ଭୁବନେଶ୍ବର ୨।୬: ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବ୍ଲକ୍ ସଭାପତି ବିଭୁ ପ୍ରସାଦ ଦେହୁରୀ । ଢ଼େଙ୍କାନାଳ ସଦର ବ୍ଲକ୍ର ପୂର୍ବତନ ବିଜେଡି ସଭାପତିଙ୍କୁ ନିଲମ୍ବନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।
ଅନ୍ୟପଟେ କିଛିଦିନ ତଳେ ବିସ୍ଫୋରକ ବୟାନ ରଖିଥିଲେ ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି । ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବୈଠକକୁ ନେଇ ପ୍ରଶ୍ନ ଉଠାଇଥିଲେ ସୁନୀଲ । ଦଳୀୟ ବୈଠକ ଶଙ୍ଖ ଭବନ ଛଡା ହୋଟେଲ ରେଷ୍ଟୁରାଣ୍ଟ ଓ କାହା ଘରେ ହେବନାହିଁ ବୋଲି ନବୀନ ପଟ୍ଟନାୟକ କହିଥିଲେ । କାହା ଘରେ ଦଳୀୟ ବୈଠକ ହେଲେ ଆମେ ତାକୁ ଦଳୀୟ ବୈଠକ ମାନୁନା । ଜଣେ ଦୁଇ ଜଣଙ୍କୁ ନେଇ ଯଦି ଜିଲ୍ଲାର ବୈଠକ ହେବ ତାହାକୁ ବୈଠକରେ ଗଣାଯିବ ନାହିଁ ବୋଲି ସେ ଗଣମାଧ୍ୟମରେ କହିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ବିଜେଡିକୁ ବିଶୃଙ୍ଖଳିତ କରିବା ପାଇଁ ଦଳ ଭିତରେ ପ୍ରୟାସ ହେଉଛି । ସେମାନଙ୍କ ପ୍ରୟାସ କେବେ ସଫଳ ହେବନି । ଦଳରେ କୁଚକ୍ରୀ ଗୋଷ୍ଠୀ ଅଛନ୍ତି । ଏହା ସବୁ ଦଳରେ ଥାଆନ୍ତି । ବିଜେଡି ଏକ ଶୃଙ୍ଖଳିତ ଦଳ । ଆମର ନେତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଦଳକୁ ବିଶୃଙ୍ଖଳା କରିବାକୁ ଚେଷ୍ଟା କରାଯାଉଛି ।
ସେ କହିଥିଲେ, କେହି ଇଞ୍ଚେ ବି ପୁରୀ ନିର୍ବାଚନ ମଣ୍ଡଳୀ ଓ ପୁରୀ ଜିଲ୍ଲାରେ ଦଳର କ୍ଷତି କରିପାରିବେ ନାହିଁ । କୁଚକ୍ରୀ କିଏ ସମସ୍ତେ ଜାଣିଛନ୍ତି । କାହା ନାଁ ନେଲେ ସିଏ ବଡ଼ ହେଇଯିବ ଆମେ ଛୋଟ ହେଇଯିବୁ । ୨୪ ନିର୍ବାଚନରେ ଅନେକ ନେତା ହାରିଲେ । ମୋତେ ପୁରୀରେ ହରାଇବା ପାଇଁ ବହୁତ ଚେଷ୍ଟା ହୋଇଛି । କୁଚକ୍ରୀ ସବୁ ଦଳରେ ଥାଆନ୍ତି ଆମ ଦଳରେ ବି ଅଛନ୍ତି । ଅନେକ ଆଶାୟୀ ଥିଲେ । ସମସ୍ତେ ଜଣଙ୍କ ପଛରେ ଲାଗିବା ପ୍ରୟାସ ଆରମ୍ଭ କଲେଣି । ସମସ୍ତଙ୍କୁ ନେଇ ବୈଠକ କରାଯାଉ ବୋଲି ସେ ମତ ଦେଇଥିଲେ ।
You Can Read: