ ଆଗେଇ ଆସେ, ତେବେ ପାକିସ୍ତାନର ପ୍ରତିକ୍ରିୟା କ’ଣ ହେବ? ଜବାବରେ ଆସିଫ କହିଥିଲେ "ଏହା ପାକିସ୍ତାନ ବିରୁଦ୍ଧରେ ଆକ୍ରମଣ ବୋଲି ଧରି ନିଆଯିବ। ଯଦିଓ ସେମାନେ (ଭାରତ) ଏହି ପ୍ରକାରର ନିର୍ମାଣ କରିବାକୁ ପ୍ରୟାସ କରନ୍ତି, ତେବେ ପାକିସ୍ତାନ ସେହି ତାକୁ ଉଡ଼ାଇ ଦେବ।"