ମହିଳା କଲ୍ୟାଣ ଯୋଜନା ପଇସା ପୁରୁଷଙ୍କ ଆକାଉଣ୍ଟରେ! ଏବେ ନୀତୀଶ ସରକାରଙ୍କୁ ଘାରିଛି ଅସୁଲି ଚିନ୍ତା

NEWS7
bengal-teens-kidnap-friend-for-computer-games-and-took-life

ପାଟନା ୧୭।୧୨: ଗତ ନଭେମ୍ବର ମାସରେ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନ କାଳରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରମ୍ଭ କରିଥିବା ମହିଳା କଲ୍ୟାଣ ଯୋଜନାରେ ରାଜ୍ୟର ୧.୫୪ କୋଟି ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ କିଛି ବୈଷୟିକ କାରଣ ଯୋଗୁ ଯୋଜନା ରାଶି କିଛି ପୁରୁଷଙ୍କ ଖାତାରେ ଜମା ହୋଇ ଯାଇଛି। ଏବେ ଅଧିକାରୀ ମହିଳା ରୋଜଗାର ଯୋଜନାରେ ପଠାଯାଇଥିବା ଏହି ପଇସାକୁ ପୁରୁଷଙ୍କ ଖାତାରୁ ଫେରାଇ ନେବାକୁ ଉଦ୍ୟମ କରୁଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ଥିଲା କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାକୁ ମହିଳାଙ୍କ ଆର୍ଥିକ ସହାୟତା କରିବା। ହେଲେ ଏବେ ପଇସା ଫେରସ୍ତ ମଗାଯାଉଥିବାରୁ ପୁରୁଷ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ଦରଭଙ୍ଗା ଜିଲ୍ଲାର ଅଧିକାରୀମାନେ ପୁଷ୍ଟି କରିଛନ୍ତି ଯେ ଏପରି ତ୍ରୁଟି ଜାଲେ ବ୍ଲକରେ ହୋଇଛି। ଏଠାରେ ଅନେକ ପୁରୁଷ ହିତାଧିକାରୀଙ୍କୁ ଅଜାଣତରେ ଏହି ଧନରାଶି ମିଳିଛି। ବାସ୍ତବରେ ଏହା ମହିଳାଙ୍କ ନିମନ୍ତେ ଥିଲା। ଅଧିକାରୀ କହିଛନ୍ତି ଯେ ଡାଟା ପ୍ରୋସେସିଂ କାଳରେ ଲିପିକୀୟ ଓ ବୈଷୟିକ ତ୍ରୁଟି କାରଣରୁ ଏପରି ହୋଇଛି। ଭୁଲ ଜଣାପଡିବା ପରେ ଅଧିକାରୀ ଲିଖିତ ନୋଟିସ୍ ଜାରି କରିଛନ୍ତି। ଏଥିରେ ପୁରୁଷ ପ୍ରାପ୍ତକର୍ତ୍ତାଙ୍କୁ ରାଶି ଫେରସ୍ତ ଜମା କରିବାକୁ ଓ ଏହାର ପ୍ରମାଣ ନେବାକୁ କୁହାଯାଇଛି। ଏ ପର୍ଯ୍ୟନ୍ତ ଏହି ପ୍ରକ୍ରିୟାରେ ୧୪ ଜଣ ପୁରୁଷଙ୍କୁ ପଇସା ଫେରାଇବାକୁ କୁହାଯାଇଛି।

ହେଲେ ଏହି ନୋଟିସ ଏବେ ଅସନ୍ତୋଷର କାରଣ ପାଲଟିଛି। କାରଣ ଯେଉଁମାନଙ୍କୁ ନୋଟିସ୍ ହୋଇଛି ସେମାନେ ପ୍ରାୟତଃ ଅତ୍ୟନ୍ତ ଗରିବ ପରିବାରର । ଏଥିରେ ବଳରାମ ସାହାଣୀ ଜଣେ ଦିବ୍ୟାଙ୍ଗ ଓ ସେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଏଣୁ ତାଙ୍କ ପକ୍ଷେ ଏହି ରାଶି ଫେରାଇବା ଅସମ୍ଭବ ବୋଲି ସେ କହିଛନ୍ତି। ମିଳିଥିବା ପଇସାକୁ ସେ ଘର ଖର୍ଚ୍ଚରେ ବ୍ୟୟ କରିଦେଇଛନ୍ତି। ଯଦି ଭୁଲ ହୋଇଛି ତେବେ ସରକାର ଆମକୁ ତୁରନ୍ତ ସୂଚିତ କରିବାର ଥିଲା ବୋଲି ସେ କହିଛନ୍ତି। ଏହା ପରେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ନୋଟିସ୍ ପ୍ରାୟ ୩ ମାସ ପରେ ଆସିଛି। ଏବେ ଆମେ ପଇସା ଆଣିବୁ କେଉଁଠୁ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି।