ସରଫରାଜ୍‌ଙ୍କ ପାଇଁ ଖାସ୍‌ ବେଙ୍ଗାଲୁର ମଇଦାନ୍‌, ୯ ବର୍ଷ ପୂର୍ବେ ମଧ୍ୟ କରିଥିଲେ କମାଲ୍‌, ବିସିସିଆଇ ସେୟାର କଲା ଭିଡିଓ

Published By : Prameya-News7 Bureau | October 19, 2024 IST

ନୂଆଦିଲ୍ଲୀ ୧୯।୧୦: ଶତକ ଲଗାଇବା ପରେ ବେଶ୍‌ ଚର୍ଚ୍ଚାରେ ସରଫରାଜ୍‌ ଖାନ । ବେଙ୍ଗାଲୁରୁରେ ଖେଳାଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ୧୧୦ ବଲରେ ୧୩ ଚୌକା ଓ ୩ଛକା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ଅନ୍ତର୍ଜାତୀୟ କ୍ୟାରିୟରରେ ସରଫରାଜଙ୍କର ଏହା ଥିଲା ପ୍ରଥମ ଶତକ । ଏହି ସମୟରେ ବିସିସିଆଇ ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ଭିଡିଓ ସେୟାର କରିଛି । ଆଉ କହିଛି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ସରଫରାଜ ପାଇଁ ବେଶ୍‌ ସ୍ୱତନ୍ତ୍ର । 

ଏହାପୂର୍ବରୁ ୨୦୧୫ରେ ସରଫରାଜ ଏହି ମଇଦାନରେ ଚମତ୍କାର କାମ କରିଛନ୍ତି । ୨୦୧୫ ଆଇପିଏଲରେ ସରଫରାଜ ଏକ ଚମତ୍କାର ଇନିଂସ ଖେଳି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ମାତ୍ର ୨୧ ବଲରେ କରିଥିଲେ ୪୫ ରନ୍‌ । ଏହି ଅବଧିରେ ତାଙ୍କ ବ୍ୟାଟରୁ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଏହି ପାଳିରେ କିଙ୍ଗକୋହଲି ମୁଣ୍ଡ ନୁଆଁଇ ସରଫରାଜଙ୍କର କରିଥିଲେ ସମ୍ମାନ । ବର୍ତ୍ତମାନ କୋହଲିଙ୍କର ମୁଣ୍ଡ ନୁଆଁଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ବର୍ତ୍ତମାନ ବିସିସିଆଇ ଏହି ଭିଡିଓକୁ ସେୟାର କରିଛନ୍ତି । ଭିଡିଓଟି ୨ଟି ଭାଗରେ ସେଯାର କରାଯାଇଛି । ସରଫରାଜ ଖାନ ୨୦୧୫ ଆଇପିଏଲରେ ଏକ ଚମତ୍କାର ଇନିଂସ ଖେଳିବା ପରେ ଫେରୁଥିବାର ନଜର ଆସିଛନ୍ତି । ଦ୍ୱିତୀୟ ଭାଗରେ ସରଫରାଜଙ୍କ ପ୍ରଥମ ଟେଷ୍ଟ ଶତକର ଉତ୍ସବ ହେଉଛି । ଏହି ଭିଡିଓରୁ ସ୍ପଷ୍ଟ ଭାବେ ବୁଝାପଡୁଛି କି ସରଫରାଜ ପାଇଁ ବାଙ୍ଗାଲୋର ଷ୍ଟାଡିୟମ କେତେ ସ୍ୱତନ୍ତ୍ର  । କେବଳ ଏତିକି ନୁହେଁ ବିରାଟ କୋହଲିଙ୍କ ଉପସ୍ଥିତି ମଧ୍ୟ ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଭିଡିଓର କ୍ୟାପସନରେ ଲେଖାଯାଇଛି, "ସମାନ ମଇଦାନ, ସମାନ ଚେହେରା, ସମାନ ଅନୁଭବ। ଭିନ୍ନ ବର୍ଷ।" 

ରୋହିତ ଶର୍ମା ଏବଂ ଯଶସ୍ୱୀ ଜୈସୱାଲଙ୍କ ୱିକେଟ୍ ଖସିଯିବା ପରେ ବିରାଟ କୋହଲି ଏବଂ ସରଫରାଜ ଖାନ ତୃତୀୟ ୱିକେଟ୍ ପାଇଁ ୧୩୬ ରନ୍‌ରେ ଭାଗିଦାରୀ କରିଥିଲେ। କୋହଲି ଏବଂ ସରଫରାଜଙ୍କ ଏହି ସହଭାଗିତା ଟିମ୍ ଇଣ୍ଡିଆକୁ ଦେଇଥିଲା ଶକ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.