ବେଙ୍ଗାଲୁରୁ ୨୩/୦୫: ମଧ୍ୟବିତ୍ତଙ୍କ ଦରମା ସଂକଟ । ଭାରତର ସବୁଠାରୁ ବଡ ସ୍କାମ୍ । ଯାହା ବିଷୟରେ କେହି ଆଲୋଚନା କରୁନାହାନ୍ତି । ବେଙ୍ଗାଳୁରୁର ସ୍ଥିତ PeepalCo କଂପାନୀର ସିଇଓ ଆଶିଷ ସିଂଘଲଙ୍କ ଏହି ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଶିଷ ସିଂଘଲ ସୋସିଆଲ ମିଡିଆ ପ୍ଲାଟଫର୍ମ LinkedInରେ ଲେଖିଛନ୍ତି ମଧ୍ୟମବର୍ଗଙ୍କ ବେତନ ସବୁଠାରୁ ବଡ ଘୋଟାଲା ଯାହା ବିଷୟରେ କେହି ବି କଥା ହେଉନାହାନ୍ତି । ଏହା ଉପରେ ଗତ କିଛି ଦଶକରେ କମ୍ ଚର୍ଚ୍ଚା ହୋଇଛି । ସାଧାରଣତଃ ୫ଲକ୍ଷରୁ ୧କୋଟି କମାଉଥିବା ଲୋକଙ୍କୁ ମଧ୍ୟମବର୍ଗ କୁହାଯାଏ । ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ଆୟରେ କେବଳ ୦.୪ ପ୍ରତିଶତ ବୃଦ୍ଧି ହୋଇଛି । ଏହା ଛଡା ୫ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ଲୋକଙ୍କ ଆୟରେ ମାତ୍ର ୪ ପ୍ରତିଶତ ବୃଦ୍ଧି ହୋଇଛି ।
ସେ କହିଛନ୍ତି ଭାରତରେ ସବୁ ଜିନିଷର ଦର ବଢିବାରେ ଲାଗିଛି । ସେହି ଅନୁସାରେ ଲୋକଙ୍କ ଆୟ ବଢୁନି । ସେ ଭାରତର ମଧ୍ୟମ ବର୍ଗ ଲୋକଙ୍କ ଖର୍ଚ୍ଚ ଆଉ ଦରମା ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ସେ କହିଛନ୍ତି ଉଭୟ ପଟୁ ଧନ୍ଦି ହେଉଛନ୍ତି ମଧ୍ୟମ ବର୍ଗ । ସବୁ ଜିନିଷର ଦରଦାମ ବଢିବାକୁ ନେଇ ଚିନ୍ତିତ ହେବା ସହ ଦରମା ଆଶା ଅନୁଯାୟୀ ବଢୁନଥିବାରୁ ସମସ୍ୟା ହେଉଛି । ଦରମା ସ୍ଥିର ଥିବା ସତ୍ତ୍ବେ ଲୋକମାନେ ବର୍ଷକୁ ଥରେ ବିମାନରେ ଯାଉଛନ୍ତି । ନୂଆ ଫୋନ କିଣୁଛନ୍ତି ଓ ଇଏମ୍ଆଇରେ ଅନେକ ଜିନିଷ କିଣୁଛନ୍ତି । ଏହି ସ୍ଥିତି ସେମାନଙ୍କୁ ଏକ ସଂକଟ ଭିତରକୁ ନେଇଯାଉଛି ।
ସେ ଆହୁରି କହିଛନ୍ତି ମଧ୍ୟମବର୍ଗଙ୍କ ଆୟ ବୃଦ୍ଧି ହେଉନି କିନ୍ତୁ ଖାଦ୍ୟ ପଦାର୍ଥର ମୂଲ୍ୟ ଗତ ୧୦ ବର୍ଷ ଭିତରେ ପ୍ରାୟ ୮୦ ପ୍ରତିଶତ ବୃଦ୍ଧି ହୋଇଛି । ମହଙ୍ଗା ମାଡ କିଣିବାର କ୍ଷମତାକୁ ହ୍ରାସ କରିଛି । ଆୟ କମ୍ ଆଉ ସାମଗ୍ରୀର ଦର ବୃଦ୍ଧି ଯୋଗୁ ଲୋକେ ଆୟଠାରୁ ଅଧିକ ବ୍ୟାଙ୍କ ଲୋନ୍ ଉପରେ ନିର୍ଭର କରୁଛନ୍ତି । ଲୋକଙ୍କର କ୍ରେଡିଟ କାର୍ଡ ଠାରୁ ଇଏମ୍ଆଇ ବଢୁଛି ହେଲେ ଦରମା ସ୍ଥିର ରହିଛି ।
ଆଶିଷ ସିଂଘଲଙ୍କ କହିବା କଥା ମଧ୍ୟମବର୍ଗଙ୍କ ସଂଖ୍ୟା ତୀବ୍ର ବେଗରେ ବଢିବାରେ ଲାଗିଛି । ଗୋଟିଏ ଅଧ୍ୟୟନ ଅନୁସାରେ ୨୦୨୧ରେ ଭାରତର ମଧ୍ୟବିତ୍ତଙ୍କ ଜନସଂଖ୍ୟାର ହାର ୩୧ ପ୍ରତିଶତ ଥିଲା । ଯାହା ୨୦୩୧ରେ ୩୮ ପ୍ରତିଶତ ହୋଇପାରେ । ସେହିପରି ୨୦୪୭ରେ ୬୦ ପ୍ରତିଶତ ବଢିପାରେ । ଏସବୁ ସତ୍ତ୍ବେ ଆୟ କରୁଥିବା ମଧ୍ୟମବର୍ଗ ଲୋକ ଆୟ ତୁଳନାରେ ଅଧିକ ଖର୍ଚ୍ଚ କରୁଛନ୍ତି । ସେମାନଙ୍କର ବାସ୍ତବିକ ବିତ୍ତୀୟ ସୁରକ୍ଷା ଉପରେ କୌଣସି ଖାସ୍ ପରିବର୍ତ୍ତନ ଆସିନି । ସେ ଆହୁରି କହିଛନ୍ତି ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ଆଣୁଛନ୍ତି । ହେଲେ କିଛି ଫାଇଦା ହେଉନି । ତେବେ ଧନୀ ନିବେଶ ଜରିଆରେ ନିଜର ଧନ ବଢାଉଥିବାବେଳେ ମଧ୍ୟବିତ୍ତ ହୁହୁ ହୋଇ ବଢୁଥିବା ଦରଦାମ ଭିତରେ ଛନ୍ଦି ହୋଇ ଯାଉଛନ୍ତି ।