ପୁରୀ ସମୁଦ୍ରରେ ଜଳକ୍ରୀଡ଼ା ବେଳେ ବଡ଼ ଅଘଟଣ, ଅଳ୍ପକେ ବର୍ତ୍ତିଲେ ସୌରଭ ଗାଙ୍ଗୁଲିଙ୍କ ଭାଇ ଭାଉଜ

Published By : Prameya-News7 Bureau | May 25, 2025 IST

ପୁରୀ: ପର୍ଯ୍ୟଟକଙ୍କ ଜୀବନ ସହ ଖେଳ। ପୁରୀ ବେଳାଭୂମିରେ ବେଆଇନ୍ ଭାବେ ଚାଲିଛି ବିଭିନ୍ନ ଜଳକ୍ରୀଡ଼ା। ଶନିବାର ସନ୍ଧ୍ୟାରେ ଏହି ଜଳକ୍ରୀଡ଼ା ବେଳେ ଘଟିଛି ବଡ଼ ଅଘଟଣ, ଯେଉଁଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ସ୍ତ୍ରୀ ଅର୍ପିତା ଗାଙ୍ଗୁଲି। ଆଉ ଏହି ଦୁଇ ଜଣ ହେଉଛନ୍ତି ଖୋଦ୍ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ। ଉପସ୍ଥିତ ଲାଇଫ ଗାର୍ଡ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ତେଣୁ ଏଠାରେ ବେଆଇନ୍ ଭାବେ ଚାଲିଥିବା ସାମୁଦ୍ରିକ ଜଳକ୍ରୀଡାକୁ ବନ୍ଦ ପାଇଁ ଦାବି ହୋଇଛି। 

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଲାଇଟ ହାଉସ ନିକଟ ହୋଟେଲ ସୋନାର ବାଙ୍ଗଲା ସମ୍ମୁଖ ବେଳାଭୂମିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ବୋଟ ବ୍ୟବସାୟ କରୁଥିବା ସଂସ୍ଥାର ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁ ସ୍ପିଡ ବୋଟଟି ଭାରସାମ୍ୟ ହରାଇ ଗଭୀର ସମୁଦ୍ରରେ ଓଲଟି ପଡିଥିବା ଅଭିଯୋଗ ହୋଇଛି। ଆବଶ୍ୟକ ଗାଇଡଲାଇନ ସ୍କାଏ ରାଇଡର କମ୍ପାନୀ ମାନୁନଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସ୍କାଏ ରାଇଡର ସଂସ୍ଥା ବିପଦ ଜନକ ଭାବେ ସମୁଦ୍ରରେ ପର୍ଯ୍ୟଟକଙ୍କୁ ନେଇ ଜଳକ୍ରୀଡ଼ା କରାଉଥିବା ଘଟଣା ସାମ୍ନାକୁ ଆସିଛି। 

ତେବେ ସ୍କାଏ ରାଇଡର ସଂସ୍ଥା କିଭଳି ଜିଲ୍ଲା ପ୍ରଶାସନକୁ ବେଖାତିର କରି ପର୍ଯ୍ୟଟକଙ୍କୁ ନେଇ ଓ୍ବାଟର ସ୍ପୋର୍ଟସ ଗେମ୍ ବ୍ୟବସାୟ ଚଳାଇଛି ତା'କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କାଏ ରାଇଡର କମ୍ପାନୀ ପଛରେ କେଉଁ ବଡ଼ବଡ଼ିଆ ଅଧିକାରୀଙ୍କ ହାତ ରହିଛି? ଆମେ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.