ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଦେଓରଞ୍ଜନ କୁମାର ସିଂହ, କହିଲେ- 'ବହୁ ଜନ ହିତାୟ, ବହୁ ଜନ ସୁଖାୟ’ ହେବ ମୋର ମନ୍ତ୍ର

NEWS7
bjp-leader-now-questioned-on-yogi-governments-for-corona-miss-management

ଭୁବନେଶ୍ବର ୨।୧: ବହୁ ଜନ ହିତାୟ ବହୁ ଜନ ସୁଖାୟ ହେବ ମୋର ମନ୍ତ୍ର । ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବା ପରେ ଏମିତି କହିଛନ୍ତି ଦେଓରଞ୍ଜନ କୁମାର ସିଂହ । ଶୁକ୍ରବାର ଉନ୍ନୟନ କମିଶନର ଭାବେ ବିଧିବଦ୍ଧ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହ । ମୁଖ୍ୟ ଶାସନ ସଚିବ ଭାବରେ ଅନୁ ଗର୍ଗ ଦାୟିତ୍ଵ ନେବା ପରେ ରାଜ୍ୟ ସରକାର ଉନ୍ନୟନ କମିଶନର ଭାବରେ ଦେଓରଞ୍ଜନ ସିଂହଙ୍କୁ ଦାୟିତ୍ଵ ଦେଇଥିଲେ । ଦେଓରଞ୍ଜନ ସିଂହ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱରେ ରହିବେ ।

ଦାୟିତ୍ୱ ନେବା ପରେ ଦେଓରଞ୍ଜନ ସିଂହ କହିଛନ୍ତି, ମୋ ଉପରେ ବିଶ୍ଵାସ ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଓଡ଼ିଶା ବିକାଶର ଏବେ ନୂଆ ଅଧ୍ୟାୟ ଲେଖାଯାଉଛି । ୨୦୩୬ ସୁଦ୍ଧା ଓଡ଼ିଶା ସମୃଦ୍ଧ ହେବ । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବିକଶିତ ଓଡ଼ିଶା ୨୦୩୬ ଗଠନ ପାଇଁ ଆମେମାନେ କାମ କରିବୁ । ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହାକୁ ସୁରୁଖୁରୁରେ ପାଳନ କରିବାକୁ ଚେଷ୍ଟା କରିବୁ । ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିବାର ଅଭିଜ୍ଞତା ରହିଛି । ତେଣୁ ଜିଲ୍ଲା ସ୍ତରର ସମସ୍ୟା ବିଷୟରେ ଅବଗତ ଅଛି ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ନୂଆବର୍ଷର ପ୍ରଥମ ଦିନରେ ହିଁ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଥିଲେ । ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିଶନର ଭାବେ ୧୯୯୩ ବ୍ୟାଚର ବରିଷ୍ଠ ପ୍ରଶାସକ ଦେଓରଞ୍ଜନ କୁମାର ସିଂହଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ ।