ଭୁବନେଶ୍ବର: ଅଧିକ ଲାଭ ଲୋଭରେ ଯାତ୍ରା ପେଣ୍ଡାଲରେ ଆଉ ଚଳିବନି ଆଇଟମ ଗାର୍ଲଙ୍କ ଅଶ୍ଲୀଳ ନୃତ୍ୟ। ଗାଁ ହେଉକି ସହର କେଉଁଠି ବି ଯାତ୍ରା ପେଣ୍ଡାଲରେ ଚାଲିବନି ନଗ୍ନ ନୃତ୍ୟ । ୨୦୨୫-୨୬ ଅପେରା ସିଜିନ ପୂର୍ବରୁ ସରକାର ଆଣିବାକୁ ଯାଉଥିବା ଯାତ୍ରା ଏସଓପି ପୁର୍ବରୁ ବଡ ନିଷ୍ପତ୍ତି ନେଲା ଯାତ୍ରା କମିଟି ସୁରକ୍ଷା ମଞ୍ଚ ଓ ଓଡ଼ିଶା ଯାତ୍ରା ମାଲିକ ସଂଘ । ଏଣିକି ଅଧିକ ଟଙ୍କା ଲୋଭରେ ଯାତ୍ରା ମଞ୍ଚରେ ଆଇଟମ ଗାର୍ଲଙ୍କୁ ନଚାଇ ପାରିବେନି ଯାତ୍ରା କମିଟି କି ଯାତ୍ରା ପାର୍ଟି ।
ଆଇଟମ ଗାର୍ଲଙ୍କ ପ୍ରଦର୍ଶନ ବାହାନାରେ ଟିକେଟର ଚଢ଼ା ଦର କଷି ଯାତ୍ରା ପ୍ରେମୀଙ୍କୁ ଶୋଷଣ ଆଉ ଚଳିବନି। ଏନେଇ ୱର୍କିଙ୍ଗ କମିଟି ସହ ଯାତ୍ରା ଶୃଙ୍ଖଳା କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚ ଓ ଓଡ଼ିଶା ଯାତ୍ରା ମାଲିକ ସଂଘ। ଆଇଟମ ବଦଳରେ ବଳିଷ୍ଠକାହାଣୀ ଓ ବିଷୟ ବସ୍ତୁ ଓ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ କିଭଳି ଆକୃଷ୍ଟ କରିହେବ ସେ ନେଇ ନିଷ୍ପତ୍ତି ନିଆଯାଇଛି। ଯାତ୍ରା ପାର୍ଟି ରାତି ପିଛା ବୁକିଂର ସର୍ବନିମ୍ନ ଓ ସର୍ବାଧିକ ବୁକିଂ ଦର ନେଇ ମଧ୍ୟ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର ଏକ ୱର୍କିଙ୍ଗ କମିଟି ସହ ଯାତ୍ରା ଶୃଙ୍ଖଳା କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଯାତ୍ରା ବୁକିଂ ଓ ଟଙ୍କା ନେଣ ଦେଣକୁ ନେଇ ଅପେରା ମାଲିକ ଓ ଯାତ୍ରା କମିଟି ମଧ୍ୟରେ ଦେଖାଦେଉଥିବା ବିବାଦ କମିବ। ଟିକେଟ ଦର ଅଧିକ ହେଉଥିବାରୁ ଯାତ୍ରା ଦେଖିବାକୁ ଚାହୁଁଥିବା ଦର୍ଶକ ଯାଇ ପାରୁନାହାନ୍ତି। ଭଲ କଳାକାରଙ୍କୁ ନିଜ ପାର୍ଟିକୁ ଆଣିବାକୁ ଯାତ୍ରା ମାଲିକଙ୍କ ମଧ୍ୟରେ ଦେଖା ଦେଉଥିବା ପ୍ରତିଯୋଗିତାରୁ ଆର୍ଥିକ ବୋଝ ଦର୍ଶକଙ୍କ ଉପରେ ପଡୁଛି। ଯାହା ଫଳରେ ସାଧାରଣ ଯାତ୍ରା ପ୍ରେମୀ ଟିକେଟ୍ ଦାମ ଚଢା ଯୋଗୁଁ ଯାତ୍ରା ଦେଖିବାରୁ ନିରାଶ ହେଉଛନ୍ତି । ଖୁବ ଶିଘ୍ର ଟିକେଟର ସର୍ବନିମ୍ନ ଓ ସର୍ବାର୍ଧିକ ଦର ନେଇ ନିଷ୍ପତ୍ତି ନିଆଯିବ ।