ଭୁବନେଶ୍ବର: FM କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ କରିଛନ୍ତି। ବିରୋଧୀ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଏହି ଆନ୍ଦୋଳନ କରୁଥିବା କହୁଥିବାବେଳେ, ବିଜେପି ଏହାକୁ ସମାଲୋଚନା କରିଛି। ତେବେ ଏହାରି ମଧ୍ୟରେ ଗୁରୁବାର ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯାହା ପରେ ପୁଣି ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ଜୋର ଧରିଛି।
ଅପରାଜିତାଙ୍କ ପ୍ରେସମିଟ୍କୁ କାଉଣ୍ଟ କରିଛି ବିଜେଡି। ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ‘‘ ଅତ୍ୟନ୍ତ ଦୁଃଖର କଥା, ଯେଉଁ ଭଉଣୀ ୭ ମାସ ଲଢ଼େଇ କଲା। ନ୍ୟାୟ ପାଇଁ ବାର ଦୁଆର ହେଲା। ନ୍ୟାୟ କେହି ଦେଇ ପାରିଲେ ନାହିଁ। ଆତ୍ମଦାହ କରି ଜୀବନ ଘାରିଦେଲା। ତାଙ୍କ ପରିବାର ପାଇଁ ସମବେଦନା ଜଣାଇବ ପରିବର୍ତ୍ତେ ଶସ୍ତା ରାଜନୀତି କରୁଛନ୍ତି । ଗୋଟେ ବ୍ୟବସ୍ଥାକୁ ବାରମ୍ବାର କହି କହି ଥକିଗଲା। ଅଭାବନୀୟ ଘଟଣା ଶୁଣିନଥିଲୁ। ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।’’
‘‘ ବିଜେପି ସମବେଦନା ଜଣାଇବା ପରିବର୍ତ୍ତେ ଶସ୍ତା ଏବଂ ଅତିଅପରିପକ୍ବ, ହିନ ରାଜନୀତି କରୁଛନ୍ତି । ଆପଣଙ୍କ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ତୁଟିଗଲାଣି । ଅପରିପକ୍ବ କଥା କହି ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଏହି କଥାକୁ ଘଣ୍ଟ ଘୋଡ଼ାଉଛନ୍ତି। ବିଚାର ବିଭାଗୀୟ ତଦନ୍ତ ଦାବି କରୁଛି ବିଜେଡି। ଉଚ୍ଚ ଶକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ପରିବାରକୁ ଦୁଇ କୋଟି ଦିଅନ୍ତୁ ।ଗୋଟେ ଫୁଟ ଓଭର ବ୍ରିଜ କରିଦେଇ ଜଣେ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରୁଛନ୍ତି ।’’
ସେହିଭଳି ବିଜେଡି ନେତ୍ରୀ ରାଜଶ୍ରୀ ମଲିକ କହିଛନ୍ତି, ‘‘ସାଂସଦ ଅପରାଜିତା ଯେଉଁ ପ୍ରେସମିଟ୍ କରିଛନ୍ତି ତାହାକୁ ନେଇ ଆମେ ଦୁଃଖ ପ୍ରକାଶ କରୁଛୁ। ଏହାକୁ ବିଜେଡି ଦୃଢ଼ ଭାବରେ ନିନ୍ଦା କରୁଛି । ଜଣେ ମହିଳା ହୋଇ ଏମିତି ହିନ ରାଜନୀତି କରୁଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।’’
ଆହୁରି ପଢ଼ନ୍ତୁ: ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ, କହିଲେ ଶାସନରେ ଥିବାବେଳେ କେତେ ଶୁଣୁଥିଲ ?