LIVE TV
LIVE TV

ପାଇଲଟ ଡ୍ୟୁଟି ମ୍ୟାନେଜ୍ କରିପାରିଲା ନାହିଁ ଇଣ୍ଡିଗୋ: ୩୦୦ରୁ ଅଧିକ ବିମାନ ରଦ୍ଦ, କାହିଁକି ହେଲା ଏମିତି ?

NEWS7
banaklagi-niti-on-feb-05

ନୂଆଦିଲ୍ଲୀ:ଦେଶର ସବୁଠାରୁ ଶସ୍ତା ସୁନ୍ଦର ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସ ପାଖରେ ଏବେ ପାଇଲଟଙ୍କ ଅଭାବ ଦେଖାଇ ଦେଇଛି। ଏଥିପାଇଁ ଇଣ୍ଡିଗୋ ଗତ ଦୁଇ ଦିନରେ ୩୦୦ରୁ ଅଧିକ ବିମାନ ଯାତ୍ରା ରଦ୍ଦ କରିଥିବା ବେଳେ ଏକାଧିକ ଉଡ଼ାଣ ବିଳମ୍ବ ହୋଉଛି। ନୂଆ ଉଡ଼ାଣ ଡ୍ୟୁଟି ସମୟ ସୀମା (FDTL) ନିୟମ ଲାଗୁ ହେବା ପରେ ଏଭଳି ସମସ୍ୟା ଦେଖା ଦେଇଛି ବୋଲି ବିମାନ ଶିଳ୍ପ ସୂତ୍ରରୁ ବୁଧବାର ସୂଚନା ଦିଆଯାଇଛି। ମଙ୍ଗଳବାର ଇଣ୍ଡିଗୋର ଅନ ଟାଇମ

ପରଫର୍ମାନ୍ସ (OTP) ୩୫ ପ୍ରତିଶତ ଛୁଇଁଛି ବୋଲ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ତଥ୍ୟ ଦେଇଛି। ସୂଚନା ଅନୁସାରେ, ଦିଲ୍ଲୀ ବିମାନବନ୍ଦରରେ ହିଁ ବୁଧବାର ଦିନ ୧୨ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଘରୋଇ ଓ ଅନ୍ତର୍ଜାତୀୟ ମିଶାଇ ପ୍ରାୟ ୩୮ଟି ଇଣ୍ଡିଗୋ ବିମାନ ବାତିଲ କରାଯାଇଥିଲା। ସେହିପରି ମୁମ୍ବାଇ ବିମାନବନ୍ଦରରେ, ବୁଧବାର ୧୨ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ୩୩ଟି ବିମାନ ବାତିଲ କରାଯାଇଥିଲା। ମୋଟାମୋଟି ଭାବେ ଦେଖିଲେ ଗତ ଦୁଇ ଦିନ (ମଙ୍ଗଳବାର ଏବଂ ବୁଧବାର) ମଧ୍ୟରେ, ବିମାନ କମ୍ପାନୀ ସାରା ଦେଶରେ ୩୦୦ରୁ ଅଧିକ ବିମାନ ବାତିଲ କରିଛି ବୋଲି ମୋକା ସୂଚନା ଦେଇଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସର ପ୍ରତିଦିନ ୨୩୦୦ରୁ ଅଧିକ ବିମାନ ଚଳାଚଳ କରେ। ତେଣୁ, ଗତ ଦୁଇ ଦିନ ମଧ୍ୟରେ ଏହାର ପ୍ରାୟ ୭ ପ୍ରତିଶତ ବିମାନ ବାତିଲ କରାଯାଇଛି।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ସଂଶୋଧିତ ଉଡ଼ାଣ-ଡ୍ୟୁଟି ସମୟ ସୀମା (FDTL) ନିୟମ ନଭେମ୍ବର ୧ ତାରିଖରେ ସେମାନଙ୍କର ଦ୍ୱିତୀୟ ଏବଂ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।। ଯାହା ଜୁଲାଇ ପ୍ରଚଳନ ସମୟରେ ସ୍ଥଗିତ ରଖାଯାଇଥିବା ୭ଟି ଧାରା ସେଟକୁ କାର୍ଯ୍ୟକାରୀ କରିଛି।

ପର୍ଯ୍ୟାୟ-୨ରେ କ୍ରମବର୍ଦ୍ଧିତ ଉଡ଼ାଣ ସମୟ(କମ୍ୟୁଲେଟିଭି ଫ୍ଲାଇ ଆୱାର୍ସ)ବା ଗୋଟେ ନିର୍ଦ୍ଦିଷ୍ଟ ପିରିୟଡ୍ରେ ଏକ ବିମାନ କିମ୍ବା ପାଇଲଟ କେତେ ସମୟ ଆକାଶରେ ରହୁଛନ୍ତି ତାର ଏକ ସୀମା ନିର୍ଦ୍ଧାରଣ କରିବା, ଭୋର ସମୟର ଡ୍ୟୁଟି ବେଳେ " ସର୍କାଡିଆନ୍ ଲୋ ଅପରେସନ୍ସର ୱିଣ୍ଡୋ" କାର୍ଯ୍ୟ ସମୟରେ ଡ୍ୟୁଟି ଅବଧିର ସୀମା, ଏବଂ ଅନୁମୋଦିତ କ୍ରମାଗତ ରାତି ଡ୍ୟୁଟି ସଂଖ୍ୟା ଉପରେ ନିର୍ଦ୍ଧାରିତ ଏକ କଡ଼ା ସମୟ ସୀମା ଲାଗୁ କରାଯାଇଛି।

ତେବେ ନିୟମ ଲାଗୁ ହେବା ପରେ ଇଣ୍ଡିଗୋ ଏୟାରଲାଇନ୍ସ ଏହାର ପାଇଲଟମାନଙ୍କର ଡ୍ୟୁଟି ରୋଷ୍ଟର ଠିକ୍ କରିପାରି ନଥିବାରୁ ଏଭଳି ଅବସ୍ଥା ଉପୁଜିଛି ବୋଲି ଶିଳ୍ପ ସୂତ୍ରରୁ ସୂଚନା ମିଳିଛି। ଏନେଇ ଇଣ୍ଡିଗୋ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ, ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଟେକ୍ନଲୋଜୀ ସମସ୍ୟା, ବିମାନବନ୍ଦର ଭିଡ଼ ଏବଂ ପରିଚାଳନାଗତ ଆବଶ୍ୟକତା ସମେତ ବିଭିନ୍ନ କାରଣ ଯୋଗୁ ଇଣ୍ଡିଗୋର ଅନେକ "ଅପରିହାର୍ଯ୍ୟ ଉଡ଼ାଣ ବିଳମ୍ବ ଏବଂ କିଛି ବାତିଲ କରାଯାଇଛି।

ସେ ଆହୁର କହିଛନ୍ତି ଯେ ଆମର ଟିମ୍ ଯଥାଶୀଘ୍ର କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ, ଆମେ ପ୍ରଭାବିତ ଗ୍ରାହକମାନଙ୍କୁ ବିକଳ୍ପ ବିମାନ ସେବା କିମ୍ବା ପ୍ରଯୁଜ୍ୟ ଅନୁସାରେ ଟଙ୍କା ଫେରସ୍ତ ପ୍ରଦାନ କରୁଛୁ। ଏହି ବାଧା ଯୋଗୁ ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ।