ନୂଆଦିଲ୍ଲୀ ୧୨/୦୮: ଅଶାନ୍ତ ବାଂଲାଦେଶ । ହିଂସା ଥମିବାର ନାଁ ଧରୁନି। ହିଂସାର ନିଆଁରେ ଜଳୁଛି ସାରା ଦେଶ । ନୀରିହ ଜନତାଙ୍କ ଉପରେ ଜାରି ରହିଛି ଆକ୍ରମଣ । ଅନ୍ତରୀଣ ସରକାର ଭରସାରେ ଚାଲିଛି ଦେଶ । ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ଉପରେ ଶାସନ ଭାର । ତେବେ ଶାସନକୁ ଆସୁ ଆସୁ ୟୁନୁସଙ୍କ ଭାଗ୍ୟ ପରିବର୍ତ୍ତନ ହେଉଛି । ନାଁରେ ଥିବା ଗୋଟିଏ ପରେ ଗୋଟିଏ ମାମଲା ପ୍ରତ୍ୟାହାର ହେବାରେ ଲାଗିଛି।
ଖାସ୍ କରି ତାଙ୍କ ନାଁରେ ଥିବା ଭ୍ରଷ୍ଟାଚାର ବିରୋଧୀ ମାମଲାରେ କରିଦିଆଯାଇଛି ତାଙ୍କୁ ମୁକ୍ତ । ଆହୁରି ବି ମାମଲା ପ୍ରତ୍ୟାହାର ନିମନ୍ତେ ଆବେଦନଙ୍କୁ ମିଳିଛି ସ୍ୱିକୃତୀ । ଏହା ପୂର୍ବରୁ ଗତ ୭ ତାରିଖରେ ଢାକାର ଏକ କୋର୍ଟ ୟୁନୁସ ଓ ଅନ୍ୟ ୩ ଜଣଙ୍କୁ ଶ୍ରମ ନିୟମ ଉଲ୍ଲଘଂନ ଅଭିଯୋଗ ମାମଲାରେ କରିଛନ୍ତି ମୁକ୍ତ । ୮୪ ବର୍ଷୀୟ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ।
ଦୀର୍ଘ ଦିନ ଧରି ଶେଖ ହସିନା ସରକାର ସହ ୟୁନୁସଙ୍କ ଚାଲୁଥିଲା ବିବାଦ । ଫଳରେ ହସିନାଙ୍କ ଶାସନ କାଳରେ ୟୁନୁସରେ ନାଁରେ ରୁଜୁ ହୋଇଥିଲା ଅନେକ ମାମଲା । ଗତ ଜାନୁଆରୀରେ ଶ୍ରମ ଆଇନ ଉଲ୍ଲଘଂନ ମାମଲାରେ ବାଂଲାଦେଶର ଗୋଟିଏ କୋର୍ଟ ୟୁନୁସଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ୨୦୦୭ରେ ବାଂଲାଦେଶରେ ସେନା ସମର୍ଥିତ ସରକାର ଶାସନରେ ଥିବା ବେଳେ ହସିନା ଥିଲେ ଜେଲ୍ରେ ।
ସେହି ସମୟରେ ୟୁନୁସ ରାଜନୈତିକ ପାର୍ଟି ଗଠନ ନିମନ୍ତେ ଘୋଷଣା କରିଥିଲେ । ଯାହାକୁ ନେଇ କ୍ଷୁବ୍ଧ ହୋଇଥିଲେ ହସିନା । ପରେ ତାଙ୍କ ନାଁରେ ନିୟମ ଉଲ୍ଲଘଂନ ଅଭିଯୋଗରେ ରୁଜୁ ହୋଇଥିଲା ଅନେକ ମାମଲା । ଦେଶରେ ହିଂସା ପରେ ଭାରତରେ ଶେଖ ହସିନା । କେଉଁ ଦେଶରେ ନେବେ ଶରଣ ସ୍ପଷ୍ଟ ହୋଇନି । କିନ୍ତୁ ହସିନା ବାଂଲା ଛାଡିବା ପରଠୁ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଜାରି ରହିଛି ଆକ୍ରମଣ । ବିକ୍ଷୋଭକାରୀମାନେ ହିନ୍ଦୁମାନଙ୍କ ଘର ଓ ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି।
ଏଭଳି ପରିସ୍ଥିତିରେ ବାଂଲାଦେଶରେ ରହୁଥିବା ହିନ୍ଦୁମାନେ ଭାରତ ଆସିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଭାରତ-ବାଂଲାଦେଶ ସୀମାକୁ ଶହ ଶହ ବାଂଲାଦେଶୀ ନାଗରିକ ଏବଂ ହିନ୍ଦୁ ଆସୁଛନ୍ତି। ସେପଟେ ଆକ୍ରମଣକୁ ନିନ୍ଦା କରିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ। ଏହା ଘୃଣ୍ୟ କାର୍ଯ୍ୟ ବୋଲି ସେ କହିଛନ୍ତି। ଶେଖ ହସିନା ସରକାରର ପତନ ପରେ ୫୨ଟି ଜିଲ୍ଲାରେ ସଂଖ୍ୟାଲଘୁ ସଂପ୍ରଦାୟଗୁଡ଼ିକ ବିରୋଧରେ ଘଟିସାରିଲାଣି ୨୦୫ଟି ଆକ୍ରମଣ ଘଟଣା ।
ଆକ୍ରମଣରେ ଶତାଧିକ ହିନ୍ଦୁ ମୃତାହତ ଓ ଏକାଧିକ ଆହତ । ବାଦ୍ ପଡିନି ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ । ଅନେକ ହିନ୍ଦୁ ମନ୍ଦିରରେ ବି ଭଙ୍ଗାରୁଜା । ଶେଖ ହସିନାଙ୍କ ଆୱାମି ଲିଗ୍ ସହିତ ଜଡ଼ିତ ଦୁଇ ହିନ୍ଦୁ ନେତାଙ୍କୁ ବି ବିଭତ୍ସ ହତ୍ୟା । ଏଭଳି ସ୍ଥିତିରେ ଦେଶରେ ସ୍ଥିତି କଣ ହେବ ତାକୁ ନେଇ ଉଠିଲାଣି ଅନେକ ପ୍ରଶ୍ନ ।