IIT, NDA, UPSC ଛାଡ଼ି କରିଥିଲେ ଓକିଲାତି, ରାଜସ୍ଥାନରୁ ରାଇସିନା ହିଲ୍ସ ଯାଏଁର ଯାତ୍ରା...ଭାରତର ୧୪ତମ ଉପରାଷ୍ଟ୍ରପତି

Published By : Prameya-News7 Bureau | July 21, 2025 IST

ନୂଆଦିଲ୍ଲୀ: ୨୦୨୨ ଅଗଷ୍ଟ ୧୧ରେ ଭାରତର ୧୪ତମ ଉପରାଷ୍ଟ୍ରପତି ହୋଇଥିବା ଜଗଦୀପ ଧନଖଡ଼ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପଛରେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି । ଜଗଦୀପ ଧନଖଡ଼ ଜଣେ ପ୍ରଖ୍ୟାତ ଓକିଲ ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ । ଜଗଦୀପ ଧନଖଡ ବିରୋଧୀ ଦଳର ମାର୍ଗାରେଟ ଆଲଭାଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ ।

ଜଗଦୀପ ଧନଖଡ ଜନତା ଦଳରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ସେ ୧୯୮୯ ମସିହାରେ ଝୁନଝୁନୁରୁ ସାଂସଦ ହୋଇଥିଲେ । ପ୍ରଥମ ଥର ପାଇଁ ସାଂସଦ ନିର୍ବାଚିତ ହେବା ପରେ ତାଙ୍କୁ ଏକ ବଡ଼ ପୁରସ୍କାର ମିଳିଥିଲା । ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଭିପି ସିଂହ ଏବଂ ଚନ୍ଦ୍ରଶେଖରଙ୍କ ସରକାରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା । କିନ୍ତୁ ୧୯୯୧ ଲୋକସଭା ନିର୍ବାଚନରେ ଜନତା ଦଳ ଜଗଦୀପ ଧନଖଡଙ୍କ ଟିକେଟ କାଟି ଦେବା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୧୯୯୩ ମସିହାରେ କଂଗ୍ରେସ ଦଳ ଟିକେଟରେ ଆଜମେରର କିଷନଗଡ଼ରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ୨୦୦୩ ମସିହାରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ଜୁଲାଇ ୩୦ରେ ଜଗଦୀପ ଧନଖଡ଼ଙ୍କୁ ପଶ୍ଚିମବଙ୍ଗର ୨୮ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ । ଏହା ପରେ ସେ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ସେହି ପଦବୀରେ ରହିଥିଲେ ।

ଜଗଦୀପ ଧନଖଡଙ୍କ ଜନ୍ମ ୧୯୫୧ ମେ ୧୮ରେ ରାଜସ୍ଥାନର ଝୁନଝୁନୁ ଜିଲ୍ଲାର କିଥାନାରେ ହୋଇଥିଲା । ତାଙ୍କ ବାପାଙ୍କ  ନାମ ଗୋକଳ ଚାନ୍ଦ ଏବଂ ମାଆଙ୍କ ନାମ କେଶରୀ ଦେବୀ । ଜଗଦୀପ ତାଙ୍କ ଚାରି ଭାଇଭଉଣୀଙ୍କ ମଧ୍ୟରୁ ଦ୍ୱିତୀୟ । ପ୍ରାରମ୍ଭିକ ଶିକ୍ଷା କିଥାନା ଗ୍ରାମର ସରକାରୀ ମାଧ୍ୟମିକ ବିଦ୍ୟାଳୟରୁ ହୋଇଥିଲା । ଗାଁରେ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ, ଗର୍ଦ୍ଧନାରେ ପରବର୍ତ୍ତୀ ଶିକ୍ଷା ନେଇଥିଲେ । ଏହା ପରେ ସେ ଚିତ୍ତୋରଗଡ଼ର ସୈନିକ ସ୍କୁଲରେ ମଧ୍ୟ ପାଠ ପଢ଼ିଥିଲେ । ଦ୍ୱାଦଶ ପରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକ କରିଥିଲେ । ଏହା ପରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଆଇନ ପାଠପଢ଼ା ସମାପ୍ତ କରିଥିଲେ । 

ଦ୍ୱାଦଶ ପରେ ଧନଖଡ଼ ଆଇଆଇଟି ଏବଂ ତା'ପରେ ଏନଡିଏ ପାଇଁ ଚୟନ ହୋଇଥିଲେ, କିନ୍ତୁ ସେ ଯାଇ ନଥିଲେ । ସ୍ନାତକ ପରେ, ସେ ଦେଶର ସବୁଠାରୁ ବଡ଼ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ତଥାପି IAS ହେବା ପରିବର୍ତ୍ତେ, ସେ ଆଇନ ପେଶାକୁ ବାଛିଥିଲେ । ସେ ରାଜସ୍ଥାନ ହାଇକୋର୍ଟରୁ ତାଙ୍କର ଆଇନ ଅଭ୍ୟାସ ମଧ୍ୟ ଆରମ୍ଭ କରିଥିଲେ । ସେ ରାଜସ୍ଥାନ ବାର କାଉନସିଲର ଅଧ୍ୟକ୍ଷ ମଧ୍ୟ ଥିଲେ । ଜଗଦୀପ ଧନଖର ମଧ୍ୟ ଜଣେ କ୍ରୀଡା ପ୍ରେମୀ । ସେ ରାଜସ୍ଥାନ ଅଲିମ୍ପିକ୍ ଆସୋସିଏସନ୍ ଏବଂ ରାଜସ୍ଥାନ ଟେନିସ୍ ଆସୋସିଏସନର ସଭାପତି ମଧ୍ୟ ରହିଥିଲେ । ଜଗଦୀପ ଧନଖଡ଼ ଗୀତ ଶୁଣିବା ଏବଂ ବୁଲିବାକୁ ଭଲ ପାଆନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.