ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଆଶ୍ୱସ୍ତି, ଗିରଫଦାରୀ ଉପରେ ଲାଗିଲା ଆହ୍ଲାବାଦ ହାଇକୋର୍ଟଙ୍କ ରୋକ

NEWS7
bhubaneswar-news-today-7

ପ୍ରୟାଗରାଜ ୨୭।୨: ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କୁ ନାବାଳକ ଯୌନ ଶୋଷଣ ଅଭିଯୋଗରେ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜିତେନ୍ଦ୍ର କୁମାର ସିହ୍ନାଙ୍କ ବେଞ୍ଚ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଅଗ୍ରୀମ ଜାମିନ ନିବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ ଗିରଫଦାରୀ ଉପରେ ରୋକ ଲଗାଇ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପରବର୍ତ୍ତି ଆଦେଶ ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ଗିରଫ କରା ନଯାଉ। ଏହି ଆଦେଶ ପରେ ଏବେ ପୋଲିସ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଗିରଫ କରିପାରିବ ନାହିଁ।

ତେବେ ମାମଲାର ଯାଞ୍ଚରେ ସହଯୋଗ କରିବା ପାଇଁ କୋର୍ଟ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସମସ୍ତଙ୍କ ନଜର କୋର୍ଟଙ୍କ ଚୁଡ଼ାନ୍ତ ନିଷ୍ପତ୍ତି ଉପରେ ରହିଛି। ଶୁଣାଣି କାଳରେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପକ୍ଷରୁ ଅଭିଯୋଗକୁ ଭୁଲ ବୋଲି କୁହାଯିବା ସହ ତାଙ୍କୁ ଏହି ମିଛ ମାମଲାରେ ଫଶେଇବାକୁ ଉଦ୍ୟମ କରାଯାଉଥିବା କୁହାଯାଇଛି। ଅଭିମୁକ୍ତେଶ୍ୱରାନନ୍ଦଙ୍କ ଓକିଲ ଏହା ବି ତର୍କ ଦେଇଛନ୍ତି ଯେ ମାମଲାର ବାଦୀ ଆଶୁତୋଷଙ୍କ ନିଜର ଅପରାଧିକ ଇତିହାସ ରହିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଅଗ୍ରୀମ ଜାମିନକୁ ବିରୋଧ କରାଯାଇଛି।

ଆବେଦନ ସିଧା ହାଇକୋର୍ଟରେ ଦାଖଲ କରାଯାଇଥିବାରୁ ଓ ଏହାର ପୋଷଣୀୟତା ଉପରେ ପ୍ରଶ୍ନ ଉଠାଯାଇଛି। ଶୁଣାଣି ପରେ କୋର୍ଟ ଆଦେଶକୁ ସଂରକ୍ଷିତ ରଖିଛନ୍ତି ଓ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଗିରଫ ଉପରେ ରୋକ ଲଗାଇଛନ୍ତି। ଏହା ସହିତ କୋର୍ଟ ମାମଲାର ଯାଞ୍ଚ ଜାରି ରଖିବାକୁ ଓ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ମାମଲାର ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋର୍ଟ ପକ୍ଷକାରଙ୍କ ଓକିଲଙ୍କୁ ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଲିଖିତ ପ୍ରସ୍ତୁତି ଓ ମାମଲାର ଆଇନଗତ ଦୃଷ୍ଟାନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋର୍ଟ ବାଦୀ ଆଶୁତୋଷ ବ୍ରହ୍ମଚାରୀଙ୍କୁ ସପ୍ଲିମିଣ୍ଟାରୀ ଆଫିଡେଭିଟ କପି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ତାଙ୍କ ବିରୋଧରେ ଆଗତ ଅଭିଯୋଗକୁ ନିରାଧାର କହିବା ସହିତ ଏହା ଶାସନର ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ ତଦନ୍ତରେ ଅଭିଯୋଗକାରୀ ଆଶୁତୋଷ ପୋଲିସ ସହିତ କାହିଁକି ରହୁଛନ୍ତି? ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଅନୁସାରେ ପୀଡ଼ିତ କୁହାଯାଉଥିବା ପିଲା ଦୀର୍ଘ ସମୟ ହେଲା ଆଶୁତୋଷ ବ୍ରହ୍ମଚାରୀଙ୍କ ସହିତ ରହୁଛନ୍ତି। ସେହିପରି ୧୭ ଜାନୁୟାରୀର ଘଟଣାକୁ ସେ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି।

Also read..

ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗରେ ମାମଲା ରୁଜୁ: ଲାଗିଛି ପୋକ୍ସୋ ଆକ୍ଟ