ନୂଆଦିଲ୍ଲୀ: ଏକଦା ଦୁନିଆ ସବୁଠୁ ଧନୀ ଥିବା ବିଲ୍ ଗେଟ୍ସ, ଦୁନିଆର ଶୀର୍ଷ ୧୦ ଧନୀ ତାଲିକାରୁ ବାଦ ପଡ଼ିଛନ୍ତି । ତାଙ୍କର ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ତାଙ୍କ ପୂର୍ବତନ ସହଯୋଗୀ ତଥା ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ଷ୍ଟିଭ୍ ବଲମେରଙ୍କଠାରୁ ବି କମ ହୋଇଛି । ଗେଟ୍ସଙ୍କ ଦାନକୁ ପ୍ରତିଫଳିତ କରିବା ପାଇଁ ପୁନଃଗଣନା କରାଯିବା ପରେ ଏହି ପରିବର୍ତ୍ତନ ଆସିଛି । ଗେଟ୍ସଙ୍କ ସମ୍ପତ୍ତି ପ୍ରାୟ ୫୨ ବିଲିୟନ ଡାଲର ହ୍ରାସ ପାଇଛି । ଗତ ୭ ଦିନରେ ପ୍ରାୟ ୩୦% କମିଛି । ସମ୍ପତ୍ତି ପୁନଃଆକଳନ ପରେ ଏହା ୧୭୫ ବିଲିୟନ ଡାଲରୁ ଖସି ୧୨୪ ବିଲିୟନ ଡଲାର ହୋଇଛି । ଏହାପରେ ବ୍ଲୁମବର୍ଗ ବିଲିୟୋନେୟର୍ସ ଇଣ୍ଡେକ୍ସରେ ପଞ୍ଚମ ସ୍ଥାନରୁ ଦ୍ୱାଦଶ ସ୍ଥାନକୁ ଖସିଛନ୍ତି । ୧୭୨ ବିଲିୟନ ଡଲାର ସମ୍ପତ୍ତି ସହ ଷ୍ଟିଭ୍ ବଲମେର ପଞ୍ଚମ ସ୍ଥାନରେ ରହିଛନ୍ତି ।
ଆଲ୍ଫାବେଟ୍ର ସହ-ପ୍ରତିଷ୍ଠାତା ଲାରି ପେଜ୍ ଏବଂ ସେର୍ଗେ ବ୍ରିନ୍, ଏନ୍ଭିଡିଆ ସିଇଓ ଜେନ୍ସେନ୍ ହୁଆଙ୍ଗ ଏବଂ ୱାରେନ୍ ବଫେଟଙ୍କଠାରୁ ପଛରେ ବି ସେ ପଡ଼ିଛନ୍ତି । ମେ ମାସରେ ଏକ ବ୍ଲଗ୍ ପୋଷ୍ଟରେ ବିଲ୍ ଗେଟ୍ସ ଉଲ୍ଲେଖ କରିଥିଲେ ଯେ ତାଙ୍କର ମୋଟ ସମ୍ପତ୍ତି ୧୦୮ ବିଲିୟନ ଡଲାର ଏବଂ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ପ୍ରାୟ ସମସ୍ତ ସମ୍ପତ୍ତି ଗେଟ୍ସ ଫାଉଣ୍ଡେସନ ମାଧ୍ୟମରେ ଦାନ କରିବାକୁ ପ୍ରତିବଦ୍ଧ ଅଛନ୍ତି । ସେ କହିଥିଲେ ଯେ ଫାଉଣ୍ଡେସନ ୨୦୪୫ରେ ବନ୍ଦ ହେବା ପୂର୍ବରୁ ୨୦୦ ବିଲିୟନ ଡଲାରୁ ଅଧିକ ଖର୍ଚ୍ଚ କରିବ ।
ଗେଟ୍ସ ଫାଉଣ୍ଡେସନର ୱେବସାଇଟ ଅନୁଯାୟୀ, ଗେଟ୍ସ ଏବଂ ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ଫାଉଣ୍ଡେସନକୁ ମୋଟ ୬୦ ବିଲିୟନ ଡଲାର ଦାନ କରିଥିଲେ । ସେତେବେଳେ ୱାରେନ୍ ବଫେଟ୍ ୪୩ ବିଲିୟନ ଦାନ କରିଥିଲେ । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଗେଟ୍ସଙ୍କ ପାଖରେ ବର୍ତ୍ତମାନ ମାଇକ୍ରୋସଫ୍ଟର ପ୍ରାୟ ୧% ଅଂଶ ଅଛି । କମ୍ପାନୀରୁ ୬୦ ବିଲିୟନ ଡଲାରରୁ ଅଧିକ ଷ୍ଟକ୍ ଏବଂ ଲାଭାଂଶ ପାଇଛନ୍ତି । ତାଙ୍କର ଅଧିକାଂଶ ସମ୍ପତ୍ତି ବର୍ତ୍ତମାନ କାସକେଡ୍ ଇନଭେଷ୍ଟମେଣ୍ଟ ଦ୍ୱାରା ପରିଚାଳିତ ହେଉଛି ।
ରିପୋର୍ଟ ଅନୁଯାୟୀ, କମ୍ପାନିର ପୂର୍ବତନ କର୍ମଚାରୀ ବଲମେର ଏବେ ଗେଟ୍ସଙ୍କ ତୁଳନାରେ ଅଧିକ ଧନୀ । ଯାହା କମ୍ପାନୀର ପ୍ରତିଷ୍ଠାତାଙ୍କ ତୁଳନାରେ ଜଣେ ପୂର୍ବତନ କର୍ମଚାରୀଙ୍କ ପାଇଁ ଏକ ଅସାଧାରଣ ସଫଳତା । ବଲମେର ୨୦୦୦ ମସିହାରେ ସିଇଓ ହୋଇଥିଲେ ଏବଂ ୨୦୧୪ ମସିହାରେ ୪% ଅଂଶଧନ ସହିତ କମ୍ପାନି ଛାଡ଼ିଥିଲେ ।