ଆନ୍ଧ୍ର ପ୍ରଦେଶରେ ଚାଞ୍ଚଲ୍ୟ; ବିଷାକ୍ତ କ୍ଷୀର ନେଲା ୪ ଜଣକ ଜୀବନ, ମିଶିଥିଲା ...

NEWS7
biker-lost-life-after-collision-between-bus-and-bike-in-jajpur

ନୂଆଦିଲ୍ଲୀ: ବିଷାକ୍ତ କ୍ଷୀର ପିଇ ଚାଲିଗଲା ୪ ଜଣକ ଜୀବନ। ୧୨ ଏବେବି ଲଢ଼ୁଛନ୍ତି ମୃତ୍ୟୁ ସହ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ରାଜା ମେହନ୍ଦ୍ରବରମ ଅଞ୍ଚଳରେ। ଏଠାରେ ଅପମିଶ୍ରିତ କ୍ଷୀର ପିଇ ଚାରି ଜଣକ ଜୀବନ ଯାଇଥିବାବେଳେ ୧୨ ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମୃତକଙ୍କ ପରିଜନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବେଆଇନ ଦୁଗ୍ଧ ବିକ୍ରେତାଙ୍କ ଠାରୁ ଅପମିଶ୍ରିତ କ୍ଷୀର ପିଇ ଲୋକେ ଅସୁସ୍ଥ ହୋଇପଡ଼ିଛନ୍ତି। ଜଣାପଡ଼ିଛି କ୍ଷୀରରେ ଡିଟରଜେଣ୍ଟ (ଲୁଗା ସଫା ପାଇଁ ବ୍ୟବହୃତ ହେଉଥିବା ପାଉଡର) ଏବଂ ୟୁରିଆ ଭଳି ସାମଗ୍ରୀ ମିଶିଥିବାରୁ ଏଭଳି ସ୍ଥିତି ହୋଇଛି।

ପ୍ରକୃତରେ ଫେବ୍ରୁଆରୀ ୧୬ରେ ରାଜାମହେନ୍ଦ୍ରବରମର ଚୌଦେଶ୍ବରୀ ନଗର ଅଞ୍ଚଳରେ କିଛି ଲୋକଙ୍କୁ କିଡନୀ ସମସ୍ୟା ମାମଲା ସାମ୍ନାକୁ ଆସିଥିଲା। ହେଲେ ଏହା ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ୫ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ୪ ଜଣକ ମୃତ୍ୟୁ ଘଟିଥିଲା।

ପୂର୍ବ ଗୋଦାବରୀ ଜିଲ୍ଲା ଏସପି ଡି ନରସିମ୍ହା କିଶୋର କହିଛନ୍ତି ଯେ, ୪ ମୃତକଙ୍କ ଚୌଦେଶ୍ବରୀ ନଗରର। ଅପମିଶ୍ରିତ କ୍ଷୀର ପିଇବା ପରେ ରୋଗୀଙ୍କୁ ବାନ୍ତି, ପେଟ ଯନ୍ତ୍ରଣା ଏବଂ କିଡନୀ ସମସ୍ୟା ହୋଇଥିଲା। ଏହା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୧୨ ଜଣ ଏବେବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୀଡ଼ିତଙ୍କ ପରିଜନଙ୍କୁ ଅଭିଯୋଗ ଆଧାରରେ ପୋଲିସ ଡାଏରୀ ପରିଚାଳକଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ପୋଲିସର କହିବା ଅନୁସାରେ, ପୀଡ଼ିତଙ୍କ ଠାରୁ ନିଆଯାଇଥିବା ନମୁନାକୁ ଟେଷ୍ଟ ପାଇଁ ହାଇଦ୍ରାବାଦ ଏବଂ ବିଶାଖାପାଟଣାକୁ ପଠାଯାଇଛି। ରିପୋର୍ଟରେ ଅପମିଶ୍ରିତ ଜଣାପଡ଼ିଲେ ଡାଏରୀ ମାଲିକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।