Live Live
LIVE

ବରୁଣ ଖେଳିବେ କି ନାହିଁ ? ବଡ଼ ଅପଡେଟ୍ ଦେଲେ ସୂର୍ଯ୍ୟକୁମାର ଯାଦବ

NEWS7
bhutan-king-took-a-holy-dip-in-sangam

ଅହମ୍ମଦାବାଦ: ଟି-୨୦ ବିଶ୍ଵକପର ଟାଇଟଲ୍ ମୁକାବିଲା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜର ଖେଳାଳିଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟ ଦଳର ମାହୋଲ ବହୁତ ସକରାତ୍ମକ ଓ ଆତ୍ମବିଶ୍ଵାସ ଥିବା କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଟିମ୍ ବ୍ୟକ୍ତିଗତ ପ୍ରଦର୍ଶନ ପରିବର୍ତ୍ତେ ସାମୂହିକ ପ୍ରୟାସ ଉପରେ ଧ୍ୟାନ ଦେଉଛି। ସେ ବିରୋଧୀଙ୍କୁ ଚେତାବନୀ ଦେଇ କହିଛନ୍ତି, ଘରୋଇ ମଇଦାନରେ ଖେଳିବାର ଏକ ସ୍ଵତନ୍ତ୍ର ଅନୁଭବ ରହିଥାଏ। ପୂରା ଟିମ୍ ଏହି ଐତିହାସିକ ସୁଯୋଗ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଓ ଉତ୍ସାହିତ।

ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ନିକଟ ଫର୍ମକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ସୂର୍ଯ୍ୟକୁମାର ରୋକଠୋକ୍ ଜବାବ ଦେଇଛନ୍ତି। ସେ କହିଛନ୍ତି, ଦଳରେ କୌଣସି ଖେଳାଳିଙ୍କ ଫର୍ମକୁ ନେଇ କିଛି ଚିନ୍ତା ନାହିଁ। କାରଣ କ୍ରିକେଟ୍ ଏକ ଦଳଗତ ଖେଳ। ଯେବେ ଟିମ୍ ଜିତୁଛି ତେବେ ବ୍ୟକ୍ତିଗତ ଖରାପ ପ୍ରଦର୍ଶନ ଗୁରୁତ୍ଵ ରଖେନି। ବରୁଣଙ୍କ ସାମର୍ଥ୍ୟ ଉପରେ ଭରସା ପ୍ରକାଶ କରି ସୂର୍ଯ୍ୟ କହିଛନ୍ତି, ଚିନ୍ତା କରିବାର କୌଣସି କାରଣ ନାହିଁ। ସେ ବିଶ୍ଵର ଏକ ନମ୍ବର ବୋଲର। ତାଙ୍କୁ ଜଣା ଯେ, କେଉଁ ମ୍ୟାଚରେ କେମିତି ପ୍ରଦର୍ଶନ କରାଯିବ। ସେ ଜୋର ଦେଇ କହିଛନ୍ତି, ଯଦି କୌଣସି ଖେଳାଳିଙ୍କ ଦିନ ଖରାପ ରହେ ତେବେ ଦଳର ବାକି ଖେଳାଳି ତାଙ୍କୁ କଭର କରିବା ପାଇଁ ସର୍ବଦା ପ୍ରସ୍ତୁତ।

ଏହି ସମୟରେ, ଏକ ସଦ୍ୟତମ ଅପଡେଟ୍ ସାମ୍ନାକୁ ଆସିଛି। ବରୁଣ ଚକ୍ରବର୍ତ୍ତୀ ସାଧାରଣତଃ ପ୍ରଶିକ୍ଷଣ ଅଧିବେଶନ ସମୟରେ ପଡ଼ିଆକୁ ଆଗେ ଆସିଥାନ୍ତି। କିନ୍ତୁ ଟିମ୍ ଇଣ୍ଡିଆ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପହଞ୍ଚିଥିଲା। ଅନ୍ୟ ଖେଳାଳିମାନେ ଅଭ୍ୟାସ କରିବା ସମୟରେ ବରୁଣ ଚକ୍ରବର୍ତ୍ତୀ ପଛରେ ଠିଆ ହୋଇଥିଲେ। ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେ କୁଲଦୀପ ଯାଦବ ନେଟ୍ସରେ ଅଭ୍ୟାସ କରିବା ପାଇଁ ଶୀଘ୍ର ପହଞ୍ଚିବା ପ୍ରଥମ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ଏହା ସୂଚାଇ ଦେଉଛି ଯେ କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରିବା ପାଇଁ ବିଚାର କରାଯାଇପାରେ।