ପାକିସ୍ତାନର ଓହ୍ଲାଇ ନିଜ ପତାକା ଉଡାଇଲା BLA, ଦୂତାବାସ ଖୋଲିବା ପାଇଁ ଦୁନିଆକୁ ଆମନ୍ତ୍ରଣ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ: ଭାରତ ସହ ସଂଘର୍ଷ କରୁଥିବା ପାକିସ୍ତାନ ଗୋଟିଏ ପରେ ଗୋଟିଏ ଅସଫଳ ଏୟାର ଷ୍ଟ୍ରାଇକ୍ କରିବାରେ ଲାଗିଛି । କିନ୍ତୁ ଏହାରି ଭିତରେ ପାକିସ୍ତାନକୁ ଆଉ ଏକ ଝଟକା ଲାଗିଛି । ଦଶନ୍ଧି ଦଶନ୍ଧି ଯାଏ ପାକିସ୍ତାନଠାରୁ ସ୍ୱାଧୀନତା ଚାହୁଁଥିବା ବଲୁଚ୍ ଏବେ ବିଦ୍ରୋହକୁ ଜୋରଦାର କରିଛନ୍ତି । ବଲୁଚ୍ ଲିବରେସନ ଆର୍ମିର ଯୋଦ୍ଧା ସୁଯୋଗ ଦେଖି ସ୍ୱାଧୀନତା ପତାକା ଉଡ଼ାଇଛନ୍ତି । ଏହାସହ ବଲୁଚ୍ ବିଦ୍ରୋହୀ ସଂଗଠନର ତିନି ଗୋଷ୍ଠୀ ବଲୁଚିସ୍ତାନ ପ୍ରାନ୍ତର ତିନି ଭିନ୍ନ ଭିନ୍ନ କ୍ଷେତ୍ରକୁ କବଜା କରିଥିବା ଦାବି କରିଛି । ଏହି ସ୍ଥାନଗୁଡ଼ିକରେ ବଲୁଚିସ୍ତାନର ପତାକା ଉଡ଼ାଯାଇଛି । ପାକିସ୍ତାନ ପତାକା ଓହ୍ଲାଇ ବଲୁଚିସ୍ତାନର ପତାକା ଉଡାଇବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଗୁରୁବାର ଦୁଇଟି ସ୍ଥାନରେ ବଲୁଚିସ୍ତାନ ଲିବରେସନ ଆର୍ମି ପାକିସ୍ତାନ ସେନା ଉପରେ ୨ଟି ହମଲା କରିଥିଲା । ଏଥିରୁ ଗୋଟିଏ ରିମୋଟ୍ ବୋମା ଆଟାକ୍ ଥିଲା, ଯେଉଁଥିରେ ପାକିସ୍ତାନ ସେନାର ଗାଡ଼ି ଧ୍ୱଂସ ହୋଇଥିଲା । ଏହି ଆକ୍ରମଣରେ ପାକିସ୍ତାନର ୧୨ ଜଣ ଯବାନ ନିହତ ହୋଇଥିଲେ । ବଲୁଚ୍ ଲିବରେସନ୍ ଆର୍ମି ନିଜ ସୋସିଆଲ୍ ମିଡିଆରେ ବିସ୍ଫୋରଣ ବେଳର ଭିଡିଓ ଅପଲୋଡ୍ କରିଥିଲା । ବଲୁଚ୍ ଲିବରେସନ୍ ଆର୍ମି ଗତ କିଛି ବର୍ଷ ହେଲା ପାକିସ୍ତାନ ସୁରକ୍ଷା ବଳଙ୍କ ଉପରେ ଲଗାତାର ଆକ୍ରମଣ କରୁଛି । କିନ୍ତୁ ଗତ ସପ୍ତାହେ ହେଲା ଏଭଳି ଆକ୍ରମଣରେ ବୃଦ୍ଧି ଦେଖିବାକୁ ମିଳିଛି । ଅନୁମାନ କରାଯାଉଛି ଯେ ଭାରତୀୟ ସେନାର ଅପରେସନ ସିନ୍ଦୂର ପରେ ବିଏଲଏ ପାକିସ୍ତାନ ବିରୋଧରେ ନିଜ ସଂଗ୍ରାମକୁ ଜୋରଦାର କରିଛି ।

ଗତ ଦୁଇ ଦିନରେ ପାକିସ୍ତାନ ସେନା ଉପରେ ୪ରୁ ଅଧିକ ଆକ୍ରମଣ କରିଛି ବିଏଲଏ । କ୍ୱେଟାର ଅନେକ ସ୍ଥାନରେ ଫାୟାରିଂ ହୋଇଛି । ବଲୁଚ୍ ଲେଖକ ମୀର ୟାର ବଲୋଚ ଏକ୍ସରେ ଲେଖିଛନ୍ତି, 'ବଲୁଚ୍‌ମାନେ ନିଜ ପତାକା ଉଡାଇବା ଆରମ୍ଭ କରିଛି । ପାକିସ୍ତାନର ପତାକା ଓହ୍ଲାଯାଉଛି । ଦୁନିଆ ପାଇଁ ସମୟ ଆସି ସାରିଛି ଯେ ସେମାନେ ପାକିସ୍ତାନରେ ନିଜ ଦୂତାବାସ ବନ୍ଦ କରି, ନୂଆ ଦେଶ ବଲୁଚିସ୍ତାନରେ ସ୍ଥାପନ କରନ୍ତୁ । ପାକିସ୍ତାନରୁ ବିଦାୟ ଓ ବଲୁଚିସ୍ତାନକୁ ୱେଲକମ୍ । ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପାକିସ୍ତାନୀ ପିଏମ୍ ସାହିଦ ଖାକନ ଅବ୍ବାସୀ ବି ଦାବି କରିଛନ୍ତି ଯେ ବଲୁଚିସ୍ତାନ ଉପରୁ ଦେଶର ସରକାର ଓ ସେନା ନିୟନ୍ତ୍ରଣ ହରାଇ ସାରିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.