ଭାରତୀୟ ଦଳ ଏସିଆ କପ୍ ଖେଳିବ କି ନାହିଁ, ସ୍ପଷ୍ଟ କଲା BCCI

Published By : Prameya-News7 Bureau | May 19, 2025 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଚଳିତ ବର୍ଷ ଏସିଆ କପ୍ ଓ ମହିଳା ଏମର୍ଜିଂ ଟିମ ଏସିଆ କପ୍‌ରେ ଭାଗ ନେବ ନାହିଁ। ସୋମବାର ସକାଳେ ଏମିତି ଖବର  ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କିନ୍ତୁ ଏବେ ବିସିସିଆଇ ସଂପାଦକ ଦେବଜିତ ସୈକିଆ ଏମିତି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହି ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ ଏସିଆ କପ୍‌ରେ ଅଂଶ ଗ୍ରହଣ ନେଇ ଏ ପର୍ଯ୍ୟନ୍ତ ବୋର୍ଡର କୌଣସି ବୈଠକ ବସି ନାହିଁ। ଉଲ୍ଲେଖନୀୟ ଚଳିତ ବର୍ଷ ସେପ୍ଟେମ୍ବରରେ ଏସିଆ କପ୍ ଆୟୋଜନ ନେଇ ସ୍ଥିରିକୃତ ହୋଇଛି। 

ଦେବଜିତ ସୈକିଆ କହିଛନ୍ତି, ଆଜି ସକାଳେ ଖବର ପ୍ରସାରିତ ହୋଇଥିଲା ଯେ, ବିସିସିଆଇ ଏସିଆ କପ୍ ଓ ମହିଳା ଏମର୍ଜିଂ ଟିମ୍ ଏସିଆ କପ୍‌ରେ ଭାରତୀୟ ଦଳକୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ଏସିଆ କ୍ରିକେଟ୍ ପରିଷଦ ଆନୁକୂଲ୍ୟରେ ଖେଳାଯାଏ। ଏସିଆ କପ୍‌ରେ ଭାରତୀୟ ଦଳ ଭାଗ ନେବ କି ନ ନେବ ତା ଉପରେ ଏ ପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇ ନାହିଁ। ଏପରିକି ଏସିଆ କପ୍‌ର ଆୟୋଜନକୁ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇ ନାହିଁ। ସେ କହିଛନ୍ତି, ବିସିସିଆଇର ପୂରା ଧ୍ୟାନ ଏବେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଓ ଇଂଲଣ୍ଡ ବିପକ୍ଷ ସିରିଜ୍ ଉପରେ ରହିଛି। 

Also read: ନିର୍ଲଜ୍ଜତାର ସମସ୍ତ ସୀମା ପାର କଲେ ଶାହିଦ ଆଫ୍ରିଦି, ଅସୀମ ମୁନିରଙ୍କୁ କିସ୍‌ କଲେ...ଭିଡିଓ ଭାଇରାଲ୍‌'

ଚଳିତ ବର୍ଷ ୧୭ତମ ଏସିଆ କପ୍‌ ଖେଳାଯିବ। ଏହାର ଆୟୋଜନ କେଉଁଠି ହେବ ଏ ପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୮ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଓମାନ, ହଂକଂ ଓ ୟୁଏଇ ଦଳ ଭାଗ ନେବେ। ଅନ୍ୟପଟେ ମହିଳା ଏମର୍ଜିଂ ଟିମ ଏସିଆ କପ୍ ୨୦୨୫ ଶ୍ରୀଲଙ୍କାରେ ଖେଳାଯିବ। ୨୦୨୩ରେ ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା। ଫାଇନାଲ୍‌ରେ ଭାରତ ବାଂଲାଦେଶକୁ ୩୧ ରନରେ ହରାଇ ଚାମ୍ପିଅନ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.