ବୁଧବାର ବିଜେଡି ପକ୍ଷରୁ ବାଲେଶ୍ବର ବନ୍ଦ ଡାକରା, ଚାଲୁ ରହିବ ଜରୁରୀ ସେବା

Published By : Prameya-News7 Bureau | July 15, 2025 IST

ବାଲେଶ୍ବର ୧୫।୭: ବୁଧବାର ବାଲେଶ୍ବର ବନ୍ଦ । ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବୁଧବାର ବିଜେଡି ପକ୍ଷରୁ ୮ ଘଣ୍ଟିଆ ବାଲେଶ୍ବର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟା ଠାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଏହି ସମୟରେ ଜରୁରୀ ସେବା ଚାଲୁ ରହିବ । ମାତ୍ର ବନ୍ଦ ସମୟରେ ଦୋକାନ ବଜାର, ଗାଡିମଟର, ବସ୍, ଟ୍ରେନ୍, ସ୍କୁଲ ଓ କଲେଜ ବନ୍ଦ ରହିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ବିଜେଡି ସୂଚନା ଦେଇଛି । ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛି ବିଜେଡି । ଛାତ୍ରୀ ସୌମ୍ୟାଶ୍ରୀ ଅଧ୍ୟାପକଙ୍କ ଅତ୍ୟାଚାର ସହିପାରି ନଥିଲେ । ଏ ବିଷୟରେ ମହାବିଦ୍ୟାଳୟ, ଥାନା, ସାଂସଦ ସମସ୍ତଙ୍କୁ ଜଣାଇଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳିନଥିଲା । ଶେଷରେ ନ୍ୟାୟ ପାଇଁ ନିଜେ ନିଜକୁ ଜାଳିଦେଇଥିଲେ । ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଦାବିରେ ବୁଧବାର ବିଜେଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବ ।


ସେପଟେ ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟିଛନ୍ତି ବିଜେଡ଼ି ପ୍ରତିନିଧି ଦଳ । ପରିବାରକୁ ଭେଟିବା ପରେ ବିଜେଡ଼ି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, ଏ ଘଟଣା ପଛରେ ରାଜନୀତି ରହିଛି । କେବଳ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ଦୋଷୀ ନୁହଁନ୍ତି । ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ରହିଛି । ଥାନାରେ ଏଫଆଇଆର ହେଲା ନାହିଁ, ଏସ୍‌ପି ପଦକ୍ଷେପ ନେଲେ ନାହିଁ । ତେଣୁ ଏ ଘଟଣାର ନାୟିକ ତଦନ୍ତ କରାଯାଉ । ତା ହେଲେ ସମସ୍ତ ଦୋଷୀ ଧରାପଡ଼ିବେ ।

ବରିଷ୍ଠ ବିଜେଡ଼ି ନେତା ରବୀନ୍ଦ୍ର ଜେନା କହିଛନ୍ତି, ସୌମ୍ୟାଶ୍ରୀଙ୍କୁ କିଏ ପେଟ୍ରୋଲ ଦେଲା, କିଏ ଭିଡିଓ ଉଠାଉଥିଲା, କିଏ ତାଙ୍କୁ ଉସକାଉଥିଲା ଏସବୁର ତଦନ୍ତ ହେବା ଦରକାର । ଏହା ପଛରେ ରାଜନୀତି ରହିଛି 

ବୋଲି ରବୀନ୍ଦ୍ର ଜେନା କହିଛନ୍ତି ।

You Can Read:

ଆତ୍ମାହୁତି ସ୍ଥିତି ସୃଷ୍ଟି କରିଥିବା ବ୍ୟକ୍ତି ବି ଆସିବେ ତଦନ୍ତ ପରିସରକୁ, ସରକାରଙ୍କ ଲକ୍ଷ୍ୟ ପୀଡିତାଙ୍କୁ ନ୍ୟାୟ

  • odisha
  • OdishaNews
  • BJD
  • FM College Student Death
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.