LIVE TV

IND vs SA: ଶୁଭମନ ଦିଲ୍ ଖେଳିବେନି ଦିନିକିଆ ସିରିଜ୍ ! କେଏଲ୍ ରାହୁଲଙ୍କୁ ମିଳିପାରେ କ୍ୟାପ୍ଟେନ୍ସି

NEWS7
bird-flu-fear-in-two-more-village-of-krushnaprasad-block

ନୂଆଦିଲ୍ଲୀ: ଶୁଭମନ ଗିଲ୍ ଆଘାତ ଯୋଗୁ ଗୌହାଟୀରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳୁନାହାଁନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଦଳର ଅଧିନାୟକତ୍ୱ କରୁଛନ୍ତି । କୋଲକାତାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଗିଲଙ୍କ ବେକରେ ଆଘାତ ଲାଗିଥିଲା । ଖେଳ ପ୍ରେମୀଙ୍କ ମନରେ ଗିଲ ଏକଦିବସୀୟ ସିରିଜରେ ଖେଳିବା ଉପରେ ଅନେକ ପ୍ରଶ୍ନ ରହିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସୁଛି ।

ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳିବେ । ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୩୦ରୁ ରାଞ୍ଚିରେ ଖେଳାଯିବ । ଏହି ସିରିଜରେ ଗିଲଙ୍କ ଖେଳିବା ଅସମ୍ଭବ ମନେ ହେଉଛି ।

ବରିଷ୍ଠ କ୍ରୀଡା ସମ୍ପାଦକ ଅଭିଷେକ ତ୍ରିପାଠୀଙ୍କ ଅନୁଯାୟୀ, ଶୁଭମନ ଗିଲ ଦିନିକିଆ ସିରିଜରେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ କେଏଲ ରାହୁଲ କ୍ୟାପ୍ଟେନ ହୋଇପାରନ୍ତି । ରାହୁଲ ପୂର୍ବରୁ ଦଳର ଅଧିନାୟକତ୍ୱ କରିସାରିଛନ୍ତି । ଅଜିତ୍ ଅଗରକରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଚୟନ କମିଟି ରବିବାର ଦଳ ଘୋଷଣା କରିବ ବୋଲି ଆଶା କରାଯାଉଛି । ଗିଲ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି ଏବଂ ମେରୁଦଣ୍ଡ ବିଶେଷଜ୍ଞ ଅଭୟ ନେନେଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଛି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଖେଳିପାରିବେ ନାହିଁ ।

ଏହି ସିରିଜରେ ପୁଣିଥରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଯୋଡ଼ି ଦେଖିବାକୁ ମିଳିବ । ସେମାନେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦିନିକିଆ ସିରିଜରେ ଟିମର ସଦସ୍ୟ ଥିଲେ । ଉଭୟ ଏବେ କେବଳ ଏକଦିବସୀୟ ମ୍ୟାଚ୍ ଖେଳନ୍ତି । କ୍ରୀଡ଼ା ପ୍ରେମୀ ଏହି ଦୁଇ ମହାନ ଖେଳାଳିଙ୍କୁ ପୁଣି ଥରେ ଗ୍ରାଉଣ୍ଡରେ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତ ସମୟରେ ଗିଲଙ୍କୁ ପ୍ରଥମ ଥର ପାଇଁ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ରୋହିତ ଶର୍ମାଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଗିଲ୍ କ୍ୟାପ୍ଟେନ୍ସିର ପ୍ରଥମ ମ୍ୟାଚରେ ପରାଜୟ ଦେଖିଥିଲେ । ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଥିଲା । ଗିଲ୍ ଟି-ଟ୍ୱେଣ୍ଟି ଦଳର ଉପ-ଅଧିନାୟକ ମଧ୍ୟ ଅଛନ୍ତି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଫିଟ୍ ହେବେ କି ନାହିଁ ତାହା ଦେଖିବାକୁ ବାକି ଅଛି।