ଇରାନରେ ୧୬ ହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ, ମୁଣ୍ଡକୁ ମାରନ୍ତି ଗୁଳି; ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି

NEWS7
balesore-soro-fight

ନୂଆଦିଲ୍ଲୀ: ଇରାନରେ ଜାରି ରହିଥିବା ହିଂସକ ପ୍ରଦର୍ଶନ ସାରା ଦେଶକୁ ଦୋହଲାଇ ଦେଇଛି । ଦରବୃଦ୍ଧି ଓ ରିୟାଲ ମୂଲ୍ୟରେ ହ୍ରାସ ପରି ଆର୍ଥିକ ପ୍ରସଙ୍ଗରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଧୀରେ ଧୀରେ ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଥିଲା । ଇରାନର ସୁପ୍ରିମ୍ ଲିଡର ଅୟାତୁଲ୍ଲା ଅଲି ଖାମେନିଙ୍କ ବିରୁଦ୍ଧରେ ଆନ୍ଦୋଳନ ଉଗ୍ର ହୋଇଥିଲା । ଏହାରି ଭିତରେ ଆନ୍ଦୋଳନ ଏବଂ ହିଂସା ଉପରେ ଏକ ରିପୋର୍ଟ ସାମନାକୁ ଆସିଛି । ନୂଆ ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଅତି କିମରେ ୧୬,୫୦୦ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ଓ ୩ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଧିକାଂଶ ପୀଡ଼ିତଙ୍କ ବୟସ ୩୦ରୁ କମ ରହିଛି । ଗ୍ରାଉଣ୍ଡରେ କାମ କରୁଥିବା ଡାକ୍ତରଙ୍କ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଆମେରିକା ସ୍ଥିତ ହ୍ୟୁମାନ ରାଇଟ୍ସ ଆକ୍ଟିଭିଷ୍ଟସ ନ୍ୟୁଜ୍ ଏଜେନ୍ସି (HRANA) ୩୦୯୦ ମୃତ୍ୟୁକୁ ସ୍ପଷ୍ଟ କରିଛି, ଯେଉଁଥିରେ ଅଧିକାଂଶ ପ୍ରଦର୍ଶନକାରୀ ସାମିଲ ଅଛନ୍ତି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୨୨ ହଜାରରୁ ଅଧିକ ଗିରଫଦାରୀ ହୋଇଛି । ସୁପ୍ରିମ୍ ଲିଡର ଖାମେନି ପ୍ରଥମ ଥର ସାର୍ବଜାନୀନ ଭାବେ ସ୍ୱୀକାର କରିଥିଲେ ଯେ ଏହି ଅଶାନ୍ତିରେ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ହୋଇଛି । ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅପରାଧୀ ରୂପେ ବର୍ଣ୍ଣନା କରି ପ୍ରଦର୍ଶନକାରୀଙ୍କୁ ଆମେରିକାର ଫୁଟ୍ ସୋଲଜର୍ ବୋଲି କହିଛନ୍ତି । ରିପୋର୍ଟରେ ଡାକ୍ତରମାନେ କହିଛନ୍ତି, ଆହତଙ୍କ ମୁଣ୍ଡ, ଛାତି, ବେକରେ ଗୁଳି ମରାଯାଇଛଇ । ଏହା ସୈନ୍ୟ-ଗ୍ରେଡ୍ ହତିଆର ବ୍ୟବହାରକୁ ଦର୍ଶାଉଛି ।

ତେହରାନର ପ୍ରମୁଖ ହସ୍ପିଟାଲଗୁଡ଼ିକର ତଥ୍ୟ ଅନୁସାରେ, ହଜାର ହଜାର ଲୋକଙ୍କ ଆଖିରେ ଆଘାତ ଲାଗିଛି । ୭୦୦ରୁ ୧୦୦୦ ଜଣ ନିଜ ଆଖି ହରାଇ ସାରିଛନ୍ତି । ରକ୍ତ ଅଭାବ ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଅନେକ ମାମଲାରେ ସୁରକ୍ଷା କର୍ମୀମାନେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ପାଇଁ ଅନୁମତି ଦେଉନାହାନ୍ତି । ଜର୍ମାନ-ଇରାନୀ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଆମିର ପରସ୍ତା କହିଛନ୍ତି, ଏହି ନିର୍ଯାତନା ପିଲା ଓ ଗର୍ଭବତୀଙ୍କ ଉପରେ ମଧ୍ୟ ବଢିଛି । କିଛି ବିଶେଷଜ୍ଞ ଏହାକୁ ନରସଂହାର ବୋଲି କହିଛନ୍ତି । ଇରାନରେ ଗତ ଏକ ସପ୍ତାହରୁ ଅଧିକ ଧରି ଇଣ୍ଟରନେଣ୍ଟ ବ୍ଲାକ୍ଆଉଟ୍ ଜାରି ରହିଛି, ଯାହା ସାରା ଦୁନିଆରେ ସମ୍ୱାଦର ପ୍ରବାହକୁ ବନ୍ଦ କରିଦେଇଛି ।