କଟକ: ଜନ ବହୁଳ ଅଞ୍ଚଳରେ ତିଆରି ହୋଇଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ସାରା ସହରର ବାତାବରଣକୁ ଦୁର୍ଗନ୍ଧମୟ କରିଛି। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହାଇକୋର୍ଟ ମଧ୍ୟ ମାସେ ତଳେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ମଧ୍ୟ ବିକଳ୍ପ ସ୍ଥାନ ଯୋଗାଇ ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ସିଏମସି କର୍ତ୍ତୃପକ୍ଷ ଚୌଧୁରୀ ବଜାର ଭଳି ଜନବହୁଳ ଅଞ୍ଚଳରେ ଥିବା କମ୍ପୋଷ୍ଟ ପ୍ଲାଣ୍ଟକୁ ସ୍ଥାନାନ୍ତର କରୁନାହିଁ । ଯାହାର ପ୍ରତିବାଦରେ ଶନିବାର ବିଜେପିର ଏକ ପ୍ରତନିଧି ଦଳ ସିଏମସି କମିଶନରଙ୍କୁ ଭେଟି ଏସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି।
ଏନେଇ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସମ୍ପାଦକ ଗଗନ ଓଝା କହିଛନ୍ତି, କଟକ ମହାନଗର ନିଗମର ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ଏକ ଏମସିସି ରହିଛି । ଯେଉଁଠାରୁ ବାହାରୁଥିବା ଦୁର୍ଗନ୍ଧ ଖୁବ୍ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି।ଦୁର୍ଗନ୍ଧ ଯୋଗୁ ବୃଦ୍ଧ ବ୍ୟକ୍ତି ତଥା ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ତେଣୁ ଏହାକୁ ତୁରନ୍ତ ସ୍ଥାନାନ୍ତର କରାଯିବାର ଆବଶ୍ୟକତା ରହିଛି।
ସେପଟେ ସିଏମସି କମିଶନର କହିଛନ୍ତି ଏଦିଗରେ ପଦକ୍ଷେପ ନିଆଯାଉଛି। ଖୁବ୍ ଶୀଘ୍ର ଦିଆଯାଇଥିବା ଜମି ଚାରିପାଖେ ପାଚେରୀ ନିର୍ମାଣ ହେବ ଏବଂ କାମ ଆରମ୍ଭ ହୋଇଯିବ। ଆଉ ସହର ଭିତରେ ଥିବା ଏମସିସିଗୁଡ଼ିକୁ ସହର ବାହାରକୁ ନିଆଯିବ।