ନୂଆଦିଲ୍ଲୀ ୦୬/୦୫: ପହଲଗାମର ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି ଭାରତ । ହାଇ ଆର୍ଲଟରେ ରହିଛି ବାୟୁସେନା । ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ଫ୍ରାନ୍ସରୁ ଆସିଥିବା ରାଫେଲ୍ ଯୁଦ୍ଧବିମାନ । ପଞ୍ଜାବରେ ବ୍ଲାକ୍ଆଉଟ୍ ଅପରେସନ କରିଛି ସେନା । ୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଭାରତ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ରାତିରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି । ତେବେ ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଇତିହାସ ଅନେକ । ଥରେ କି ଦୁଇଥର ନୁହେଁ ବାରମ୍ୱାର ପରାଜୟ ।
ଭାରତଠୁ ୪ ଥର ଯୁଦ୍ଧରେ ହାରିଛି ସୈତାନ ପାକିସ୍ତାନ । ତଥାପି ମୁହଁ ଫୁଟାଣି କମୁନି । ସତ ବାରଣ ସତ୍ତ୍ୱେ ଭାରତକୁ ଦେଇଚାଲିଛି ଆଘାତ । ଭାରତ ବିପକ୍ଷରେ ଯୁଦ୍ଧ କରିବାକୁ ତୟାର । ଖୋଲାଖୋଲି ଧମକ ଦେଇ ଦେଖାଉଛି ନାଲିଆଖି । କିନ୍ତୁ ପାକିସ୍ତାନ ସେନା ବୋଧହୁଏ ଭୁଲିଯାଇଛି ୧୯୭୧ ମସିହାର କାହାଣୀ । ଯେଉଁଥିରେ ପାଣି ପିଆଇଥିଲେ ୩୦୦ ଭାରତୀୟ ମହିଳା । ମହିଳାଙ୍କ ସାହସ ଆଗରେ ପରାସ୍ତ ହୋଇଥିଲା ପାକ୍ ।
୧୯୭୧, ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିଲା ଘମାଘୋଟ ଟକ୍କର । ଡିସେମ୍ବର ୮ରେ ଗୁଜରାଟର ଭୁଜ୍ ରେ ଥିବା ବାୟୁସେନା ଷ୍ଟେସନ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ଦୁଇ ସପ୍ତାହ ମଧ୍ୟରେ ୩୫ରୁ ଅଧିକ ବିମାନ ଆକ୍ରମଣ କରାଯାଇଥିଲା । ବୋମା-ରକେଟ୍ ମାଡ଼ରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ରନୱେ । ପାକିସ୍ତାନକୁ ମୁହଁତୋଡ ଜବାବ ଦେବା ପାଇଁ ରନୱେର ମରାମତି କରିବା ଥିଲା ବହୁତ ଗୁରୁତ୍ୱପୂର୍ଣ୍ଣ । ସଂକଟରେ ପଡିଯାଇଥିଲେ ଭୁଜ୍ ବାୟୁସେନା ଷ୍ଟେସନ କମାଣ୍ଡର ଏବଂ ସ୍କ୍ୱାଡ୍ରନ୍ ଲିଡର ବିଜୟ କୁମାର କର୍ଣ୍ଣିକ । କାରଣ ହାତରେ ସମୟ କମ୍ ଥିବାରୁ ରନଓ୍ୱେ କାମ ସାରିବା ଥିଲା ଅସମ୍ଭବ । ଏମିତିକି ବାୟୁସେନା ଓ ବିଏସଏଫ ପାଖରେ ପର୍ଯ୍ୟାପ୍ତ ସୈନିକ ବି ନଥିଲେ।
ଏତେବଡ ସଙ୍କଟକୁ ପାର୍ କରିବାକୁ ଆଗେଇ ଆସିଥିଲେ ମାଧପୁର ଗାଁର ୩୦୦ ସାହସୀ ମହିଳା । ଅଣ୍ଟାରେ ଲୁଗାଭିଡି ଶତ୍ରକୁ ମାତ୍ ଦେବାକୁ ସେନା ସହ ମିଶି ଆରମ୍ଭ କରିଥିଲେ ଅପରେସନ । ରାତାରାତି ସେନା ସହ ମିଶି ରନୱେ ମରାମତି କରିଥିଲେ ମହିଳା । ସିମେଣ୍ଟ, ମୋର୍ଟାର ଯୋଗାଣ ଠାରୁ ଆରମ୍ଭ କରି ରନୱେ ମରାମତି ।
ମହିଳାମାନଙ୍କ ପ୍ରୟାସରେ ତିନି ଦିନ ମଧ୍ୟରେ, ଭାରତୀୟ ବାୟୁସେନାର ଯୁଦ୍ଧ ବିମାନଗୁଡ଼ିକ ସେଠାରେ ଅବତରଣ କରିଥିଲା । ଯାହାକୁ ୧୯୬୫ ଯୁଦ୍ଧର ପର୍ଲ ହାର୍ବର ପରି ସ୍ଥିତି ବୋଲି ବିବେଚନା କରାଯାଏ । ରିପୋର୍ଟ କୁହେ ମହିଳାମାନେ ସେମାନଙ୍କ ପିଲାଙ୍କ ଚିନ୍ତା ନକରି ବାୟୁସେନାକୁ ସାହାଯ୍ୟ କରିଥିଲେ। ସବୁଜ ଶାଢ଼ି ପିନ୍ଧିଥିଲେ, ଯାହା ପାକିସ୍ତାନୀ ବାୟୁସେନା ସହଜରେ ଦେଖିପାରିନଥିଲା । ଆକ୍ରମଣ ସମୟରେ ବୁଦା ଭିତରେ ଅତି ସହଜରେ ଲୁଚି ରହୁଥିଲେ ସେମାନେ ।
ରନୱେ ମରାମତି ହେବା ମାତ୍ରେ, ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଶତ୍ରୁକୁ ଆଗକୁ ବଢ଼ିବାରୁ ଅଟକାଇଥିଲେ । ଏହାସହ ପ୍ରତିଆକ୍ରମଣ କରି ପାକିସ୍ତାନୀ ସେନାର ଭାଙ୍ଗି ଦେଇଥିଲେ ମନୋବଳ । ଡିସେମ୍ବର ୩ ତାରିଖରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଡିସେମ୍ବର ୧୬ ତାରିଖରେ ପାକିସ୍ତାନୀ ସେନାର ଆତ୍ମସମର୍ପଣ ସହିତ ହୋଇଥିଲା ଶେଷ ।
ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଭୁଜର ଏହି ମହିଳାଙ୍କ ଶକ୍ତିକୁ ସ୍ୱୀକାର କରିଥିଲେ। ସେ ମାଧା ଗାଁକୁ ଯାଇ ଏହି ମହିଳାମାନଙ୍କୁ ଉପହାର ଦେଇ ସମ୍ମାନିତ କଲେ। ୨୦୧୮ ମସିହାରେ ଏଠାରେ ଏକ ବୀରାଙ୍ଗନା ସ୍ମାରକୀ ନିର୍ମାଣ କରି ମୋଦି ସରକାର ସେହି ମହିଳାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାହାଣୀ ଉପରେ ଏକ ୱେବ୍ ସିରିଜ୍ ଭୁଜ-ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ ବି ନିର୍ମିତ ।