ନରୱାଣେଙ୍କ ବହିକୁ ନେଇ ବିବାଦ ପରେ ଆକ୍ସନରେ ମୋଦି ସରକାର,ଏଣିକି ଲେଖିବା ପୂର୍ବରୁ ନେବାକୁ ହେବ ଅନୁମତି

NEWS7
bharat-ratna-is-made-of-which-metal

ନୂଆଦିଲ୍ଲୀ ୧୨।୨: ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେଙ୍କ ଏକ ଅପ୍ରକାଶିତ ପୁସ୍ତକକୁ ନେଇ ବିବାଦ ଉପୁଜିଛି। ଏହି ମାମଲାରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଏଣୁ ପ୍ରତିରକ୍ଷା ବିଭାଗ ଏବେ ସେନା ସମ୍ପର୍କିତ ପୁସ୍ତକ ନିମନ୍ତେ ନୂଆ ତଥା କଡ଼ା ନିୟମ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଜେନେରାଲ ନରୱାଣେଙ୍କ ଆତ୍ମ କଥାର ନାମ ‘ଫୋର ଷ୍ଟାର୍ସ ଅଫ ଡେଷ୍ଟିନୀ’ ରହିଛି। କିନ୍ତୁ ପେଙ୍ଗୁଇନ ରାଣ୍ଡମ ହାଉସ୍ ଇଣ୍ଡିଆ ଓ ନିଜେ ଜେନେରାଲ ନରୱାଣେଙ୍କ ଅନୁସାରେ ଏହି ପୁସ୍ତକ ଏବେବି ପ୍ରକାଶିତ ହୋଇ ନାହିଁ। ଏହା ସତ୍ତ୍ୱେ ସଂସଦରେ ରାହୁଲ ଗାନ୍ଧିଙ୍କ ହାତରେ ଏହି ପୁସ୍ତକର କଥିତ ମେନୁସ୍କ୍ରିଫ୍ଟ ଦେଖାଯାଇଛି।

ଏହାକୁ ନେଇ ଏବେ ଜୋରଦାର ହଙ୍ଗାମା ହେଉଛି। ପୁସ୍ତକର ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧି ବିଜେପି ଉପରେ ଆକ୍ରମକ ଅଛନ୍ତି। ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେନା ସମ୍ପର୍କିତ ପୁସ୍ତକ ନିମନ୍ତେ ନୂଆ ନିୟମ କରିବାକୁ ବିଚାର କରାଯାଉଛି। ପ୍ରସ୍ତାବିତ ନିୟମ ଅନୁସାରେ ଏବେ ସେବାରେ ମୁତୟନ ଓ ଅବସର ନେଇସାରିଥିବା ସୈନିକ ଓ ଅଧିକାରୀଙ୍କୁ ପୁସ୍ତକ ଲେଖିବା ପୂର୍ବରୁ ମନ୍ତ୍ରାଳୟରୁ ଅନୁମତି ନେବା ଜରୁରି କରାଯିବ। ଅର୍ଥାତ ଦେଶର ଜବାନ ମନ୍ତ୍ରାଳୟ ପକ୍ଷରୁ ପରମିସନ ମିଳିବା ପରେ ହିଁ କିଛି ଲେଖି ପାରିବେ। ତେବେ ମନ୍ତ୍ରାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ଏହାକୁ ନେଇ ଅଧିକାରୀକ ବୟାନ ଜାରି କରାଯାଇନାହିଁ।

ଏହି ନିୟମ ଖାସ କରି ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ଧ୍ୟାନରେ ରଖି ତିଆରି କରାଯାଉଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ରତିରକ୍ଷା ମନ୍ତ୍ରାଳୟରେ ଏହି ବିଷୟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ନୂଆ ନିୟମରେ ଏହା ନିର୍ଦ୍ଧାରଣ କରାଯିବ ଯେ ବହି ଲେଖିବା ପୂର୍ବରୁ କେଉଁ ପ୍ରକ୍ରିୟା ଆପଣେଇବାକୁ ପଡିବ ଓ କାହାଠୁ ଅନୁମତି ନେବେ। କେବଳ ଏତିକି ନୁହେଁ ନିୟମ ପାଳନ ନ ହେଲେ କଣ କାର୍ଯ୍ୟାନୁଷ୍ଠାନ ହେବ, ଏ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରାଯାଉଛି। ତେବେ ରକ୍ଷା ମନ୍ତ୍ରାଳୟ ଅଥବା ସେନା ପକ୍ଷରୁ ପ୍ରସଙ୍ଗରେ ଅଧିକାରୀକ ବୟାନ ଦିଆଯାଇନି। କିନ୍ତୁ ଏହା କୁହାଯାଉଛି ନୂଆ ନିୟମକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯାଇପାରେ।

ଏହା ବି ପଢନ୍ତୁ :-ରାହୁଲ ଗାନ୍ଧିଙ୍କୁ କିପରି ମିଳିଲା ପୂର୍ବ ଆର୍ମି ଚିଫଙ୍କ ଅପ୍ରକାଶିତ ପୂସ୍ତକ? ଯାହା ଏବେ ସଂସଦକୁ କରୁଛି ହୁଲସ୍ତୁଲ