ମହାଦେବ ବେଟିଂ ଆପ ମାମଲାରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, ୫୭୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଫ୍ରିଜ୍

Published By : Prameya-News7 Bureau | April 21, 2025 IST

ନୂଆଦିଲ୍ଲୀ ୨୧।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଅନଲାଇନ ସଟ୍ଟା ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ଯାଞ୍ଚ ଏଜେନ୍ସୀ ୫୭୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିକୁ ଫ୍ରିଜ କରିଦେଇଛି। ଇଡି ପିଏମଏଲଏ ଅନୁସାରେ ଏପ୍ରିଲ ୧୬ ତାରିଖ ଦିନ ଦିଲ୍ଲୀ, ମୁମ୍ବାଇ, ଇନ୍ଦୋର, ଅହମଦାବାଦ, ଚଣ୍ଡିଗଡ଼, ଚେନ୍ନାଇ ଏବଂ ଓଡିଶାର ସମ୍ବଲପୁର ଜିଲ୍ଲାର ଅନେକ ଠିକଣାରେ ଚଢଉ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ଇଡି ନଗଦ ୩.୨୯ କୋଟି ଟଙ୍କା ଜବତ କରିଥିଲା। 

ତେବେ ଇଡି କାର୍ଯ୍ୟାନୁଷ୍ଠାନରେ ୫୭୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସିକ୍ୟୁରିଟିଜ, ବଣ୍ଡ ଓ ଡିମାଟ ଆକାଉଣ୍ଟ ଫ୍ରିଜ ହୋଇଛି। ଏହା ଛଡା ଇଡି ବହୁ ସଂଖ୍ୟାରେ ଆପତ୍ତିଜନକ କାଗଜପତ୍ର ଓ ଇଲୋକ୍ଟ୍ରୋନିକ ପ୍ରମାଣ ମଧ୍ୟ ଜବତ କରିଛି। ଇଡି ସୋମବାର କହିଛି ଯେ ମହାଦେବ ଆପ ଯାହା ବର୍ତ୍ତମାନ ପାଖାପାଖି ୬ ହଜାର କୋଟି ଟଙ୍କାର ଅନଲାଇନ ସଟ୍ଟା ଚଳାଇବା ପାଇଁ ତଦନ୍ତାଧୀନ ଅଛି ଭାରତୀୟ ସେୟାର ବଜାରରେ ଅପରାଧିକ ଆୟର ନିବେଶ କରୁଥିଲା। 

ଏଥି ପାଇଁ କିଛି ସୂଚୀବଦ୍ଧ କମ୍ପାନୀଙ୍କ ପ୍ରମୋଟର ସେୟରବଜାର ହେରଫେର ଲାଗି ତଦନ୍ତ ପରିସରକୁ ଆସିଛନ୍ତି। ଇଡି ଯାଞ୍ଚରୁ ଏ କଥା ସାମ୍ନାକୁ ଆସିଛି ଯେ ମହାଦେବ ଅନଲାଇନ ବୁକ୍ ବେଟିଂ ଆପ୍ ଏକ ଏପରି ସିଣ୍ଡିକେଟ୍ ଯାହା ଅନଲାଇନ ଜୁଆ ପାଇଁ ପ୍ଲାଟଫର୍ମ ଯୋଗାଇ ଦେଉଥିଲା। ଏହି ନେଟୱାର୍କ ମାଧ୍ୟମରେ ବିପୁଳ କଳାଧନ ଅର୍ଜିତ କରାଯାଇଛି, ଯାହାକୁ ବେନାମୀ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦେଶ ଓ ବିଦେଶକୁ ପଠାଯାଇଛି। ଯାଞ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ଏହି ଅବୈଧ ଅର୍ଥକୁ ଭାରତ ବାହାରକୁ ମରିସସ ଓ ଦୁବାଇ ଭଳି ଦେଶକୁ ପଠାଯାଇ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ଙ୍କ ନାମରେ ଦ୍ୱିତୀୟବାର ସେୟାର ବଜାରରେ ଲଗାଯାଇଛି। 

ଏହି ପଇସାକୁ ଏସଏମଇ ସେକ୍ଟରର କିଛି କମ୍ପାନୀଙ୍କ ସେୟାର ମୂଲ୍ୟରେ ଆର୍ଟିଫିସିଆଲ ବଢାଚଢା କରି ନିବେଶକଙ୍କୁ ଧୋକା ଦିଆଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ଇଡି ୧୭୦ରୁ ଅଧିକ ଠିକଣାରେ ଚଢଉ କରିଛି। ଏହି ଚଢଉବେଳେ ଜବତ ୩୦୦୨.୪୭ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ କରାଯାଇଛି। ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୩ ଜଣଙ୍କୁ ଗିରଫ କରାଯାଇଛି ଓ ୪୭ ସଂସ୍ଥାଙ୍କୁ ଅଭିଯୁକ୍ତ କରାଯାଇଛି। ମହାଦେବ ଅନଲାଇନ ବେଟିଂ ଆପ ମାମଲା ଏବେ ଏକ ମଲ୍ଟି ଲେୟର ଅର୍ଥନୈତିକ ହେରଫେର ରୂପେ ସାମ୍ନାକୁ ଆସିଛି। ଇଡି ଲଗାତାର ଏହି ମାମଲାର ଯାଞ୍ଚ କରୁଛି।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.