FM କଲେଜ ମୃତ୍ୟୁ ଘଟାଣା ; କଲେଜ ପରିସରକୁ ଯାଇ ସ୍ଥିତି ପରଖିଛନ୍ତି, ନିରପେକ୍ଷ ତଦନ୍ତ ନିଶ୍ଚୟ ହେବ ବୋଲି କହିଛନ୍ତି ବାଲେଶ୍ୱର ଆଇଜି ସତ୍ୟଜିତ ନାୟକ

Published By : Prameya-News7 Bureau | July 15, 2025 IST

ବାଲେଶ୍ୱର : ଶେଷରେ ଆଖି ବୁଜିଦେଲେ ଫକୀରମୋହନ କଲେଜ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୌମ୍ୟାଶ୍ରୀ। ଏଭଳି ଘଟଣାକୁ ନେଇ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମଙ୍ଗଳବାର ମରଶରୀର କଲେଜ ପରିସରକୁ ଅଣାଯାଇନଥିଲା। ଆଇନଶୃଙ୍ଖଳା ପାଇଁ ସରକାରଙ୍କ ନିର୍ଦେଶନାମା ଥିଲା ପୋଲିସ ଏସ୍କର୍ଟ ସିଧା ଜନ୍ମଭୂଇଁ ଭୋଗରାଇ ଯିବ। ସେଠାରେ ଅନ୍ତିମ ସଂସ୍କାର ମଧ୍ୟ ହୋଇଛି। ହେଲେ ଛାତ୍ରଛାତ୍ରୀ କଲେଜର ଅଧ୍ୟାପକ ଅଧ୍ୟାପିକା,କର୍ମଚାରି ଶେଷ ଦର୍ଶନ କରି ନପାରି ନିରାଶ ହୋଇଛନ୍ତି। ସେପଟେ ଆଜି ଅନେକ ଦୂରରୁ ଟିସି, ଆଡ଼ମିସନ ପାଇଁ ଛାତ୍ରଛାତ୍ରୀମାନେ ଆସିଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କଲେଜ ବନ୍ଦ୍ ଥିବା କାରଣରୁ ଆଡ଼ମିସନ ତାରିଖ ସିନା ଶିକ୍ଷାବିଭାଗ ଘୁଞ୍ଚାଇଲା ହେଲେ ଟିସି ଓ ସିଏଲସି ନେଇ ଅନ୍ୟ କଲେଜରେ ଆଡ଼ମିସନ ହେବାକୁ ଥିବାରୁ ସେମାନଙ୍କୁ ହିରାଣ ହେବାକୁ ପଡ଼ିଥିଲା। ପରେ କଲେଜ କତ୍ତୃପକ୍ଷଙ୍କ ତରଫରୁ ମଧ୍ୟ ସାର୍ଟିଫିକେଟ କିମ୍ବା ଟିସି ପାଇଁ ବ୍ୟବସ୍ଥା କରାଯାଇଥିଲା। ତେବେ କଲେଜ ପରିସରରେ ଆଇନଶୃଂଖଳା ନେଇ ତିନି ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି। ସେପଟେ ବାଲେଶ୍ୱର ସିଭିଲ ସୋସାଇଟି ତରଫରୁ ଏଭଳି ଘଟଣାକୁ ନେଇ ନିନ୍ଦା କରାଯାଇଥିବା ବେଳେ ଆଗାମୀ ଦିନରେ ଏଥିପାଇଁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


ଅନ୍ୟପଟେ ଏଭଳି ଘଟଣାକୁ ନେଇ ଏଚଓଡ଼ି ଓ ପ୍ରିନ୍ସପାଲ ଗିରଫ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଭାର ନେଇଛି। ବାଲେଶ୍ୱର ଆଇଜି ସତ୍ୟଜିତ ନାୟକ ଆଜି କଲେଜ ପରିସରକୁ ଯାଇ ଅଘଟଣ ଘଟିବା ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି। ନିରପେକ୍ଷ ତଦନ୍ତ ନିଶ୍ଚୟ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି।  ତେବେ ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ହେବା ଘଟଣା ପରେ ଦୋଷୀ ବିରୁଦ୍ଧରେ କଠୋର ଦଣ୍ଡବିଧାନ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.