ଆମେରିକାକୁ ହରାଇ ଐତିହାସିକ ରେକର୍ଡ କଲା ଭାରତ, ଏଭଳି କରିବାରେ ପ୍ରଥମ ଟିମ୍‌

NEWS7
bhuj-kanbai-shivji-hirani-recalled-memories-on-1971-india-pakistan-war

ନୂଆଦିଲ୍ଲୀ: ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ( ଟି-୨୦ ବିଶ୍ୱକପ୍ ୨୦୨୬ ) ର ଦଶମ ସଂସ୍କରଣ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଛି। ଭାରତର ଖରାପ ଆରମ୍ଭ ସତ୍ତ୍ୱେ ଅଧିନାୟକ ସୂର୍ଯ୍ୟକୁମାରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୧୬୧ ରନରେ ପହଞ୍ଚିଥିଲା। ଟାର୍ଗେଟର ପିଛା କରି ଆମେରିକା ୨୦ ଓଭରରେ କେବଳ ୧୩୨ ରନ କରିପାରିଥିଲା। ଫଳରେ ଭାରତ ବଡ଼ ବିଜୟ ହାସଲ କରିଥିଲା । ଆଉ ଏହା ସହ ଭାରତ ନାଁରେ ଯୋଡ଼ି ହୋଇଛି ଐତିହାସିକ ରେକର୍ଡ ।

ଭାରତ ଟି-୨୦ ବିଶ୍ୱକପ୍ ଇତିହାସରେ ସର୍ବାଧିକ କ୍ରମାଗତ ବିଜୟର ରେକର୍ଡ କରିଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମିଳିତ ଭାବରେ ଶୀର୍ଷରେ ଥିଲେ। ଚଳିତ ଟି୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ସୂର୍ଯ୍ୟକୁମାର ଯାଦବ ୪୯ ବଲରେ ୪ ଛକା ଏବଂ ୧୦ ଚୌକା ସହାୟତାରେ ଅପରାଜିତ ୮୪ ରନ୍ କରିଥିଲେ । ଫଳରେ ଭାରତୀୟ ଟିମ୍ ୧୬୧ ରନ୍ କରିଥିଲା । ଏହାର ଜବାବରେ ଆମେରିକା କେବଳ ୧୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଭାରତ ଏବେ ଟି-୨୦ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଲଗାତାର ବିଜୟ ହାସଲ କରିଥିବା ଦେଶ ପାଲଟିଛି। ଏହା ଟିମ୍ ଇଣ୍ଡିଆର ଲଗାତାର ନବମ ବିଜୟ ଥିଲା। ୨୦୨୨ ସେମିଫାଇନାଲ୍ରେ ଇଂଲଣ୍ଡଠାରୁ ପରାସ୍ତ ହେବା ପରେ ଭାରତ ଟି-୨୦ ବିଶ୍ୱକପ୍ରୁ ବାଦ ପଡ଼ିଥିଲା। ପରବର୍ତ୍ତୀ ସମୟରେ, ୨୦୨୪ ମସିହାରେ ଟିମ୍ ଇଣ୍ଡିଆ ସମସ୍ତ ମ୍ୟାଚ୍ ଜିତିଥିଲା ଏବଂ ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍ ହୋଇଥିଲା।

ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସର୍ବାଧିକ ଲଗାତାର ବିଜୟର ରେକର୍ଡ କରିଥିଲେ । ପ୍ରତ୍ୟେକ ଟିମ୍‌ ଲଗାତାର ଆଠଟି ମ୍ୟାଚରେ ବିଜୟ ହାସଲ କରିଥିଲେ । ଏବେ ଭାରତ ୯ଟି ବିଜୟ ସହିତ ତାଲିକାର ଶୀର୍ଷରେ ପହଞ୍ଚିଛି । ଫଳରେ କୌଣସି ଦଳ ଭାରତର ଏହି ରେକର୍ଡ ବ୍ରେକ କରିବା ସହଜ ହେବ ନାହିଁ ।

ଭାରତୀୟ କ୍ରିକେଟ୍ ଦଳ ଏବେ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରିବ। ଭାରତର ପରବର୍ତ୍ତୀ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ନାମ୍ବିଆ ବିପକ୍ଷରେ ଅଛି । ଏହି ମ୍ୟାଚ୍ ଫେବୃଆରୀ ୧୨ ତାରିଖ ଗୁରୁବାର ସନ୍ଧ୍ୟା ୭ ଟାରେ ଖେଳାଯିବ। ଏହା ପରେ, ଦଳର ପରବର୍ତ୍ତୀ ମ୍ୟାଚ୍ କଲମ୍ବୋରେ ପାକିସ୍ତାନ ବିପକ୍ଷରେ ରହିଛି । ପାକିସ୍ତାନ ମ୍ୟାଚ୍ ବର୍ଜନ କରିଥିବା ନେଇ ଘୋଷଣା କରିଥିଲା । କିନ୍ତୁ ସୂର୍ଯ୍ୟକୁମାର କହିଛନ୍ତି ଯେ, ICC କାର୍ଯ୍ୟସୂଚୀ ଅନୁସାରେ ଭାରତୀୟ ଦଳ କଲମ୍ବୋ ଯାତ୍ରା କରିବ ।