ବିହାର ୧୦/୦୬: ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କର, ପ୍ରଚୁର ଟଙ୍କା ରୋଜଗାର କର । ହାଜର କି ଦୁଇ ହଜାର ନୁହେଁ ଏକାଥରେ ୫ ଲକ୍ଷ । ଏହା ଥିଲା ସେମାନଙ୍କର ବ୍ୟବସାୟ । ଯାହା ଜରିଆରେ କରୁଥିଲେ ପ୍ରଚୁର ଅର୍ଥ ଉପାର୍ଜନ । ଲୋକଙ୍କୁ ଠକିବାର ତାଙ୍କର ତରିକା ଥିଲା ପୁରା ଅଲଗା । ଏବେ ଖେଳ ଖତମ୍ । ପୋଲିସ ହାତରେ ଧରାପଡିଛନ୍ତି ଏମିତି କିଛି ପେସାଦାର ଅପରାଧୀ । ବଡ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ବିହାର ପୋଲିସ । ସାଂଘାତିକ ଅଭିଯୋଗ ପରେ ତିନି ଜଣଙ୍କୁ ବାନ୍ଧିଛି ପୋଲିସ ।
ସୂଚନା ଥାଉକି, ବିହାର ନୱାଡା ଜିଲ୍ଲାର ନାର୍ଡିଗଞ୍ଜ ଉପଖଣ୍ଡର କହୁଆରା ଗ୍ରାମରୁ ଭୟଙ୍କର ଠକେଇ ନେଇ ଆସିଥିଲା ଅଭିଯୋଗ । ପୋଲିସ କହିବା ମୁତାବକ ଅପରାଧୀଙ୍କ ମେନ୍ ଟାର୍ଗେଟ ଥିଲା ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇ ଗର୍ଭବତୀ କରିବା । ଯେଉଁଠି ସେମାନେ ବିଫଳ ହେଉଥିଲେ, ଗ୍ରାହକମାନଙ୍କୁ ୫୦,୦୦୦ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତିଶ୍ରୁତି ଦେବାକୁ ପଛାଉନଥିଲେ । ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
କହିବାକୁ ଗଲେ ଅପରାଧୀଙ୍କ ପେସା ଥିଲା 'ଅଲ୍ ଇଣ୍ଡିଆ ପ୍ରେଗନେଣ୍ଟ ଜବ୍ ସର୍ଭିସ୍' । ଏମିତିକି ସେମାନେ 'ପ୍ଲେ-ବୟ ସେବା' ବି କରନ୍ତି । ପ୍ରଥମେ ସେମାନେ ଫେସବୁକରେ ବିଜ୍ଞାପନ ଦିଅନ୍ତି । ଏହା ପରେ ଅନେକ ଲୋକ ସେମାନଙ୍କୁ ଫୋନ୍ କରନ୍ତି । ପଞ୍ଜିକରଣ ନାମରେ, ଏହି ଲୋକମାନେ ସମ୍ଭାବ୍ୟ ଗ୍ରାହକଙ୍କ ପ୍ୟାନ୍ କାର୍ଡ, ଆଧାର କାର୍ଡ, ସେଲ୍ଫି ମାଗନ୍ତି । ତା'ପରେ ସେମାନେ ପଞ୍ଜିକରଣ ଓ ହୋଟେଲ ବୁକିଂ ନାମରେ ଏହି ପ୍ରଲୋଭନର ଫାଶରେ ପଡ଼ିଥିବା ଲୋକଙ୍କଠାରୁ ଟଙ୍କା ଆଦାୟ କରନ୍ତି ।
ଏ ନେଇ ଖୁଲାସା କରିଛନ୍ତି ପୋଲିସ ଉପ-ସୁପରିଣ୍ଟେଣ୍ଡେଣ୍ଟ ଇମ୍ରାନ ପରଭେଜ । ଖାଲି ସେତିକି ନୁହେଁ ଅନେକ ଗ୍ରାହକଙ୍କୁ ସେମାନେ ବ୍ଲାକମେଲ୍ କରୁଥିଲେ ବୋଲି ପୋଲିସ କହିଛି। ଏହି ଗ୍ୟାଙ୍ଗ ସାରା ଦେଶରେ 'ଅଲ୍ ଇଣ୍ଡିଆ ପ୍ରେଗନେଣ୍ଟ ଜବ୍ ସର୍ଭିସ୍' ଓ ଟେଲିକମ୍ କମ୍ପାନୀ ନାମରେ ଲୋକଙ୍କୁ ଠକୁଥିଲା । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପ୍ରିନ୍ସ ରାଜ, ଭୋଳା କୁମାର ଓ ରାହୁଲ କୁମାର ।
ଅଭିଯୁକ୍ତମାନଙ୍କଠାରୁ ଛଅଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଯାହା ମାଧ୍ୟମରେ ହ୍ୱାଟସଆପ୍ ଚାଟ୍, ଗ୍ରାହକଙ୍କ ଫଟୋ, ଅଡିଓ ରେକର୍ଡିଂ ଓ ବ୍ୟାଙ୍କ ଟ୍ରାଞ୍ଜାକସନ୍ ତଥ୍ୟ ହାସଲ କରାଯାଇଛି । ଆଗକୁ ଏହି ଗ୍ୟାଙ୍ଗରେ ଆଉ କିଏ ସାମିଲ ଅଛନ୍ତି କି ନାହିଁ ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।