ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ, SBI ପରେ BoI ଲଗାଇଲା ବଡ଼ ଅଭିଯୋଗ

Published By : Prameya-News7 Bureau | August 24, 2025 IST

ନୂଆଦିଲ୍ଲୀ: ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) ପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) ମଧ୍ୟ ଋଣଗ୍ରସ୍ତ ରିଲାଏନ୍ସ କମ୍ୟୁନିକେସନ୍ସ (RCom) ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକ ଅନିଲ ଅମ୍ବାନୀଙ୍କ ଆକାଉଣ୍ଟକୁ ' ଫ୍ରଡ୍' ଘୋଷଣା କରିଛି। ବ୍ୟାଙ୍କ ଅଭିଯୋଗ କରିଛି ଯେ, କମ୍ପାନି ୨୦୧୬ରେ ନେଇଥିବା ଋଣରେ ହେରଫେର କରିବା ସହ ଏହାକୁ ଅନ୍ୟତ୍ର ବ୍ୟବହାର କରିଥିଲା।

ସୂଚନା ଅନୁଯାୟୀ, ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୧୬ ଅଗଷ୍ଟରେ ଆର୍‌କମ୍‌କୁ ୭୦୦ କୋଟି ଟଙ୍କାର ଋଣ ଦେଇଥିଲା। ଏଥିରୁ ୨୦୧୬ ଅକ୍ଟୋବରରେ ଜାରି ହୋଇଥିବା ଅର୍ଥରାଶିର ଅଧାରୁ ଅଧିକ ଟଙ୍କାକୁ କମ୍ପାନି ସ୍ଥାୟୀ ଜମା ବା ଫିକ୍ସ ଡିପୋଜିଟ୍‌ ଭାବରେ ରଖିଥିଲା। ଯାହା ନେଇଥିବା ଋଣର ସର୍ତ୍ତ ବିରୁଦ୍ଧ। 

ଷ୍ଟକ୍ ଏକ୍ସଚେଞ୍ଜକୁ ଦିଆଯାଇଥିବା ଏକ ଫାଇଲିଂରେ ଆରକମ୍ କହିଛି, ଅଗଷ୍ଟ ୨୨ ତାରିଖରେ କମ୍ପାନିକୁ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଏକ ଚିଠି ମିଳିଥିଲା। ଯେଉଁଥିରେ କମ୍ପାନି, ଅନିଲ ଧୀରଜଲାଲ ଅମ୍ବାନୀ (ପୂର୍ବ ନିର୍ଦ୍ଦେଶକ) ଏବଂ ମଞ୍ଜରୀ ଅଶୋକ କକ୍କର (ପୂର୍ବ ନିର୍ଦ୍ଦେଶକ)ଙ୍କ ଆକାଉଣ୍ଟକୁ 'ଫ୍ରଡ୍' ଘୋଷଣା କରାଯାଥିବା ସୂଚନା ରହିଥିଲା। 

ଏହା ପୂର୍ବରୁ ଜୁନ୍ ମାସରେ  SBI ମଧ୍ୟ RCom ଏବଂ ଅନିଲ ଅମ୍ବାନୀଙ୍କ ଆକାଉଣ୍ଟକୁ ଫ୍ରଡ ଘୋଷଣା କରିଥିଲା। ଏହି ଅଭିଯୋଗ ପରେ ଶନିବାର CBI ଅମ୍ବାନୀଙ୍କ ଘର ଏବଂ RCom ସହ ଜଡ଼ିତ କିଛି ସ୍ଥାନରେ ଚଢାଉ କରିଥିଲା।

SBI କହିଛି ପାଣ୍ଠିର ଅପବ୍ୟବହାର ଯୋଗୁ ବ୍ୟାଙ୍କକୁ ୨, ୯୨୯ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ସେହିଭଳି ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି  RComର ଆକାଉଣ୍ଟ ୨୦୧୭ ଜୁନ୍ ୩୦ରେ NPA ହୋଇଯାଇଥିଲା। ଏଥିରେ ୭୨୪.୭୮ କୋଟି ଟଙ୍କା ବକେୟା ରହିଛି। 

ସେପଟେ ଅନିଲ ଅମ୍ବାନୀଙ୍କ ମୁଖପାତ୍ର ସବୁ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି  ଏହା ୧୦ ବର୍ଷରୁ ଅଧିକ ପୁରୁଣା ମାମଲା। ସେ ସମୟରେ ଅମ୍ବାନୀ ଜଣେ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିଲେ। ତାଙ୍କର କମ୍ପାନିର ଦୈନନ୍ଦିନ କାର୍ଯ୍ୟ ସହିତ କୌଣସି ସମ୍ପର୍କ ନଥିଲା। ସେ ଅଭିଯୋଗ କରିଛନ୍ତି ଯେ, ଅନିଲ  ଅମ୍ବାନୀଙ୍କୁ "ଜାଣିଶୁଣି ଟାର୍ଗେଟ" କରାଯାଇଛି। ଆର୍‌କମ୍‌ କହିଛି ଯେ, ଏହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଟେଲିକମ୍ ଲିମିଟେଡକୁ ମଧ୍ୟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସମାନ ନୋଟିସ ଜାରି କରାଯାଇଛି। 

ଆର୍‌କମ୍ ବର୍ତ୍ତମାନ ମୋଟ ୪୦ ହଜାର କୋଟି ଟଙ୍କାର ଋଣରେ ବୁଡ଼ି ରହିଛି ଏବଂ ଦେବାଳିଆ ପ୍ରକ୍ରିୟା ଅଧୀନରେ କ୍ରେଡିଟର୍ସ କମିଟି (CoC) ଏବଂ ରିଜୋଲ୍ୟୁସନ୍ ପ୍ରଫେସନାଲ୍ସ କମ୍ପାନୀର କାର୍ଯ୍ୟ ଦେଖାଶୁଣା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.